କନକ ବ୍ୟୁରୋ : କୁହନ୍ତି ଲୋଭ ଓ ରାଗ ପରମ ଚଣ୍ଡାଳ । ଦୁଇଟି ପ୍ରବୃତ୍ତି ଯଦି ମୁଣ୍ଡ ଉପରକୁ ଚଢ଼ିଗଲା ତା’ହେଲେ କାହାର ଜୀବନ ନେବାକୁ ମଧ୍ୟ ପଛାନ୍ତି ନାହିଁ । ଏହାର କେତେ ଉଦାହରଣ ଆପଣ ନିତିଦିନିଆ ଜୀବନରେ ଦେଖିଥିବେ । କିଏ ରାଗରେ କାହାକୁ ମାରିଦେଉଛନ୍ତି ତ ଆଉ କିଏ ଲୋଭର ବଶବର୍ତ୍ତୀ ହୋଇ ନିଜ ସଂପର୍କୀୟଙ୍କୁ ମଧ୍ୟ ଠକିବାକୁ ପଛାଉନାହାନ୍ତି । ତେବେ ରାଜସ୍ଥାନ ମାଧୋପୁର ଜିଲ୍ଲାର ଗଙ୍ଗାପୁର ସହରରୁ ମଧ୍ୟ ଏମିତି ହିଁ ଏକ ଖବର ସାମ୍ନାକୁ ଆସିଛି । ଯେଉଁଠି ଲୋଭର ବଶବର୍ତ୍ତୀ ହୋଇ କେମିତି ଅଭିଯୁକ୍ତ ଜଣେ ନିରୀହ ବୃଦ୍ଧାଙ୍କ ଗୋଡ଼ କାଟିବାକୁ ମଧ୍ୟ ପଛାଇ ନାହାନ୍ତି ତାହା ଦେଖିବାକୁ ମିଳିଛି ।  

Advertisment

ସମ୍ପୂର୍ଣ୍ଣ ଖବରଟି ହେଉଛି ବାମନୱାସର ସିତୋଡ ଗ୍ରାମର ବାସିନ୍ଦା କମଳା ଦେବୀ ଜଣେ ଦିନ ମଜୁରିଆ ଭାବରେ କାମ କରନ୍ତି । କିଛି ଦିନ ପୂର୍ବରୁ ସେ ପିପଲାଇ ସହରର ଠିକାଦାର କାଡୁ ବୈରୱାଙ୍କ ସହ ସାକ୍ଷାତ କରିଥିଲେ । ଯିଏ କମଳାଙ୍କୁ ଚାକିରିର ପ୍ରଲୋଭନ ଦେଖାଇ ଅକ୍ଟୋବର ୮ ତାରିଖରେ ଗଙ୍ଗାପୁରକୁ ଆସିବାକୁ କହିଥିଲେ । କମଳା ଗଙ୍ଗାପୁର ତ ଗଲେ ହେଲେ ଆଉ ଘରକୁ ଫେରିଲେନି । ରାତି ଅଧିକ ହେବାରୁ କମଳାଙ୍କ ପରିବାର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ତା’ ପରଦିନ ସକାଳେ ରାସ୍ତା କଡ଼ରୁ ଜଣେ ବୃଦ୍ଧା ମହିଳା ଆହତ ଅବସ୍ଥାରେ ପଡ଼ିଥିବା ସୂଚନା ପାଇଲେ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ବୃଦ୍ଧାଙ୍କୁ ଉଦ୍ଧାର କଲେ । କିନ୍ତୁ ସେତେବେଳକୁ କମଳାଙ୍କ ୨ ଟି ଗୋଡ଼ କଟା ଯାଇଥିଲା ଏବଂ ଗୋଡ଼ରୁ ରୁପା ପାଉଁଜି ଗାଏବ ହୋଇଯାଇଥିଲା । ୬୫ ବର୍ଷୀୟ କମଳାଙ୍କ କହିବା ମୁତାବକ ରୂପା ଲୋଭରେ ତାଙ୍କ ଦୁଇଟି ଯାକ ଗୋଡ଼କୁ ଅଭିଯୁକ୍ତ କାଟି ପକାଇଛନ୍ତି । 

ପୁଲିସର କହିବା ମୁତାବକ ଅଭିଯୁକ୍ତଙ୍କ ଆକ୍ରମଣର ଅନେକ ସମୟ ପରେ କମଳା ଚେତା ଫେରି ପାଇଲେ ଏବଂ ଯନ୍ତ୍ରଣା ସତ୍ତ୍ବେ ବୁଦା ମୂଳ ଦେଇ ରାସ୍ତାକୁ ଚାଲିଆସିଲେ ଏବଂ ଲୋକଙ୍କୁ ସାହାଯ୍ୟ ମାଗିଲେ । ସ୍ଥାନୀୟ ଲୋକ କମଳାଙ୍କୁ ତୁରନ୍ତ ହସ୍ପିଟାଲକୁ ନେଇଗଲେ ଯେଉଁଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜୟପୁରକୁ ରେଫର କରାଯାଇଥିଲା । ବର୍ତ୍ତମାନ ପୁଲିସ ମୋବାଇଲ୍ ଲୋକେସନ୍ ଟ୍ରାକିଂ କରି ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିଛି । ମୁଖ୍ୟ ଅଭିଯୁକ୍ତ ରାମାବତାର ଓରଫ କାଡୁ ବୈରୱା ଏବଂ ତା’ ସହଯୋଗୀ ତନୁକୁ ଗିରଫ କରିଛି । ପୁଲିସର ସୂଚନା ଅନୁସାରେ ରାମାବତାର ନିକଟରେ ଜେଲରୁ ମୁକ୍ତ ହୋଇଥିଲା ଏବଂ ଦୁହେଁ କମଳାଙ୍କ ଗୋଡ଼ କାଟି ରୁପା ପାଉଁଜି ନେଇଥିବା ସ୍ବୀକାର ମଧ୍ୟ କରିଛନ୍ତି ।