କନକ ବ୍ୟୁରୋ: କ୍ୟାନ୍ସର ହସ୍ପିଟାଲ୍‌ ନିର୍ମାଣ ହେବ । ଆଉ ଚିକିତ୍ସା ପାଇଁ ବାହାରକୁ ଯିବାକୁ ପଡ଼ିବନି । ଏମିତି ଅନେକ ଆଶା ଦେଇ ଛିଡ଼ା କରାଗଲା ବରଗଡ଼ କ୍ୟାନ୍ସର ହସ୍ପିଟାଲ୍‌ । ହେଲେ ଲୋକଙ୍କ ଆଶା ସବୁ ଫସର ଫାଟିଗଲା । ଡାକ୍ତରଖାନା ତ’ ହେଇଗଲା । ହେଲେ ଏବେ ସେଠି ଡାକ୍ତରଙ୍କ ଦେଖାନାହିଁ । ଯାହାକୁ ନେଇ ଲୋକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।  

Advertisment

ବାହାରୁ ଚକାଚକ ଦେଖାଯାଉଥିବା ବରଗଡ଼ର ୫ ମହଲା କ୍ୟାନ୍ସର ହସ୍ପିଟାଲ ୫ ଜଣଙ୍କ କାମରେ ବି ଆସୁନି । କାରଣ ଏଠି ଜଣେ ବି ଡାକ୍ତର ନାହାନ୍ତି । ୨୧ ଫେବ୍ରୁଆରି ୨୦୨୪ରେ ପୂର୍ବ ସରକାରଙ୍କ ଦ୍ୱାରା ଉଦଘାଟିତ ଏହି ହସ୍ପିଟାଲ୍‌ରେ ପାଖାପାଖି ୧୨୦ ଷ୍ଟାଫ୍‌ ନିଯୁକ୍ତ ହେବାର ଯୋଜନା ଥିଲା । ହେଲେ ଏହା କେବଳ ଘୋଷଣାରେ ସୀମିତ ହୋଇଗଲା । ପ୍ରଥମେ ୩ ଜଣ ଡାକ୍ତରଙ୍କୁ ନିଯୁକ୍ତି ମିଳିଥିଲା । ସେଥିରୁ ଜଣେ ଆସିଲେନି, ଜଣଙ୍କର ବଦଳି ହୋଇଗଲା । କେମୋଥେରାପି ପାଇଁ ଯେଉଁ ଜଣେ ଡାକ୍ତର ଥିଲେ, ସେ ବି ପାଠ ପଢ଼ିବାକୁ ଚାଲିଯାଇଛନ୍ତି। 
 

ପଶ୍ଚିମ ଓଡ଼ିଶାରେ ପ୍ରତିବର୍ଷ ୨୨ ହଜାରରୁ ଅଧିକ କ୍ୟାନ୍‌ସର ରୋଗୀ ଚିହ୍ନଟ ହେଉଛନ୍ତି । ବରଗଡ଼ ଜିଲ୍ଲାର ୧୨୪୯ ଗାଁରେ ରହିଛି କ୍ୟାନ୍‌ସର ଆତଙ୍କ । ୨୮ରୁ ୩୦ ପ୍ରତିଶତ ଚିକିତ୍ସା ପାଇଁ ଭୁବନେଶ୍ୱର କିମ୍ବା ରାଜ୍ୟ ବାହାରକୁ ଯାଉଛନ୍ତି । କ୍ୟାନ୍ସର ହସ୍ପିଟାଲକୁ ଜୀବନ୍ତ କରିବାକୁ ବରଗଡ଼ର ୟୁନାଇଟେଡ ଫୋରମ୍‌ ଫର୍ କ୍ୟାନସର ହସ୍ପିଟାଲ କମିଟି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ସ୍ୱାସ୍ଥ୍ୟମନ୍ତ୍ରୀ ଓ ବରଗଡ଼ର ସମସ୍ତ ବିଧାୟକଙ୍କ ସହ ଆଲୋଚନା କରି ଏହାକୁ କାର୍ଯ୍ୟକ୍ଷମ ନେଇ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । କେମୋଥେରାପି ପାଇଁ ହେମାଟିନିକ ବଟିକା ପର୍ଯ୍ୟାପ୍ତ ପରିମାଣର ଆସୁନଥିବାରୁ ଏହାର ସମାଧାନ କରାଯିବ ବୋଲି ନିଷ୍ପତ୍ତି ହୋଇଥିବା କମିଟି ତରଫରୁ ଜଣାପଡ଼ିଛି । ପଶ୍ଚିମ ଓଡ଼ିଶାରେ କ୍ୟାନ୍ସର ସ୍ଥିତି ଉତ୍କଟ ଥିବା ବେଳେ ହସ୍ପିଟାଲ୍‌ର ଏପରି ଅବସ୍ଥା ବରଗଡ଼ବାସୀଙ୍କୁ ବାଧୁଛି। ବୋଧେ ଏହି ହସ୍ପିଟାଲ୍‌ ନିର୍ବାଚନୀ ଲଲିପପ୍ ଥିଲା ବୋଲି ଚର୍ଚ୍ଚା ଜୋର ଧରିଛି ।