Photograph: (kanaknews)
କନକ ବ୍ୟୁରୋ : ଧର୍ମନଗରୀ ପ୍ରୟାଗରାଜର ପବିତ୍ର ତ୍ରିବେଣୀ ସଙ୍ଗମ କୂଳରେ ଆଜିଠାରୁ ବିଶ୍ୱପ୍ରସିଦ୍ଧ 'ମାଘ ମେଳା ୨୦୨୬' ଆରମ୍ଭ ହୋଇଛି। ଆଜି ପୌଷ ପୂର୍ଣ୍ଣିମାର ଶୁଭ ଅବସରରେ ହଜାର ହଜାର ଶ୍ରଦ୍ଧାଳୁ ଗଙ୍ଗା, ଯମୁନା ଏବଂ ସରସ୍ୱତୀଙ୍କ ମିଳନ ସ୍ଥଳରେ ଆସ୍ଥାର ବୁଡ଼ ପକାଇଛନ୍ତି ।
କୁହାଯାଏ ଯେ, ମାଘ ମାସରେ ପ୍ରୟାଗରାଜରେ ସ୍ନାନ ଏବଂ କଳ୍ପବାସ କରିବା ଦ୍ୱାରା ମନୁଷ୍ୟକୁ ମୋକ୍ଷ ପ୍ରାପ୍ତି ହୁଏ ଏବଂ ସମସ୍ତ ପାପରୁ ମୁକ୍ତି ମିଳିଥାଏ । ପୌଷ ପୂର୍ଣ୍ଣିମା ସହିତ ମାଘ ମେଳାରେ ଏକ ମାସ ଧରି ଚାଲିବାକୁ ଥିବା 'କଳ୍ପବାସ' ମଧ୍ୟ ଆରମ୍ଭ ହୋଇଯାଇଛି । ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳ୍ପବାସୀ ମାନେ ସଙ୍ଗମ କୂଳରେ ତମ୍ବୁ ଗାଡ଼ି ନିଜର ଆଧ୍ୟାତ୍ମିକ ସାଧନା ଆରମ୍ଭ କରିଛନ୍ତି । କଳ୍ପବାସ ସମୟରେ ଶ୍ରଦ୍ଧାଳୁମାନେ ସାତ୍ତ୍ୱିକ ଜୀବନଯାପନ କରନ୍ତି, ଦିନକୁ ଥରେ ମାତ୍ର ଭୋଜନ କରନ୍ତି ଏବଂ ଅଧିକାଂଶ ସମୟ ଭଗବାନଙ୍କ ନାମ ଜପ ଓ ଭଜନ କୀର୍ତ୍ତନରେ ଅତିବାହିତ କରନ୍ତି।
ଆଜି ପବିତ୍ର ପୌଷପୂର୍ଣ୍ଣିମା : ଜାଣନ୍ତୁ ଶୁଭ ମୁହୂର୍ତ୍ତ ଓ ପୂଜା ବିଧି
ଜାଣନ୍ତୁ ଗୁରୁତ୍ବପୂର୍ଣ୍ଣ ତାରିଖ ଯାହା ସ୍ନାନ କରିବାରେ ମୋକ୍ଷ୍ୟ ପ୍ରାପ୍ୟ ହୋଇଥାଏ ....
ଏହି ମେଳା ପ୍ରାୟ ଦେଢ଼ ମାସ ଧରି ଚାଲେ ଏବଂ ଏଥିରେ କେତେକ ବିଶେଷ ତିଥିରେ ସ୍ନାନ କରିବାର ବିଧି ରହିଛି । ଯଦି ଆପଣ ମଧ୍ୟ ଏହି ପବିତ୍ର ମେଳାରେ ଯୋଗଦେବାକୁ ଚାହୁଁଛନ୍ତି, ତେବେ ସ୍ନାନର ମୁଖ୍ୟ ତାରିଖଗୁଡ଼ିକ ଜାଣି ରଖନ୍ତୁ
୧. ପୌଷ ପୂର୍ଣ୍ଣିମା (୩ ଜାନୁଆରୀ ୨୦୨୬, ଶନିବାର): ଆଜିଠାରୁ ମେଳା ଏବଂ କଳ୍ପବାସର ଆନୁଷ୍ଠାନିକ ଶୁଭାରମ୍ଭ ହୋଇଛି।
୨. ମକର ସଂକ୍ରାନ୍ତି (୧୪/୧୫ ଜାନୁଆରୀ ୨୦୨୬): ଏହି ଦିନ ସୂର୍ଯ୍ୟ ଦେବ ମକର ରାଶିରେ ପ୍ରବେଶ କରନ୍ତି । ଏହି ଦିନର ସ୍ନାନ ଓ ଦାନ ଅତ୍ୟନ୍ତ ପୁଣ୍ୟଦାୟକ ବୋଲି ମାନାଯାଏ ।
୩. ମୌନୀ ଅମାବାସ୍ୟା (୧୯ ଜାନୁଆରୀ ୨୦୨୬, ସୋମବାର): ମାଘ ମେଳାର ସବୁଠାରୁ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ସ୍ନାନ ତିଥି। ଏହି ଦିନ ସର୍ବାଧିକ ଭକ୍ତଙ୍କ ସମାଗମ ହୋଇଥାଏ।
୪. ବସନ୍ତ ପଞ୍ଚମୀ (୨୨ ଜାନୁଆରୀ ୨୦୨୬, ଗୁରୁବାର): ଏହି ଦିନ ମା' ସରସ୍ୱତୀଙ୍କ ପୂଜା ସହ ସଙ୍ଗମରେ ଶାହୀ ସ୍ନାନର ପରମ୍ପରା ରହିଛି।
୫. ମାଘୀ ପୂର୍ଣ୍ଣିମା (୧ ଫେବୃଆରୀ ୨୦୨୬, ରବିବାର): ଏହି ଦିନ କଳ୍ପବାସୀଙ୍କ ଏକ ମାସର ସାଧନା ପୂର୍ଣ୍ଣ ହୁଏ ଏବଂ ସେମାନେ ନିଜ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରନ୍ତି।
୬. ମହା ଶିବରାତ୍ରି (୧୫ ଫେବୃଆରୀ ୨୦୨୬, ରବିବାର): ଏହା ମାଘ ମେଳାର ଶେଷ ପ୍ରମୁଖ ସ୍ନାନ। ଏହି ଦିନ ମହାଦେବଙ୍କ ଆଶୀର୍ବାଦ ନେଇ ମେଳା ସମାପ୍ତ ହୁଏ।
ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଉତ୍ତର ପ୍ରଦେଶ ସରକାର ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସୁରକ୍ଷା ପାଇଁ ହଜାର ହଜାର ପୋଲିସ କର୍ମଚାରୀ ନିୟୋଜିତ ହୋଇଥିବା ବେଳେ ସଙ୍ଗମ ଅଞ୍ଚଳକୁ ବିଭିନ୍ନ ସେକ୍ଟରରେ ବିଭକ୍ତ କରାଯାଇଛି । ପାନୀୟ ଜଳ, ସ୍ୱାସ୍ଥ୍ୟ ଶିବିର, ଶୌଚାଳୟ ଏବଂ ରାତିରେ ରହିବା ପାଇଁ ଆଶ୍ରୟ ସ୍ଥଳୀର ସୁବିଧା କରାଯାଇଛି। ପୁରାଣ ଅନୁସାରେ, ଗୋଟିଏ ବୁଡ଼ ପକାଇଲେ ଅଶ୍ୱମେଧ ଯଜ୍ଞର ଫଳ ମିଳିଥାଏ ବୋଲି ଭକ୍ତଙ୍କ ମଧ୍ୟରେ ଦୃଢ଼ ବିଶ୍ୱାସ ରହିଛି । ମାଘ ମେଳା କେବଳ ଏକ ଧାର୍ମିକ ସମାଗମ ନୁହେଁ, ବରଂ ଏହା ଭାରତୀୟ ସଂସ୍କୃତି, ଏକତା ଏବଂ ଭକ୍ତିର ଏକ ପ୍ରତୀକ ।
ବ୍ରହ୍ମ ମୁହୂର୍ତ୍ତରୁ ସଙ୍ଗମ ସମେତ ସମସ୍ତ ଘାଟରେ ଶ୍ରଦ୍ଧାଳୁମାନେ ସ୍ନାନ ଆରମ୍ଭ କରିଥିଲେ । ‘ହର ହର ଗଙ୍ଗେ’ ମନ୍ତ୍ର ପ୍ରତିଧ୍ୱନିତ ହୋଇଥିଲା । ଭକ୍ତ ଏବଂ ତୀର୍ଥଯାତ୍ରୀଙ୍କ ଧାରା ବୃଦ୍ଧି ପାଇବାରେ ଲାଗିଛି । ସମସ୍ତ ଇଚ୍ଛା ପୂରଣ ପାଇଁ ମାତା ଗଙ୍ଗାଙ୍କୁ ଭକ୍ତି, ଧ୍ୟାନ, ପୂଜା ଏବଂ ପ୍ରାର୍ଥନା ସହିତ ସ୍ନାନ କରାଯାଏ । ମାତା ଗଙ୍ଗା ମଧ୍ୟ ଏହି ଭକ୍ତିରେ ଆନନ୍ଦିତ । ଏହି କ୍ରମ ସାରା ଦିନ ଜାରି ରହିବ ...
Follow Us