କନକ ବ୍ୟୁରୋ : ଦେଶରେ ଅହେତୁକ ଭାବେ ବୃଦ୍ଧି ପାଉଥିବା ଦରଦାମକୁ ନେଇ ଜନତା ତ୍ରାହି ତ୍ରାହି ଡାକିଲେଣି । ଖାଦ୍ୟ ଠାରୁ ପରିବହନ, ସ୍ବାସ୍ଥ୍ୟରୁ ଶିକ୍ଷା ସବୁର ଦରଦାମ ଯେଭଳି ଭାବେ ବୃଦ୍ଧି ପାଇବାରେ ଲାଗିଛି ଲୋକେ ଭୟଭୀତ ହୋଇପଡିଛନ୍ତି । ଏହାକୁ ନେଇ ବିରୋଧୀଦଳଗୁଡିକ ଅନେକ ବର୍ଷ ଧରି ସରକାରଙ୍କୁ ପ୍ରଶ୍ନ କରିବା ସହ ସଂସଦରୁ ସଡ଼କ ବିକ୍ଷୋଭ ଜାରି ରଖିଛନ୍ତି । ହେଲେ ଦରବୃଦ୍ଧିକୁ ନେଇ ସରକାର କୌଣସି ପଦକ୍ଷେପ ନେଉ ନଥିଲେ । ଏହିପ୍ରସଙ୍ଗରେ ମଧ୍ୟ ବିଜେପିର ମୂଳ ସଂଗଠନ କୁହାଯାଉଥିବା ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗବତ କିଛିଦିନ ତଳେ ଏକ ସଭାରେ ଗୋଟିଏ ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ ରଖିଥିଲେ । ସେ କହିଥିଲେ କି, ଦେଶରେ ସ୍ବାସ୍ଥ୍ୟ ଓ ଶିକ୍ଷା ଏତେ ମହଙ୍ଗା ହୋଇଗଲାଣି କି, ସାଧାରଣ ଲୋକଙ୍କ ପାଇଁ ଏହା ଅପହଞ୍ଚ ହେବାକୁ ଯାଉଛି । ଏସବୁ ଭିତରେ ପ୍ରଧାନମନ୍ତ୍ରୀ ମୋଦୀ ୭୯ ତମ ସ୍ବାଧୀନତା ଦିବସ ଅବସରରେ ସାମଗ୍ରୀ ଓ ସେବା କର ବା ଜିଏସଟିରେ ସଂସ୍କାର ଅଣାଯିବ ବୋଲି ଘୋଷଣା କରିଛନ୍ତି । ଏଠାରେ କହିରଖୁ କି, ଏହି ଜିଏସଟି ସ୍ଲାବ ନିଜେ ମୋଦୀ ସରକାରଙ୍କ ଅର୍ଥମନ୍ତ୍ରଣାଳୟ ସ୍ଥିର କରିଥିଲେ । ଜିଏସଟି ଲାଗୁ ହେବା ପରେ ଦେଶରେ ପ୍ରତିଟି ସାମଗ୍ରୀର ମୂଲ୍ୟ ଆକାଶଛୁଆଁ ହୋଇଛି ।
ଜିଏସ୍ଟିରେ ସଂସ୍କାର ବା ପୁନର୍ଗଠନ ପରେ ୧୨ ପ୍ରତିଶତ ଟିକସ ବର୍ଗରେ ଥିବା ପ୍ରାୟ ୯୯ ପ୍ରତିଶତ ସାମଗ୍ରୀ ୫ ପ୍ରତିଶତ ବର୍ଗକୁ ପଳାଇବ। ସେହିପରି ୨୮ ପ୍ରତିଶତ ଟିକସ ବର୍ଗରେ ଥିବା ପ୍ରାୟ ୯୦ ପ୍ରତିଶତ ସାମଗ୍ରୀ ୧୮ ପ୍ରତିଶତ ବର୍ଗରେ ରହିବା ସାଧାରଣ ଲୋକମାନେ ବ୍ୟବହାର କରୁଥିବା ସାମଗ୍ରୀ ଏବଂ ଦୈନନ୍ଦିନ ବ୍ୟବହୃତସାମଗ୍ରୀକୁ ୫ ପ୍ରତିଶତ ଟିକସ ବର୍ଗରେ ରଖାଯିବାର ସମ୍ଭାବନା ରହିଛି। ୪୦ ପ୍ରତିଶତର ଉଚ୍ଚ ଜିଏସ୍ଟି ସ୍ଲାବ୍ରେ ତମାଖୁ ସମେତ ମୋଟ ୭ଟି ସାମଗ୍ରୀ ରହିବ।
ଦେଶରେ ୨୦୧୭ ଜୁଲାଇ ପହିଲାରେ ଜିଏସ୍ଟି ଲାଗୁ କରାଯାଇଥିଲା। ଜିଏସ୍ଟି ରାଜସ୍ବରେ ୧୮ ପ୍ରତିଶତର ଯୋଗଦାନ ସର୍ବାଧିକ ରହିଛି। ଏହି ସ୍ଲାବ୍ରୁ ପ୍ରାୟ ୬୫ ପ୍ରତିଶତ ରାଜସ୍ବ ଆସୁଛି। ହୀରା ଏବଂ ମୂଲ୍ୟବାନ ପ୍ରସ୍ତର ଭଳି ଶ୍ରମଭିତ୍ତିକ ଓ ରପ୍ତାନି ଉଦ୍ଦେଶ୍ୟରେ ପ୍ରସ୍ତୁତ ସାମଗ୍ରୀ ଉପରେ ବର୍ତ୍ତମାନର ଜିଏସ୍ଟି ହାର ଜାରି ରହିବା ଜିଏସ୍ଟିରେ ହେବାକୁ ଥିବା ପରିବର୍ତ୍ତନ ଫଳରେ ଲୋକଙ୍କ ବ୍ୟୟକୁ ପ୍ରୋତ୍ସାହନ ମିଳିବ ବୋଲି ଆଶା ରଖାଯାଇଛି। ଜିଏସ୍ଟି ହାରରେ ପରିବର୍ତ୍ତନ ଯୋଗୁ ଯେଉଁ ରାଜସ୍ୱ ହାନି ହେବ ତାହା ଲୋକଙ୍କ ବ୍ୟୟବୃଦ୍ଧି ଦ୍ବାରା ଭରଣା ହେବ।