କନକ ବ୍ୟୁରୋ: ବ୍ରହ୍ମପୁର ସହରରେ ଚୋରଙ୍କ ଆତଙ୍କରାଜ । ଚୋରଙ୍କ ଟାର୍ଗେଟରେ ଏବେ ତାଲା ପଡ଼ି ଥିବା ଘର । ପୂର୍ବରୁ କବାଟ ଭାଙ୍ଗି ଚୋରି କରୁଥିଲେ। ଏବେ କିନ୍ତୁ ଚୋରି ପରେ ଘରେ ନିଆଁ ଲଗାଇ ଦେବା ଭଳି ଘଟଣା ନଜରକୁ ଆସିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ କଳିଙ୍ଗନଗରରେ । ...
ବ୍ରହ୍ମପୁର ସହରରେ ଏ ଘରୁ ଚୋରିକୁ ନେଇ ଏବେ ଚର୍ଚ୍ଚା । ଖାଲି ଚୋର ଚୋରି କରିନାହାନ୍ତି, ଚୋରି ପରେ ଘର ଜାଳିଦେଇଛନ୍ତି । ଏମିତି ଚାଞ୍ଚଲ୍ୟକର ଘଟଣା ସମସ୍ତଙ୍କ ହୋସ୍ ଉଡ଼ାଇ ଦେଉଛି । ଘରେ କେହି ନଥିବା ବେଳେ କଳାକନା ବୁଲାଇଲେ, ଘରେ ନିଆଁ ବି ଲଗାଇ ଛୁ ମାରିଲେ। ବ୍ରହ୍ମପୁର କଳିଙ୍ଗ ନଗରରେ ଘଟିଛି ଏହି ଘଟଣା । ଘରେ ନିଆଁ ଲାଗିବା ଯୋଗୁ ସମସ୍ତ ଆସବାବପତ୍ର ପୋଡ଼ି ଯାଇଛି। ଗତବର୍ଷ ମଧ୍ୟ ଏହି ସମୟରେ ଦେବୀ ପ୍ରସାଦଙ୍କ ଘରୁ ଚୋରି ହୋଇଥିଲା । ଏନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ ହୋଇଥିଲେ ବି ପୋଲିସ ଚୋରଙ୍କୁ ଧରିବାରେ ସଫଳ ହୋଇ ନଥିଲା । ଏବେ ପୁଣି ଥରେ ସମାନ ଘରୁ ଚୋରି ନେଇ ବ୍ରହ୍ମପୁର ପୋଲିସର ପାରିବାପଣିଆ ଉପରେ ପ୍ରଶ୍ନ ଉଠିଛି । ...
ବୈଦ୍ୟନାଥପୁର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ଅଞ୍ଚଳର ସିସିଟିଭି ଯାଞ୍ଚ କରୁଛି ପୋଲିସ । ବିଳମ୍ୱିତ ରାତିରେ ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି। ଚୋରି କଲା ବେଳେ ସର୍ଟ ସର୍କିଟରୁ ନିଆଁ ଲାଗିଛି ନା ଚୋର ଉଦ୍ଦେଶ୍ୟ ମୂଳକ ଭାବେ ନିଆଁ ଲଗାଇଛନ୍ତି, ସେ ନେଇ ଉଭୟ ଅଗ୍ନିଶମ ବିଭାଗ ଓ ପୋଲିସ ତଦନ୍ତ ଜାରି ରଖିଛନ୍ତି। ସହରରେ ଚୋରି ରୋକିବାକୁ ବିଭିନ୍ନ ଥାନା ଅଂଚଳର ପ୍ରମୁଖ ଛକ ଗୁଡ଼ିକରେ ସିସିଟିଭି ଲଗାଯିବ ଏବଂ ପାଟ୍ରୋଲିଂକୁ କଡାକଡି କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ଏସପି ।