କନକ ବ୍ୟୁରୋ: ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା, ଆଜି ଆସିବ ଐତିହାସିକ ରାୟ । ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ ସଜା ଶୁଣାଇବେ କୋର୍ଟ । ମାମଲାର ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ରାୟ ଶୁଣାଇବେ ପାଟଣାଗଡ଼ ଏଡିଜେ କୋର୍ଟ । ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ କ’ଣ ଦଣ୍ଡ ମିଳିବ ତାହା ଉପରେ ରହିଛି ରାଜ୍ୟବାସୀଙ୍କ ନଜର । ବିସ୍ଫୋରଣରେ ପ୍ରାଣ ହରାଇଥିବା ସୌମ୍ୟ ଶେଖରଙ୍କ ପରିବାର ନ୍ୟାୟ ଅପେକ୍ଷାରେ । କୋର୍ଟ ତାଙ୍କ ପୁଅ ଓ ପରିବାର ପ୍ରତି ନ୍ୟାୟ ପ୍ରଦାନ କରିବା ନେଇ ଆଶାବାଦୀ ଅଛନ୍ତି ସୌମ୍ୟଶେଖରଙ୍କ ବାପା ଓ ମା’।
ଅଭିଯୁକ୍ତ ପୁଞ୍ଜିଲାଲଙ୍କୁ ଫାଶୀ ଦେବାକୁ ଦାବି କରିଛନ୍ତି ସୌମ୍ୟ ଶେଖରଙ୍କ ପରିବାର । ୨୦୧୮ ଫେବୃଆରି ୨୩ ତାରିଖରେ ପାଟଣାଗଡ଼ ଅଧ୍ୟାପକ ରବୀନ୍ଦ୍ର ସାହୁଙ୍କ ପୁଅ ବାହାଘରକୁ ଉପହାର ଆକାରରେ ଆସିଥିବା ପାର୍ସଲ ବୋମା ବିସ୍ଫୋରଣରେ ସୌମ୍ୟଶେଖର ଓ ତାଙ୍କ ସମ୍ପର୍କୀୟ ଜେଜେମା’ଙ୍କର ମୃତ୍ୟୁ ଘଟିଥିଲା । ଏଥିରେ ସୌମ୍ୟ ଶେଖରଙ୍କ ସ୍ତ୍ରୀ ରିମାରାଣୀ ଗୁରୁତର ହୋଇଥିଲେ । ପାର୍ସଲ ବୋମା ପଠାଇଥିବା ଅଭିଯୋଗରେ କ୍ରାଇମବ୍ରାଞ୍ଚ ପୁଞ୍ଜିଲାଲ ମେହେରଙ୍କୁ ଗିରଫ କରିଥିଲା । ସେପଟେ ରାୟ ଆସିବା ପୂର୍ବରୁ ଅଭିଯୁକ୍ତ ପୁଞ୍ଜିଲାଲର ଓକିଲ ଦେଇଛନ୍ତି ବଡ଼ ବୟାନ । କହିଛନ୍ତି, ମାମଲାର କୌଣସି ପ୍ରତ୍ୟକ୍ଷଦର୍ଶୀ ନାହାନ୍ତି । ଆଇନ ଅନୁସାରେ କ୍ରାଇମବ୍ରାଞ୍ଚ ତଦନ୍ତ କରିନାହିଁ ।