କନକବ୍ୟୁରୋ : ଆଖି ସାମ୍ନାରେ ଜଳୁଛି ଘର । ଖରା ସାଙ୍ଗକୁ ନିଆଁର ତାଉ ଏତେ ଯେ, ପାଖରେ ଠିଆ ହେବା ସମ୍ଭବ ନୁହେଁ  । ନିଆଁ ଆଁରୁ କିଛି ବାହାର କରିବା ସମ୍ଭବ ହେଲା ନାହିଁ  ।  ସବୁ  ଘର ଭିତରେ ପୋଡ଼ି ଅଙ୍ଗାର ପାଲଟିଗଲା । ମୁଣ୍ଡଝାଳ ତୁଣ୍ଡରେ ମାରି ବହୁତ କଷ୍ଟରେ ତିଆରି କରିଥିବା ଘର ପୋଡିଯିବା ପରେ କୋହ ସମ୍ଭାଳି ପାରୁନାହାନ୍ତି ବୃଦ୍ଧା  ।  ଲୁହଭରା ଆଖିରେ ପୋଡା ପାଉଁଶ ତଳୁ ଉଣ୍ଡାଳୁଛନ୍ତି ଘର କରଣା ସାମଗ୍ରୀ ।  କେନ୍ଦ୍ରାପଡା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଓଳିହା ଗାଁରେ ଅଗ୍ନିକାଣ୍ଡ ଘଟିଯାଇଛି ।  

Advertisment

ଗାଁର ପ୍ରଦୀପ ସାହୁଙ୍କ ଘରେ ଅଗ୍ନିକାଣ୍ଡ ଘଟି ୪ବଖରା ଚାଳଛପର ଘର ପୋଡ଼ି ଯାଇଛି  ।  ଟିଭି, ସାଇକେଲ, ବାଇକ୍‌, ଧାନକଳ, ସିଲେଇ ମେସିନ, ଇନଭର୍ଟର, ବାସନକୁସନ, ଲୁଗାପଟା ସହ ଧାନ ଚାଉଳ ସବୁ ଜଳି ଯାଇଛି ।  ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି ।   ଅଗ୍ନିକାଣ୍ଡରେ ସର୍ବସ୍ବ ହରାଇ ପ୍ରଦୀପଙ୍କ ବୁଢି ମାଆ ଓ ସ୍ତ୍ରୀ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି ।

ଏହି ନିଆଁ ପଡ଼ିଶାଘରକୁ ମଧ୍ୟ କିଛି ମାତ୍ରାରେ ପ୍ରଭାବିତ କରିଛି  । ପ୍ରଦୀପଙ୍କ ପଡୋଶୀ ରାଜକିଶୋର ମହାପାତ୍ରଙ୍କର ଦୁଇଟି ସିସିଟିଭି କ୍ୟାମେରା ,  ସିଡି ଘର କାଚ ଓ ମିଟର ପୋଡି ଯାଇଛି । ଗ୍ୟାରେଜରେ ଥିବା କାରଟି ଅଳ୍ପକେ ବର୍ତ୍ତିଯାଇଛି । ତେବେ ଅଗ୍ନିକାଣ୍ଡର ସଠିକ କାରଣ ଜଣାପଡିନାହିଁ ।  କିନ୍ତୁ ଗୋଟିଏ ପରିବାର ବାସହରା ହୋଇଯାଇଛନ୍ତି । ସବୁକିଛି ନିଆଁରେ ସ୍ୱାହା ହୋଇଯିବା ପରେ ଲୁହ ଭିଜା ଆଖିରେ ପ୍ରଶାସନର ସହାୟତାକୁ ଅପେକ୍ଷା କରିଛନ୍ତି ।