କନକ ବ୍ୟୁରୋ: ରଙ୍ଗର ପର୍ବ ହୋଲିରେ ଚଳିତ ବର୍ଷ ରାଜଧାନୀରେ ରଙ୍ଗ ଖେଳ ଅପେକ୍ଷା ଆମିଷର କ୍ରେଜ୍ ଅଧିକ ଦେଖିବାକୁ ମିଳିଛି । ସହରର ଗଳିକନ୍ଦିରେ ରଙ୍ଗ ବଦଳରେ ମାଂସ ଓ ମାଛ ଦୋକାନରେ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା । ପରିସଂଖ୍ୟାନ ଅନୁଯାୟୀ, କେବଳ ହୋଲି ଅବସରରେ ଭୁବନେଶ୍ୱରରେ ପ୍ରାୟ ୮ କୋଟି ୪୧ ଲକ୍ଷ ୧୦ ହଜାର ୫୨୫ ଟଙ୍କାର ଆମିଷ କାରବାର ହୋଇଛି, ଯାହା ସାଧାରଣ ଛାଡ଼ଖାଇ ଦିନର ବ୍ୟବସାୟକୁ ମଧ୍ୟ ପଛରେ ପକାଇ ଦେଇଛି ।
ଖାସି ମାଂସ ବଜାରରେ ନିଆଁ
ଚଳିତ ବର୍ଷ ଖାସି ମାଂସ ଦର ଆକାଶଛୁଆଁ ହୋଇଥିଲେ ମଧ୍ୟ ଗ୍ରାହକଙ୍କ ଉତ୍ସାହ କମି ନଥିଲା । କେଜି ପ୍ରତି ୮୫୦ ରୁ ୯୦୦ ଟଙ୍କା ଦରରେ ପ୍ରାୟ ୬୦.୩ ଟନ (୬୩୦ କ୍ୱିଣ୍ଟାଲ) ଖାସି ମାଂସ ବିକ୍ରି ହୋଇଛି । କେବଳ ଖାସି ମାଂସରୁ ବ୍ୟବସାୟୀମାନେ ପ୍ରାୟ ୩ କୋଟି ୨ ଲକ୍ଷ ୪୦ ହଜାର ଟଙ୍କା ସଂଗ୍ରହ କରିଛନ୍ତି ।
କୁକୁଡ଼ା ମାଂସ ଓ ଅଣ୍ଡାର ଚାହିଦା
କୁକୁଡ଼ା ମାଂସ ବଜାରରେ ମଧ୍ୟ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା । ପ୍ରାୟ ୧୩୫ଟି ପିକଅପ୍ ଭ୍ୟାନରେ ୨୫୩.୧୩ ଟନ କୁକୁଡ଼ା ମାଂସ ଭୁବନେଶ୍ୱର ବଜାରକୁ ଆସିଥିଲା । ବ୍ରଏଲର ଠାରୁ ଆରମ୍ଭ କରି ଦେଶୀ ଓ ଅଷ୍ଟ୍ରେଲିଆ କୁକୁଡ଼ାର ସମୁଦାୟ କାରବାର ପ୍ରାୟ ୩ କୋଟି ୩୬ ଲକ୍ଷ ୬୫ ହଜାର ୬୨୫ ଟଙ୍କାରେ ପହଞ୍ଚିଛି । ସେହିପରି ୩୩୩୦ କାର୍ଟୁନ ଅଣ୍ଡା ବିକ୍ରି ହୋଇ ପ୍ରାୟ ୩୦ ଲକ୍ଷ ୯୬ ହଜାର ୯୦୦ ଟଙ୍କାର ବ୍ୟବସାୟ ହୋଇଛି।
ମାଛ ଓ ସାମୁଦ୍ରିକ ମାଛ
ମାଂସ ସାଙ୍ଗକୁ ମାଛ ବଜାର ମଧ୍ୟ ବେଶ୍ ସରଗରମ ଥିଲା । ରୋହି, ଭାକୁର ଠାରୁ ଆରମ୍ଭ କରି ଇଲିସି ଓ ଚିଙ୍ଗୁଡ଼ି ପର୍ଯ୍ୟନ୍ତ ସବୁଥିରେ ଗ୍ରାହକଙ୍କ ଭିଡ଼ ଥିଲା । ପ୍ରାୟ ୧୨୭.୪୦ ଟନ ମାଛ ବିକ୍ରି ହୋଇଥିବା ବେଳେ ଏହାର ମୂଲ୍ୟ ପ୍ରାୟ ୧ କୋଟି ୭୧ ଲକ୍ଷ ୮ ହଜାର ଟଙ୍କା ଆକଳନ କରାଯାଇଛି। ବିଶେଷ କରି ଜିଅନ୍ତା ମାଛ ଓ ବଡ଼ ଚିଙ୍ଗୁଡ଼ିର ଚାହିଦା ସର୍ବାଧିକ ରହିଥିଲା । ରାଜଧାନୀବାସୀଙ୍କ ଏହି ଆମିଷ ପ୍ରୀତି ଦେଖିଲେ ମନେ ହେଉଛି ଯେପରି ହୋଲି ରଙ୍ଗର ପର୍ବ ନୁହେଁ, ବରଂ ଏକ ବଡ଼ ଧରଣର "ଛାଡ଼ଖାଇ" ପର୍ବରେ ପରିଣତ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2026/03/04/323232-2026-03-04-22-25-33.jpg)