କନକ ବ୍ୟୁରୋ: କେବେ ପୂରଣ ହେବ ଆରଜିଏଚରେ ଡାକ୍ତର ପଦବୀ  l ଚିକିତ୍ସା ପାଇଁ ରୋଗୀଙ୍କ ସୁଅ ଛୁଟୁଥିବା ବେଳେ, ଚିକିତ୍ସା କରୁଛନ୍ତି ୬୩ଜଣ । ୫ଶହ ବେଡ୍‌କୁ ମାତ୍ର ୬୩ ଡାକ୍ତର । ସାଇକ୍ରାଟିକ୍‌, ଆନାସ୍‌ଥେସିଆ, ଅର୍ଥୋପେଡିକ୍‌ , କାର୍ଡିଓଲୋଜି, ଓ ସ୍କିନ ବିଭାଗରେ ଡାକ୍ତର ନାହାଁନ୍ତି। ଥରେ ଚିନ୍ତାକଲେ ଏସବୁ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଡାକ୍ତର ଅଭାବ କେମିତି ସମସ୍ୟା ସୃଷ୍ଚି କରୁଥିବ। ଆରଜିଏଚ ପାଇଁ ରାଜ୍ୟ ସରକାର ୧୩୮ଟି ଡାକ୍ତର ପଦବୀ ମଞ୍ଜୁର କରିଛନ୍ତି, ବର୍ତମାନ ୮୨ ଡାକ୍ତର ରହିବା କଥା, ଅଛନ୍ତି ୬୩ଜଣ, ସେଥିରୁ ୧୯ଜଣ ପିଜି କରିବାକୁ ଯାଇଛନ୍ତି l ୫୬ଟି ବିଭାଗ ଖାଁ ଖାଁ। ସେପଟେ ଡାକ୍ତର ଅଭାବରୁ ଘରୋଇ ହସ୍ପିଟାଲ ଉପରେ ଭରସା କରି ଖର୍ଚ୍ଚାନ୍ତ ହେଉଛନ୍ତି ରୋଗୀ ଓ ସମ୍ପର୍କୀୟ । 
 
 ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଓ ଆରଜିଏଚ ଏକା ସଙ୍ଗରେ ଆରମ୍ଭ ହୋଇଥିଲା l କିନ୍ତୁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବହୁ ପଛରେ ରାଉରକେଲା ସରକାରୀ ହସ୍ପିଟାଲ। ସୁନ୍ଦରଗଡ଼ ଜିଲ୍ଲା ସମେତ ପଡ଼ୋଶୀ ଝାରଖଣ୍ଡ ଓ ଛତିଶଗଡର ଅନେକ ରୋଗୀ ଏହି ଡାକ୍ତରଖାନା ଉପରେ ନିର୍ଭରଶୀଳ। ଏଠି ପ୍ରଶ୍ନ ଉଠୁଛି ସରକାର ଏନେଇ କାହିଁକି ପଦକ୍ଷେପ ନେଉନାହାନ୍ତି? କାହିଁକି ଡାକ୍ତରଖାନା ପ୍ରତି ଆଖିବୁଜି ଦେଇଛି ସ୍ୱାସ୍ଥ୍ୟ ବିଭାଗ? ସେପଟେ ଆର୍‌ଜିଏଚ୍‌ ନିର୍ଦ୍ଦେଶକ କ୍ୟାମେରା ସାମ୍ନାରେ କିଛି କହିନଥିଲେ ମଧ୍ୟ,  ଡାକ୍ତର ସମସ୍ୟା ଦୀର୍ଘ ଦିନରୁ ଲାଗିରହିଛି, ଏନେଇ ବାରମ୍ବାର ଆମେ ଚିଠି କରୁଛୁ ବୋଲି କହିଛନ୍ତି । 
 
 

Advertisment