କନକ ବ୍ୟୁରୋ : ମଣ୍ଡପରେ ମହିଷାସୁରକୁ ତ ମୂର୍ତ୍ତିରେ ମାରିଦେଲେ ମା’ । ହେଲେ ଏ ସମାଜରେ ଛଦ୍ମବେଶରେ ବୁଲୁଥିବା ମହିଷାସୁରଙ୍କ ଅତ୍ୟାଚାର ଦିନକୁ ଦିନ ଅସହ୍ୟ ହେବାରେ ଲାଗିଛି । ଏପଟେ ମହିଷା ମର୍ଦ୍ଦିନୀ ମେଲାଣି ନେଉଥିବାବେଳେ ଭଦ୍ରକରେ ମାତିଥିଲା ଆଉ ଏକ ମହିଷାସୁର । ଅଧରାତିର ଅନ୍ଧକାରରେ ଟ୍ରକ୍ ଭିତରେ ଜଣେ ମାନସିକ ଅନଗ୍ରସର ମହିଳାଙ୍କ ଚିତ୍କାର ଶୁଭୁଥିଲା । ଭସାଣୀ ରାତିରେ ମା’ଦୁର୍ଗା ତ ମେଲାଣି ନେଇଗଲେ କିନ୍ତୁ ବୋଧହୁଏ ମହିଷାସୁର ଭଦ୍ରକ ସହରକୁ ଚାଲି ଆସିଥିଲା ଟ୍ରକ୍ ଡ୍ରାଇଭର ରୂପରେ । ମେଲାଣି ରାତିରେ ଭଦ୍ରକ ସହର ୧୬ ନମ୍ବର ଜାତୀୟ ରାଜପଥ ଚରମ୍ପା ରାସ୍ତାକଡ଼ରୁ ଜଣେ ମାନସିକ ଅନଗ୍ରସର ମହିଳା ମିଳିଥିଲେ । ସିସିଟିଭି ଫୁଟେଜକୁ ଯାଞ୍ଚ୍ କରିବା ପରେ ଜଣାପଡ଼ିଥିଲା ଯେ ବର୍ଷାରୁ ବଞ୍ଚିବା ପାଇଁ ମହିଳା ଜଣକ ଏକ ଘର ବାରଣ୍ଡାରେ ଆଶ୍ରୟ ନେଇଥିଲେ । ଆଉ ଠିକ୍ ସେତେବେଳେ ମହିଳାଙ୍କ ଉପରେ ପଡ଼ିଥିଲା ଯୌନ ପିପାଶୁ ଟ୍ରକ୍ ଡ୍ରାଇଭରର ନଜର । ଦେଖିବା କ୍ଷଣି ଟ୍ରକକୁ ରୋକି ସେ ଘର ଆଡ଼କୁ ଦୌଡ଼ି ଆସି ମହିଳାଙ୍କୁ ଟେକି ନେଇଥିଲା । ମାନସିକ ଅନଗ୍ରସର ମହିଳା ଜଣକ ଚିତ୍କାର କରୁଥିଲେ ସୁଦ୍ଧା ପିଶାଚ ଟ୍ରକ୍ ଡ୍ରାଇଭରର ମନ ତରଳି ନଥିଲା । ବିଳମ୍ବିତ ରାତିରେ ଟ୍ରକ୍ ଭିତରେ ମହିଳାଙ୍କୁ ଦୁଷ୍କର୍ମ କରି ଚରମ୍ପା ରାସ୍ତାକଡ଼ରେ ଫୋପାଡ଼ି ଚାଲିଯାଇଥିଲା ଅଭିଯୁକ୍ତ ।
ସିସିଟିଭି ଫୁଟେଜ୍ ଯାଞ୍ଚ୍ କରି ଟ୍ରକ୍ ଚାଳକକୁ ଧରିବା ସହିତ ମହିଳାଙ୍କୁ ଉଦ୍ଧାର କରିବା ନିମନ୍ତେ ଭଦ୍ରକ ଟାଉନ ଥାନା ଅଧିକାରୀ ପ୍ରଭାଂଶୁ ଶେଖର ମିଶ୍ର ଓ ପୁଲିସ ଟିମ୍ ସବୁ ବଳ ଲଗାଇ ଦେଇଥିଲେ । ବିଭିନ୍ନ ଟୋଲ୍ ଗେଟରେ ଲାଗିଥିବା ସିସିଟିଭି ଫୁଟେଜକୁ ଅନୁଧ୍ୟାନ କରିବା ପରେ ଶେଷରେ ଅଭିଯୁକ୍ତ ସଦାମକୁ ବାନ୍ଧିଛି ପୁଲିସ । ତେବେ ନାରୀ ସୁରକ୍ଷାର ଡିଣ୍ଡିମ ପିଟୁଥିବା କେନ୍ଦ୍ର ସରକାର ରାଜ୍ୟର ଏଭଳି ଏକ ହୃଦୟ ବିଦାରକ ଘଟଣାକୁ ନେଇ କ’ଣ କହିବେ ? କ’ଣ ସତରେ ନାରୀ ସୁରକ୍ଷିତ ? କ’ଣ ସତରେ ନାରୀ ନିର୍ଯାତନା କମିଲାଣି ନା ପ୍ରତିଥର ଭଳି କେବଳ କାଗଜ , କଲମରେ ଲେଖି ଦିଆଯାଉଛି ଯେ ହଁ ସୁରକ୍ଷା ଘେରରେ ନାରୀ କିନ୍ତୁ ବାସ୍ତବରେ ଚିତ୍ର ବହୁତ ଭୟଙ୍କର …