କନକ ବ୍ୟୁରୋ: ପୁରୀରେ ହୋଟେଲ ମାଲିକ ଓ କର୍ମଚାରୀଙ୍କ ଦବଙ୍ଗ ଗିରି । ଗ୍ରାହକଙ୍କୁ ମାଡ଼ ମାରି ଆହତ କରିବା ସହ ରେଷ୍ଟୁରାଣ୍ଟରୁ କଲେ ବିଦା । ପୁରୀ ବାଲିସାହିର ଅଭିଯୋଗକାରୀ ଶ୍ରୀମତୀ ସ୍ମୃତିରେଖା ମିଶ୍ର ତାଙ୍କ ପରିବାର ସଦସ୍ୟଙ୍କ ସହିତ ପୁରୀର ଭିଆଇପି ରୋଡ଼ରେ ଥିବା ଅଗ୍ରୱାଲ ଭେଜ୍ ରେଷ୍ଟୁରାଣ୍ଟକୁ ମଧ୍ୟାହ୍ନ ଭୋଜନ କରିବାକୁ ଯାଇଥିଲେ । ସେତେବେଳେ ହୋଟେଲରେ ଭିଡ଼ ଥିଲା । ଖାଇବା ଦେବାରେ ବିଳମ୍ବକୁ ନେଇ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ହୋଟେଲ ମାଲିକ, ପରିଚାଳକ ଏବଂ ଅନ୍ୟ ୧୦ ଜଣ କର୍ମଚାରୀ ଅଭିଯୋଗକାରୀଙ୍କ ସ୍ୱାମୀଙ୍କୁ ଆକ୍ରମଣ କରିଥିଲେ ।
ଫଳରେ ସେମାନେ ସାମାନ୍ୟ ଆଘାତ ପାଇଥିଲେ ଏବଂ ଅଭିଯୋଗକାରୀଙ୍କୁ ଠେଲାପେଲି ଦେଇଥିଲେ । ଏନେଇ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରିଛି । ରେଷ୍ଟୁରାଣ୍ଟର ସିସି ଫୁଟେଜ୍ ସଂଗ୍ରହ କରାଯାଇଛି । ଡିଭିଆର ଜବତ କରାଯାଇଛି । ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ଧାରା ୩୫(୩) ଅନୁଯାୟୀ ନୋଟିସ୍ ପ୍ରଦାନ କରାଯାଇଛି ।