କନକ ବ୍ୟୁରୋ : ଅଗ୍ନି ପ୍ରାଇମ୍ କ୍ଷେପଣାସ୍ତ୍ରର ବିଶେଷତ୍ୱ ହେଲା ଏହା ଟ୍ରେନ ଉପରୁ ଉତକ୍ଷେପଣ କରାଯାଇପାରିବ । ଆଣବିକ କ୍ଷମତା ସମ୍ପନ୍ନ ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦୀ କ୍ଷମତା ୨୦୦୦ କିଲୋମିଟର ରହିଛି । ଏହାକୁ ଅତି କମ୍ ସମୟ ମଧ୍ୟରେ ଦେଶର ଯେକୌଣସି ସୀମାକୁ ସହଜରେ ରେଳ ଯୋଗେ ପରିବହନ କରାଯାଇପାରିବ । ଅଗ୍ନି ପ୍ରାଇମ୍ କ୍ଷେପଣାସ୍ତ୍ରକୁ ରାଡାର ଧରି ପାରିବ ନାହିଁ । ଏହା ରାଡାରକୁ ଏଡ଼ାଇ ଯିବାରେ ସକ୍ଷମ । ଏହି କ୍ଷେପଣାସ୍ତ୍ରର ଆହୁରି ଅନେକ ବିଶେଷତ୍ୱ ରହିଛି । ଅଗ୍ନି ପ୍ରାଇମ୍ କ୍ଷେପଣାସ୍ତ୍ର ଶତ୍ରୁ ଲକ୍ଷ୍ୟସ୍ଥଳକୁ ସଠିକ ଭାବରେ ଟାର୍ଗେଟ୍ କରିପାରିବ । ଏହାର ନାଭିଗେସନ ସିଷ୍ଟମ ଅତ୍ୟନ୍ତ ଉନ୍ନତ । ରୁଷ, ଆମେରିକା ଓ ଚୀନ ପରେ ଭାରତ ଏହି ସଫଳତା ଲାଭ କରିଛି । ଏଥିପାଇଁ ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ- ଡିଆରଡିଓକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅଭନନ୍ଦନ ଜଣାଇଛନ୍ତି । ପୂର୍ବରୁ ଭାରତ ସ୍ଥଳ ଭାଗରେ ଥିବା ଲଞ୍ଚ୍ ପ୍ୟାଡ୍, ବୁଡ଼ା ଜାହାଜ ଓ ଉଡ଼ା ଜାହାଜରୁ ଅନେକ କ୍ଷେପଣାସ୍ତ୍ର ପରୀକ୍ଷା କରି ସଫଳତା ହାସଲ କରିଛି । ତେବେ ଟ୍ରେନରୁ କ୍ଷେପଣାସ୍ତ୍ର ପରୀକ୍ଷା କରି ସଫଳତା ପାଇବା ପ୍ରଥମ ଘଟଣା । ଅଗ୍ନି ପ୍ରାଇମକୁ ଅଗ୍ନି-ପି ମଧ୍ୟ କୁହାଯାଉଛି । ଏହା ଅଗ୍ନି କ୍ଷେପଣାସ୍ତ୍ର ସିରିଜରେ ଷଷ୍ଠ କ୍ଷେପଣାସ୍ତ୍ର । ପୂରା ପାକିସ୍ତାନ ସମେତ ଚୀନର ବହୁ ଅଞ୍ଚଳକୁ ଏହା ଲକ୍ଷ୍ୟଭେଦ କରିପାରିବ । ଏହାକୁ ଉତକ୍ଷେପଣ କରିବା ପାଇଁ ଅତି କମ୍ ସମୟ ଲାଗିବ । ଭାରତର ରେଳ ନେଟୱର୍କ ବିଶ୍ୱରେ ଚତୁର୍ଥ । ଦେଶରେ ୭୦ ହଜାର କିଲୋମିଟରରୁ ଅଧିକ ରେଳପଥ ରହିଛି । ଅଗ୍ନି ପ୍ରାଇମ୍ କ୍ଷେପଣାସ୍ତ୍ରକୁ ଦେଶର ଯେକୌଣସି ସ୍ଥାନକୁ ନେଇ ଉତକ୍ଷେପଣ କରିହେବ । ଅଗ୍ନି ପ୍ରାଇମର ସଫଳ ପରୀକ୍ଷା ଦ୍ୱାରା ଦେଶର ପ୍ରତିରକ୍ଷା କ୍ଷେତ୍ରରେ ଆଉ ଏକ ବଡ଼ ମାଇଲଖୁଣ୍ଟ ପ୍ରତିଷ୍ଠା ହୋଇଛି ।
ସେପଟେ ଭାରତୀୟ ବାୟୁସେନା ପାଇଁ ୯୭ଟି ଲାଇଟ୍ କମ୍ବାଟ୍ ଏୟାକ୍ରାଫ୍ଟ ତେଜସ୍ ମାର୍କ୍-ୱାନ-ଏ ଯୁଦ୍ଧବିମାନ କିଣାଯିବ । ଏଥିପାଇଁ ଆଜି ହିନ୍ଦୁସ୍ତାନ୍ ଏରୋନେଟିକ୍ସ୍ ଲିମିଟେଡ୍ ବା ହାଲ୍ ସହ ପ୍ରତିରକ୍ଷା ମନ୍ତ୍ରାଳୟର ଚୁକ୍ତି ସ୍ବାକ୍ଷର ହୋଇଛି । ୬୨ ହଜାର ୩୭୦ କୋଟି ଟଙ୍କାରେ ଏହି ବିମାନ ପାଇଁ ହାଲ୍ ସହ ଯୁକ୍ତି କରିଛି ପ୍ରତିରକ୍ଷା ମନ୍ତ୍ରାଳୟ । ଏହି ଚୁକ୍ତି ଭାରତୀୟ ପ୍ରତିରକ୍ଷା ଉଦ୍ୟୋଗରେ ଏକ ଐତିହାସିକ ନିଷ୍ପତ୍ତି । ଏହି ଡିଲ୍ ସହିତ ଭାରତୀୟ ବାୟୁସେନାର ତେଜସ୍ ବିମାନ ସଂଖ୍ୟା ୧୮୦ରୁ ଅଧିକ ହୋଇଯିବ । ଯାହା ଦେଶର ସ୍ୱଦେଶୀ ପ୍ରତିରକ୍ଷା କ୍ଷେତ୍ର ଉତ୍ପାଦନ କ୍ଷେତ୍ରରେ ବଡ଼ ସଫଳତା । ପୂର୍ବରୁ ୨୦୨୧ରେ ୮୩ଟି ବିମାନ ପାଇଁ ୪୬ ହଜାର ୮୯୮ କୋଟି ଟଙ୍କାର ଚୁକ୍ତି ହୋଇଥିଲା । ତେଜସ୍ ବିମାନଗୁଡ଼ିକରେ ଅତ୍ୟାଧୁନିକ ରାଡାର୍, ଆବଶ୍ୟକ ଅସ୍ତ୍ର ଏବଂ ସ୍ୱୟଂଚାଳିତ ପ୍ରଣାଳୀ ରହିବ। ଯାହା ଯୁଦ୍ଧରେ ଭାରତକୁ ବେଶ୍ ସହାୟକ ହେବ ।