କନକ ବ୍ୟୁରୋ : ନମସ୍କାର, ମୋର ପ୍ରିୟ ଦେଶବାସୀ ! କି ଆନନ୍ଦଦାୟୀ ଯାତ୍ରା ! ଭାରତ ୪୧ ବର୍ଷ ପରେ ପୁଣିଥରେ ମହାକାଶକୁ ଫେରିଛି । ଆମେ ସେକେଣ୍ଡ୍ ପ୍ରତି ୭.୫ କିଲୋମିଟର ବେଗରେ ପୃଥିବୀ ଚାରିପାଖରେ ଘୁରୁଛି । ମୋ କାନ୍ଧରେ ତ୍ରିରଙ୍ଗା ରହିଛି, ଯାହା ମତେ କହୁଛି ଯେ ମୁଁ ଏକା ନୁହେଁ ଆପଣ ସମସ୍ତେ ମୋ ସହିତ ଅଛନ୍ତି । ମୋର ଏହି ଯାତ୍ରା ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍ ପାଇଁ ନୁହେଁ, ବରଂ ଭାରତର ମାନବ ମହାକାଶ କାର୍ଯ୍ୟକ୍ରମ ପାଇଁ... ଜୟ ହିନ୍ଦ୍, ଜୟ ଭାରତ... ଏହା ଥିଲା ଶୁଭାଂଶୁଙ୍କ ବାର୍ତ୍ତା ,ସଫଳ ଉତକ୍ଷେପଣ ପରେ ଯାତ୍ରା ମଝିରୁ ଭାରତ ପାଇଁ ବାର୍ତ୍ତା ଦେଇଛନ୍ତି ।
ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳା ମହାକାଶକୁ ଯାତ୍ରା କରି ଇତିହାସ ରଚିଛନ୍ତି । ୧୯୮୪ରେ ରାକେଶ ଶର୍ମାଙ୍କ ପରେ ଶୁଭାଂଶୁ ଦ୍ୱିତୀୟ ଭାରତୀୟ ଭାବେ ଅନ୍ତରୀକ୍ଷକୁ ଯାଇଛନ୍ତି ଏବଂ ପ୍ରଥମ ଭାରତୀୟ ଭାବେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ପହଞ୍ଚିବେ । ନାସାର କେନେଡି ସ୍ପେସ୍ ସେଣ୍ଟରରୁ ସ୍ପେସଏକ୍ସର ଫାଲକନ ୯ ରକେଟ୍ ମାଧ୍ୟମରେ ଆକ୍ସିଓମ-୪ ମିଶନରେ ଯାତ୍ରା ଆରମ୍ଭ କରିଛନ୍ତି । ଏହି ମିଶନରେ ଶୁଭାଂଶୁ ପାଇଲଟ୍ ଭାବେ ଦାୟିତ୍ୱ ନେଇଛନ୍ତି, ଯେଉଁଥିରେ ଆମେରିକାର ପେଗୀ ହ୍ୱିଟସନ୍ କମାଣ୍ଡର ଅଛନ୍ତି । ୧୪ ଦିନିଆ ଏହି ମିଶନରେ ଶୁଭାଂଶୁ ୬୦ଟି ବୈଜ୍ଞାନିକ ପରୀକ୍ଷା କରିବେ, ଯେଉଁଥିରୁ ୭ଟି ଭାରତୀୟ ଗବେଷକଙ୍କ ଦ୍ୱାରା ପ୍ରସ୍ତାବିତ । ସୂଚନା ଅନୁସାରେ ଡକିଂ ଗୁରୁବାର ଭାରତୀୟ ସମୟ ଅପରାହ୍ନ ୪ଟା୩୦ ରେ ହେବ । ପ୍ରଧାନମନ୍ତ୍ରୀ ମୋଦୀ ଏହି ସଫଳତା ପାଇଁ ଶୁଭାଂଶୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଯାହା ଭାରତର ଗଗନୟାନ ମିଶନ ପାଇଁ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ । ଏହି ଐତିହାସିକ ଯାତ୍ରା ସହିତ, ଶୁଭାଂଶୁ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଯାତ୍ରା ଆରମ୍ଭ କରିଛନ୍ତି ଏବଂ ଆଇଏସଏସରେ ପହଞ୍ଚିବାରେ ପ୍ରଥମ ଭାରତୀୟ ହେବେ । ଏପର୍ଯ୍ୟନ୍ତ ରକେଟର ସମସ୍ତ ପର୍ଯ୍ୟାୟ ସଫଳ ହୋଇଛି ଏବଂ କ୍ରୁ କ୍ୟାପସୁଲ କକ୍ଷପଥରେ ପ୍ରବେଶ କରିଛି । ଆକ୍ସିଅମ୍-୪ ମିଶନରେ ସାମିଲ ଥିବା ତିନି ଦେଶ, ଭାରତ, ପୋଲାଣ୍ଡ ଏବଂ ହଙ୍ଗେରି, ସେମାନଙ୍କର ନିଜ ନିଜ ମହାକାଶଚାରୀଙ୍କ ଖର୍ଚ୍ଚ ନିଜେ ବହନ କରିଛନ୍ତି । ଭାରତୀୟ ବାୟୁସେନା ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ମହାକାଶ ଯାତ୍ରା ଉପରେ ଟ୍ୱିଟ୍ କରି କହିଛି, ଏହି ମିସନ୍ କେବଳ ଏକ ଉଡ଼ାଣ ନୁହେଁ, ବରଂ ଭାରତର ଆତ୍ମବିଶ୍ୱାସ ଏବଂ ସାହସର ପ୍ରତୀକ ।
ଶୁଭାଂଶୁଙ୍କ କ୍ୟାରିୟର
ଶୁଭାଂଶୁ ଶୁକ୍ଳାଙ୍କ ଘର ଲକ୍ଷ୍ନୌ
ଦ୍ବାଦଶ ପଢ଼ା ପରେ ଏନଡିଏରେ ଯୋଗଦାନ
୧୬ ବର୍ଷରେ ନ୍ୟାସନାଲ୍ ଡିଫେନ୍ସ ଏକାଡେମିରେ ଚୟନ
୨୦୦୬ରେ ହେଲେ ଇଣ୍ଡିଆନ୍ ଏୟାରଫୋର୍ସରେ ପାଇଲଟ୍
ମାତ୍ର ୩ ବର୍ଷରେ ବନିଗଲେ ୱିଙ୍ଗ୍ କମାଣ୍ଡର
ତା’ପରେ ମିଳିଲା କ୍ୟାପଟେନ୍ ପଦ
୨୦୨୪ରେ ମିଳିଲା ଗ୍ରୁପ୍ କ୍ୟାପଟେନ୍ ଦାୟିତ୍ବ
୨୦୦୦ ଘଣ୍ଟା ବିମାନ ଉଡ଼ାଇଛନ୍ତି ଶୁଭାଂଶୁ
ପୁଅର ସଫଳତାରେ ବାପା ମାଁଙ୍କ ଆଖିରୁ ଖୁସିର ଲୁହ ଝରିଛି । ମହାକାଶ ଯାତ୍ରାର ସିଧାପ୍ରସାରଣ ଦେଖୁଥିବା ବେଳେ ଶୁଭାଂଶୁଙ୍କ ବାପାମାଆଙ୍କୁ ଲକ୍ଷ୍ନୌରେ ସ୍ବତନ୍ତ କାର୍ଯ୍ୟକ୍ରମରେ ଅତିଥି କରି ଡକାଯାଇ ଭବ୍ୟ ଆତିଥ୍ୟତା ଦିଆଯାଇଛି ଯାହା ବାପାମାଆଙ୍କୁ ଖୁସି ଦେଇଛି । ପୂର୍ବରୁ ୫ ଥର ମିଶନ ବାତିଲ କରାଯାଇଥିଲା । କେବେ ଯାନ୍ତ୍ରିକ ତ୍ରୁଟି ତ ପୁଣି କେବେ ଖରାପ ପାଣିପାଗ ପାଇଁ ମିଶନକୁ ବାତିଲ କରାଯାଇଥିଲା ।