କନକ ବ୍ୟୁରୋ:  ଲାଲ୍ ଗଡ଼ରେ ବୁଡ଼ୁଛି ରକ୍ତିମ ସୂର୍ଯ୍ୟ । ଶେଷ ନିଶ୍ବାସ ନେଉଛି ନକ୍ସଲବାଦ । ଗତ କିଛି ଦିନ ଧରି ମହାରାଷ୍ଟ୍ର ଓ ଛତିଶଗଡ଼ରେ ମାଓବାଦୀଙ୍କ ଆତ୍ମସମର୍ପଣ ଧାରା ଜାରି ରହିଥିବା ବେଳେ, ଆଜି ବି ବନ୍ଧୁକ ଛାଡ଼ିବାକୁ ଇନ୍ଦ୍ରାବତୀ ଘାଟରେ ମେଳି ବାନ୍ଧିଛନ୍ତି ଶତାଧିକ ମାଓବାଦୀ । ସେପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅବୁଝମାଡ଼ ଓ ଉତ୍ତର ବସ୍ତରକୁ ନକ୍ସଲ ଆତଙ୍କ ମୁକ୍ତ ବୋଲି ଘୋଷଣା କରିଛନ୍ତି । 
 
ନିରବି ଯାଇଛି ବନ୍ଧୁକ, ନରମି ଯାଇଛି ଗୁଳି । ଦିଗହରା ଜଙ୍ଗଲରୁ ମୁକ୍ତିର ବାଟ ସାଉଁଟି ଆଗେଇ ଆସିଛନ୍ତି ଶହ ଶହ ମାଓବାଦୀ । ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଲଗାତାର ଚାଲିଛି ଆତ୍ମସମର୍ପଣର ଧାରା । ଆଜି ଭୂପତି ଗ୍ୟାଙ୍ଗ୍‌ର ୧୪୦ ମାଓବାଦୀ ଇନ୍ଦ୍ରାବତୀ ଘାଟରେ ଏକାଠି ହୋଇଥିବା ବେଳେ, ବନ୍ଧୁକ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି ଦଣ୍ଡକାରଣ୍ୟ ସ୍ପେଶାଲ୍ ଜୋନାଲ୍ କମିଟି ପ୍ରବକ୍ତା ରୂପେଶ। ସେପଟେ ଆଜି ଛତିଶଗଡ଼ରେ ୧୭୦ ନକ୍ସଲ୍ ଆତ୍ମସମର୍ପଣ କରିବା ଏକ ମାଇଲଖୁଣ୍ଟ ବୋଲି ପ୍ରକାଶ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଗତକାଲି ମହାରାଷ୍ଟ୍ରରେ ମାଓନେତା ବେଣୁଗୋପାଳଙ୍କ ସମେତ ୧୩୮ ନକ୍ସଲ୍ ଶସ୍ତ୍ର ଛାଡ଼ି ସମ୍ବିଧାନ ଧରିଥିଲେ । 

Advertisment

 
ମାଓ ଆତଙ୍କରୁ ମୁକ୍ତ ହୋଇଛି ଏକଦା ମାଓଗଡ଼ ଥିବା ଛତିଶଗଡ଼ର ଅବୁଝମାଡ଼ ଓ ଉତ୍ତର ବସ୍ତର । ଏହି ବଡ଼ ଘୋଷଣା କରିବା ସହ ଦକ୍ଷିଣ ବସ୍ତର ବି ଶୀଘ୍ର ମାଓମୁକ୍ତ ହେବ ବୋଲି ଘୋଷଣା କରିଛନ୍ତି ଶାହ । ସୂଚାଇଛନ୍ତି, ୨୦୨୪ ଜାନୁଆରି ପରଠୁ ଛତିଶଗଡ଼ରେ ବିଜେପି ସରକାର ଗଠନ ହେବା ପରେ, ୨୧ଶହ ନକ୍ସଲ୍ ଆତ୍ମସମର୍ପଣ କରିଛନ୍ତି, ୧୭ଶହ ୮୫ ଜଣଙ୍କୁ ଗିରଫ କରାଯାଇଛି ଏବଂ ୪୭୭ ଜଣଙ୍କୁ ନିପାତ କରାଯାଇଛି । ଶାହ ସଫା ସଫା ଲେଖିଛନ୍ତି- ବନ୍ଧୁକ ନଛାଡ଼ିଲେ ବିନାଶ ନିଶ୍ଚିତ । ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ନକ୍ସଲବାଦର ମୂଳପୋଛ ସଂକଳ୍ପକୁ ପୁଣି ଦୋହରାଇଛନ୍ତି ।