କନକ ବ୍ୟୁରୋ : ପରିସ୍ରା ଲାଗୁଥିବ କିନ୍ତୁ ରୋକିକରି ବସିଥିବେ ଏମିତି କେବେ ପରିସ୍ଥିତି ଉପୁଜିଛି କି ? ଏ ପ୍ରଶ୍ନରେ ବୋଧହୁଏ ଆପଣ ଭାବୁଥିବେ ଏ ତ ନିତିଦିନିଆ କଥା , କାମରେ ବ୍ୟସ୍ତ ରହିଗଲେ ବେଳେବେଳେ ବିଳମ୍ବ ହେଇଯାଏ । କର୍ମବ୍ୟସ୍ତତା ଯୋଗୁ ହେଉ କିମ୍ବା ଯାତ୍ରାକାଳରେ ସୁବିଧାର ଅଭାବ ହେଲେ ପରିସ୍ରା ରୋକିବା ଭଳି କାମ ପ୍ରାୟତଃ ସମସ୍ତେ କରନ୍ତି । କିନ୍ତୁ ଏହି ଛୋଟ କାମଟି ଯେ ଆପଣଙ୍କୁ କେତେ ବଡ଼ ଗମ୍ଭୀର ରୋଗ ଆଡ଼କୁ ଟାଣି ନେଉଛି କେବେ ଭାବିଛନ୍ତି କି? ଏଥିରେ ବ୍ଲାଡର୍ ଲିକେଜ୍ ସମସ୍ୟାରୁ ଆରମ୍ଭ କରି ସଂପୂର୍ଣ୍ଣ ଶରୀର ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ । ତେବେ ଆସନ୍ତୁ ଜାଣିବା ଅଧିକ ସମୟ ଧରି ପରିଶ୍ରା ରୋକିଲେ ସ୍ୱାସ୍ଥ୍ୟ ଉପରେ ଏହାର କ’ଣ ପ୍ରଭାବ ପଡ଼ିଥାଏ ।  

Advertisment
Infecao-Urinaria-Cistite
Infecao-Urinaria-Cistite Photograph: (Google)

ବର୍ତ୍ତମାନ ସମୟରେ ଉଭୟ ମହିଳା ଏବଂ ପୁରୁଷଙ୍କ କ୍ଷେତ୍ରରେ ଏକ ଗମ୍ଭୀର ସମସ୍ୟା ହେଉଛି ୟୁଟିଆଇ । ଯାହାକୁ ସାଧାରଣତଃ ୟୁରିନ୍ ଇନଫେକ୍ସନ୍ ବୋଲି କୁହାଯାଏ । ଅନେକ କାରଣରୁ ଏହି ସମସ୍ୟା ଦେଖାଯାଏ । କିନ୍ତୁ ଅଧିକ ସମୟ ଧରି ପରିସ୍ରା ରୋକିବା ଏହାର ଏକ ବଡ଼ କାରଣ ହୋଇଥାଏ । ପରିସ୍ରା ଆସୁଥିବା ସମୟରେ ଏହାକୁ ରୋକିଲେ ବ୍ୟାକ୍ଟେରିଆ ବଢ଼ିଥାଏ , ଯାହା ବ୍ଲାଡରର ଭିତର ପର୍ଯ୍ୟନ୍ତ ପହଂଚିଥାଏ । ସଂକ୍ରମଣ ବଢିବା ପରେ ଏହା ଅନେକ ଗମ୍ଭୀର ରୋଗକୁ ଜନ୍ମ ଦିଏ । ଏଭଳି ସ୍ଥିତିରେ ପରିସ୍ରା ଆସିବା ମାତ୍ରେ ଏହାକୁ ପାସ୍ କରନ୍ତୁ ନଚେତ୍ ୟୁଟିଆଇର ସମସ୍ୟା ଗମ୍ଭୀରତା ଆଡ଼କୁ ଗତି କରିବ । ପର୍ଯ୍ୟାପ୍ତ ମାତ୍ରାରେ ପାଣି ଏବଂ ତରଳ ପଦାର୍ଥ ପିଅନ୍ତୁ । 

ୟୁରିନ୍ ଲିକେଜ୍ ସମସ୍ୟା ସାଧାରଣତଃ ବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ ଦେଖାଯାଏ । ପରିସ୍ରା ଉପରେ ନିୟନ୍ତ୍ରଣ ନ ରଖିପାରି ଏଭଳି ସମସ୍ୟାର ସମ୍ମୁଖିନ ହୁଅନ୍ତି ବୟୋଜ୍ୟେଷ୍ଠ । କିନ୍ତୁ ଯଦି ଆପଣ ଅଧିକ ସମୟ ଧରି ପରିସ୍ରା ରୋକୁଛନ୍ତି ତାହେଲେ ଆପଣଙ୍କ ପେଲଭିକ୍ ଫ୍ଲୋର୍ ଏବଂ ବ୍ଲାଡର୍ ଦୁର୍ବଳ ହୋଇଯାଏ ଏବଂ କମ୍ ବୟସରୁ ହିଁ ୟୁରିନ୍ ଲିକେଜ୍ ସମସ୍ୟା ଦେଖାଯାଏ । ପରିସ୍ରାରେ ୟୁରିକ୍ ଏସିଡ୍ ଏବଂ କ୍ୟାଲସିୟମ୍ ଆକ୍ସଲେଟ୍ ନାମକ ମିନେରାଲ୍ ମହଜୁଦ୍ ଥାଏ । ଏହି ମିନେରାଲକୁ ଯଦି ଅଧିକ ସମୟ ଧରି ରୋକାଯାଏ ତା’ହେଲେ କିଡନି ଷ୍ଟୋନ୍ ସମସ୍ୟା ମଧ୍ୟ ହୋଇପାରେ । 

ଲଗାତାର ପରିସ୍ରା ରୋକିବା ଦ୍ୱାରା ବ୍ଲାଡରର ମାଂସପେଶୀ ଦୁର୍ବଳ ହେବା ସହ ଟାଣିଥାଏ । ଏହାଦ୍ୱାରା ସମୟ ବଢ଼ିଲେ ବ୍ଲାଡର୍ ଫାଟିବା ଭଳି ଗମ୍ଭୀର ସମସ୍ୟା ମଧ୍ୟ ଦେଖାଯାଏ । ପରିସ୍ରା ରୋକିବା ଦ୍ୱାରା କିଡନି ଉପରେ ଏହାର ପ୍ରେସର୍ ପଡ଼ିଥାଏ ଯାହା ଭବିଷ୍ୟତରେ କିଡନି ସମ୍ବନ୍ଧୀୟ ରୋଗକୁ ଜନ୍ମ ଦିଏ । ଏହାଛଡ଼ା ଲମ୍ବା ସମୟ ଧରି ପରିସ୍ରା ରୋକିବାର ଅଭ୍ୟାସ କିଡନି ଏବଂ ବ୍ଲାଡରରେ ପୀଡ଼ାର କାରଣ ପାଲଟିଥାଏ । ୟୁରିନରୀ ରିଟେସନ୍ ସମସ୍ୟା ଉତ୍ପନ୍ନ ହୋଇଥାଏ ଯାହାଦ୍ୱାରା ମୂତ୍ରାଶୟ ସଂପୂର୍ଣ୍ଣ ରୂପରେ ଖାଲି ହୋଇ ନ ପାରି ପରିସ୍ରା କଲାବେଳେ ଅସୁବିଧା ଉପୁଜିଥାଏ ।