କନକ ବ୍ୟୁରୋ: ସମୟ ଦିନ ପ୍ରାୟ ୧୧ଟା ୪୫, ରବିବାର ଉଦୁଉଦିଆ ଖରାବେଳ । ବେଙ୍ଗାଳୁରୁରୁ ଗୁଆହାଟୀ ଯାଉଥିଲା କାମାକ୍ଷା ଏକ୍ସପ୍ରେସ୍ ଟ୍ରେନ୍। ଶନିବାର ସକାଳ ୮ଟା ୫୦ରେ ଏହି ଟ୍ରେନଟି ବେଙ୍ଗଳୁରୁରୁ ଛାଡ଼ିଥିଲା, ଆଉ ସୋମବାର ଦିନ ୧ଟା ୪୫ରେ କାମାକ୍ଷାରେ ପହଞ୍ଚିଥାନ୍ତା । କିନ୍ତୁ କଟକ ମହାନଦୀ ବ୍ରିଜ୍ ଅତିକ୍ରମ କରିବା ପରେ ଥରିବାକୁ ଲାଗିଲା ଟ୍ରେନ। ନିର୍ଗୁଣ୍ଡି ଷ୍ଟେସନ ପୂର୍ବରୁ କମ୍ପି ଉଠିଲା ଟ୍ରେନର ବଗି। ଶୁଭିଲା ବିକଟାଳ ଶବ୍ଦ। କମ୍ପନ ଓ ଗର୍ଜନରେ ଧଡ଼ଧଡ଼ ହେଉଥିଲା ଯାତ୍ରୀଙ୍କ ଛାତି। କେହି କିଛି ବୁଝିବା ପୂର୍ବରୁ ଘଟିସାରିଥିଲା ଦୁର୍ଘଟଣା। ଟ୍ରାକ୍ରୁ ଅଲଗା ହୋଇଯାଇଥିଲା ୧୧ଟି ବଗି।
ଟ୍ରେନଟି ଟ୍ରାକରୁ ଖସି ଅଟକିବା ପରେ ଭୟରେ ବାହାରକୁ ଚାଲିଆସିଥିଲେ ଯାତ୍ରୀ। ଯାହାର ଦୃଶ୍ୟ ଥିଲା ଅତି ଭୟଙ୍କର। କେଉଁଠି ଆହତଙ୍କ ଚିତ୍କାର ଶୁଭୁଥିଲା, ତ କିଏ ସହାୟତା ପାଇଁ ପାଟି କରୁଥିଲା। କିଛି ଯାତ୍ରୀ ଭୟରେ ଟ୍ରେନରୁ ଡେଇଁ ପଡ଼ି ଆହତ ମଧ୍ୟ ହୋଇଥିଲେ।
ଖାଲି ସେତିକି ନୁହେଁ, ଦୁର୍ଘଟଣା କଷ୍ଟରୁ ବଳିଯାଇଥିଲା ଖରା ଗରମର କଷ୍ଟ। ଟାଣ ଖରା ଯୋଗୁଁ ନାହିଁ ନଥିବା ସମସ୍ୟା ଭୋଗିଲେ ଯାତ୍ରୀ। ପାଣି ମୁନ୍ଦେ ପାଇଁ ହେଉଥିଲେ ଡହଳବିକଳ। କିଏ ଗଛ ତଳେ ଆଶ୍ରୟ ନେଇଥିଲା ତ, ଆଉ କିଏ ଖରାରୁ ରକ୍ଷା ପାଇବାକୁ ଛାଇ ଖୋଜୁଥିଲା । ତେବେ ତେବେ ଖୁବ କମ ସମୟ ମଧ୍ୟରେ ଉଦ୍ଧାରକାରୀ ଟିମ୍ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ।
ତେବେ କାହିଁକି ଟ୍ରେନଟି ଲାଇନଚ୍ୟୁତ ହେଲା। ସେନେଇ ଆରମ୍ଭ ହୋଇଛି କାରଣ ଖୋଜା। କାହିଁକି ଘଟିଲା ଏତେବଡ଼ ଅଘଟଣ? ଦୁର୍ଘଟଣା ପାଇଁ ଦାୟୀ କିଏ? ଲୋକୋ ପାଇଲଟଙ୍କ ଭୁଲ ନା କର୍ମଚାରୀଙ୍କ ଅବହେଳା? ଏ ସମସ୍ତ ପ୍ରଶ୍ନର ଉତ୍ତର ଖୋଜୁଛି ରେଳ ବିଭାଗ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)