କନକ ବ୍ୟୁରୋ: ଚୀନରେ ଆତଙ୍କ ଖେଳାଇଛି ଏଚଏମପିଭି ଭାଇରସ୍, ବଢିବାରେ ଲାଗିଛି ଶ୍ବାସକ୍ରିୟା ଜନିତ ଅସୁସ୍ଥତା । ତେବେ ଭାରତରେ ଏହି ଭାଇରସକୁ ନେଇ ଚିନ୍ତା କରିବାର କିଛି କାରଣ ନାହିଁ ବୋଲି କହିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ଶନିବାର ଏକ ବିବୃତି ଜାରି କରି ମନ୍ତ୍ରାଳୟ କହିଛି ଯେ ଚୀନରେ ଏହି ସ୍ଥିତି କିଛି ଅସାଧାରଣ ନୁହେଁ, ଭାରତ ଏହା ସଫଳ ମୁକାବିଲା ପାଇଁ ପ୍ରସ୍ତୁତ ରହିଛି । ଏଚଏମପିଭିର ସ୍ଥିତି ଆକଳନ ପାଇଁ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏକ ଜଏଣ୍ଟ ମନିଟରିଂ ଗ୍ରୁପ୍ ବୈଠକ କରିବାର ଗୋଟିଏ ଦିନ ପରେ ଏହି ବିବୃତ୍ତି ଜାରି କରାଯାଇଛି ।
କୌଣସି ବିପନ ସମ୍ପର୍କରେ ଅବଗତ ହେବାପାଇଁ ଅଧିକାରୀ ମାନେ ଲଗାତର ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଅପଡେଟ୍ ଆକଳନ କରୁଛନ୍ତି ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ସଂକ୍ରମଣର ମୁକାବିଲା ପାଇଁ ଗୁରୁତ୍ବପୂର୍ଣ୍ଣ ସୂଚନା ସମ୍ପର୍କରେ ଅବଗତ କରାଇବାକୁ 'ହୁ'କୁ ଅନୁରୋଧ କରାଯାଇଛି । ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ ଶ୍ବାସକ୍ରିୟାଜନିତ ସଂକ୍ରମଣ ବୃଦ୍ଧି ହୋଇନାହିଁ କି ଉକ୍ତ ମାମଲାରେ ହସ୍ପିଟାଲରେ ରୋଗୀକ ସଂଖ୍ୟା ମଧ୍ୟ ବଢିନାହିଁ । ଏଚଏମପିଭି ଭଳି ଭାଇରସ୍ ପୂର୍ବରୁ ମଧ୍ୟ ଦେଶରେ ବ୍ୟାପିସାରିଛି । ଏହାର ମୁକାବିଲା ପାଇଁ ଦେଶ ପ୍ରସ୍ତୁତ ରହିଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି ।