କନକ ବ୍ୟୁରୋ : ଭାରତରେ ପାଦ ଥାପିସାରିଛି ଚାଇନାର ଘାତକ ଭୂତାଣୁ । କାଲି କର୍ଣ୍ଣାଟକ, ଗୁଜରାଟ, ତାମିଲନାଡୁ ପରେ ଆଜି ମହାରାଷ୍ଟ୍ରର ଭାଇରସ ଚିହ୍ବଟ ହୋଇଛି । ଆସନ୍ତାକାଲିଠାରୁ ଓଡିଶାରେ ପ୍ରବାସୀ ଭାରତୀୟ ସମ୍ମିଳନୀ ଥିବାରୁ ସଂକ୍ରମଣର ଭୟ ବଢୁଛି । ହେଲେ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ସରକାର କହିଛନ୍ତି ।

Advertisment

ଦେଶର ବିଭିନ୍ନ ସହରରେ ଏଚ୍‌ଏମ୍‌ପି ଭାଇରସ୍‌ ଚିହ୍ନଟ ହେବା ପରେ ଭୟ ବଢୁଛି । ହେଲେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସେଭଳି କୌଣସି ନିର୍ଦ୍ଦେଶାବଳୀ ଜାରି କରାଯାଇ ନାହିଁ । କାରଣ ଏହା କୋଭିଡ ଭଳି ମାରାତ୍ମକ ନୁହେଁ ବୋଲି ସ୍ପଷ୍ଟ କରିସାରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ସେପଟେ କିନ୍ତୁ କାଲିଠାରୁ ଭୁବନେଶ୍ୱରରେ ଆରମ୍ଭ ହେଉଛି ପ୍ରବାସୀ ଭାରତୀୟ ସମ୍ମିଳନୀ । ହଜାର ହଜାର ପ୍ରବାସୀ, ଓଡ଼ିଶା ଆସୁଛନ୍ତି । ତେଣୁ ସଜାଗ ହୋଇ ରହିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଆଜି ଲୋକସେବା ଭବନରେ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ନୂଆ ଭାଇରସର ମୁକାବିଲା ପାଇଁ ସ୍ୱତନ୍ତ୍ର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଥିବାବେଳେ, ଲୋକଙ୍କୁ ଭୟଭିତ ନହେବା ପାଇଁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।

ଆସୁଛନ୍ତି ପ୍ରବାସୀ, ସରକାର ସଜାଗ
- ପ୍ରବାସୀଙ୍କଠାରେ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଲେ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯିବ
- ଜରୁରୀ ପରିସ୍ଥିତିରେ ପହଞ୍ଚାଇବା ପାଇଁ ହସ୍ପିଟାଲଗୁଡ଼ିକୁ ପ୍ରସ୍ତୁତ ରଖାଯାଇଛି 
- ଏଥିପାଇଁ କୋଅର୍ଡିନେଟିଙ୍ଗ ଅଫିସରଙ୍କୁ ନିଯୁକ୍ତ କରାଯିବ
- ବିଭାଗୀୟ ଅଧିକାରୀଙ୍କ ସହ ବୈଠକ ପରେ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । ତଥାପି ରାଜ୍ୟ ସରକାର ପ୍ରସ୍ତୁତ ଥିବା ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି । ଥଣ୍ଡା, କାଶ ହେଲେ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି । ନମୂନା ପରୀକ୍ଷା ପାଇଁ ଆଇସିଏମଆର, ଆଇଏଲଏସ ଓ ଏମ୍ସକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଅନ୍ୟ ରାଜ୍ୟରେ ଏଚ୍‌ଏମ୍‌ପିଭି ଆକ୍ରାନ୍ତ ଚିହ୍ନଟ ହେବା ପରେ, ସେମାନେ ଗାଇଡଲାଇନ ଜାରି କରିଛନ୍ତି । କନ୍ତୁ ଭାରତ ସରକାର ଯେଉଁ ନିର୍ଦ୍ଦେଶନାମା ଜାରି କରିବେ ତାକୁ ରାଜ୍ୟ ମାନିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ଏଚ୍‌ଏମ୍‌ପି ଭୂତାଣୁକୁ ନେଇ ସତର୍କ ରହିବାକୁ କେନ୍ଦ୍ରସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି । ସଂକ୍ରମିତଙ୍କ ପାଖରେ ଜ୍ୱର, ଥଣ୍ଡା, କାଶ ଓ ଶ୍ୱାସକ୍ରିୟାରେ ସମସ୍ୟା ଭଳି ଲକ୍ଷଣ ଦେଖାଦେଉଛି । ସଂକ୍ରମିତ ବ୍ୟକ୍ତି ଭିଡ଼ଠୁ ଦୂରେଇ ରହିବା ପାଇଁ ପରାମର୍ଶ ଦିଆଯାଇଛି ।