କନକ ବ୍ୟୁରୋ :  ମରୁଡ଼ି ଆଶଙ୍କା କରି ମାଆ ସ୍ୱର୍ଗ ମାଉଳୀଙ୍କ ପାଖରେ ଚାଷୀଙ୍କ ଧାରଣା । ଡଙ୍ଗର ଯାତ୍ରା ପରେ ବର୍ଷା ହେବା  ନେଇ ପୂର୍ବରୁ ରହିଛି ବିଶ୍ବାସ । ବହୁ ଆବାହମାନ କାଳରୁ ରହି ଆସିଛି ଏହି ପରମ୍ପରା । ଯେଉଁ ବର୍ଷ ବର୍ଷା ନହୁଏ ଓ ଚାଷ କାର୍ଯ୍ୟରେ ବାଧା ସୃଷ୍ଟି ହୁଏ, ସେହି ସମୟରେ ସୁଉଚ୍ଚ ପାହାଡ଼ କୋଳରେ ଥିବା ମା’ ବାରୀ ଦାଇନିଙ୍କ ଠାରେ ଅଧିଆ ପଡ଼ି ପୂଜା କରିବାକୁ ପଡ଼େ। ଏ ବର୍ଷ କଳାହାଣ୍ଡି ଜିଲ୍ଲା କୋକସରାରେ ସେମିତି ପୂଜା କରାଯାଇଛି । କୋକସରା ବ୍ଲକ ମହିମା ଅଞ୍ଚଳର ବାରପାଳି ଗାଁର ପୂଜାରୀ ଓ ଗ୍ରାମବାସୀ ଏକତ୍ରିତ ହୋଇ ମା’ ସ୍ବର୍ଗ ମାଉଳୀଙ୍କ ପାଖରେ ତିନି ଦିନ ଧରି ଧାରଣା ଦେଇଥାନ୍ତି ।

Advertisment

ପରେ ସ୍ଥାନୀୟ ଡଙ୍ଗର ଉପରେ ଚଢ଼ି ହୋମଯଜ୍ଞ କରି ବର୍ଷା ପାଇଁ ଆହ୍ବାନ କରିଥାନ୍ତି । ମାଆ ସ୍ବର୍ଗ ମାଉଳୀ ଭକ୍ତଙ୍କ ଡାକ ଶୁଣି ବର୍ଷା କରାଇଥାନ୍ତି ବୋଲି ବିଶ୍ବାସ ରହିଆସିଛି । ଚଳିତ ବର୍ଷ ବର୍ଷାର ଲୁଚକାଳି ପାଇଁ ଚାଷ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । ଅଣଜଳସେଚିତ ଅଞ୍ଚଳରେ ଖରିଫ ଧାନ ଚାଷ ବିଶେଷ ପ୍ରଭାବିତ ହେଉଛି । ଧାନ ରୁଆ, ବେଉସଣରେ ସମସ୍ୟା ହେଉଛି । ତେଣୁ ମାଆଙ୍କ ପାଖରେ ଶରଣ ପଶିଛନ୍ତି ଚାଷୀ । ବର୍ଷା ହେବା ପାଇଁ ମାଆଙ୍କୁ ପଶୁ ବଳି ଦେବା ସହ ଡଙ୍ଗର ଉପରୁ ପାରା ଉଡ଼ାଇଛନ୍ତି । ମାଆ ସ୍ୱର୍ଗ ମାଉଳୀଙ୍କ ଆଶୀର୍ବାଦରୁ ପାରା ଉଡ଼ାଇବା ପରେ ବର୍ଷା ହୋଇଥାଏ ।