କନକ ବ୍ୟୁରୋ : ପ୍ରାଚୀ ବିରୋଧରେ ଭୀଷଣ ଷଡ୍‌ଯନ୍ତ୍ର ଚାଲିଛି । କିଏ ଜବରଦଖଲ କଲାଣି, ଆଉ କିଏ ଏହାକୁ ପୋତିଦେଇ ଘର କରିସାରିଲେଣି । ଏପଟେ ଐତିହାସିକ ପ୍ରାଚୀ ସଭ୍ୟତାର ସୁରକ୍ଷା ନେଇ ଜନଆନ୍ଦୋଳନ ମୁଣ୍ଡ ଟେକୁଛି । ଐତିହାସିକ, ଗବେଷକ ଓ ସାଧୁସନ୍ଥ ଏହି ନଦୀର ପୁନରୁଦ୍ଧାର ପାଇଁ ଦାବି ଜୋର କଲେଣି । ଏ ଭିତରେ ପ୍ରସଙ୍ଗଟି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ପହଞ୍ଚିଛି ।

Advertisment

ପ୍ରାଚୀ ସଭ୍ୟତାରୁ ହିଁ ପ୍ରାଚୀ ନଦୀର ପରିଚୟ । ଏହି ନଦୀ ସହିତ ଓଡ଼ିଶା ଇତିହାସର ଅନେକ ରହସ୍ୟ ଯୋଡି ହୋଇରହିଛି । କିନ୍ତୁ ଏହି ନଦୀ ମୃତ୍ୟୁମୁଖକୁ ଠେଲି ହୋଇଗଲାଣି । ଏକଦା ୭୮ କିଲୋମିଟର ଦୀର୍ଘ ଏହି ନଦୀ ଧୀରେ ଧୀରେ ସଙ୍କୁଚିତ ହୋଇ ୫୪ କିଲୋମିଟରରେ ସୀମିତ ରହିଛି । ୧୦୦ଟି ଘାଟ ଏବେ କମିଯାଇ ୫୦ରେ ପହଞ୍ଚିଲାଣି । ନଦୀତଟରେ ଥିବା ମଠ ସଂଖ୍ୟା ୧୭୫ରୁ କମି ଏବେ ୬୦ରେ ପହଞ୍ଚିଛି ।

ସିଂହଭାଗ ମଠ ଏବେ ସମ୍ପୂର୍ଣ୍ଣ ଜରାଜୀର୍ଣ୍ଣ ଅବସ୍ଥାରେ । କିଛି କୀର୍ତ୍ତିରାଜି ଚୋରି ହୋଇଗଲାଣି, କିଛି ପୋତି ହେଲାଣି । ନଦୀପେଟରେ ଲୋକେ ଘର କଲେଣି । ନଦୀ ଜବରଦଖଲରେ । ନଦୀ ଏବେ ଆବର୍ଜନା ଓ ଦଳରେ ପରିପୂର୍ଣ୍ଣ । ତେବେ ଚାରିଆଡୁ ଦାବି ପରେ ଖୋର୍ଦ୍ଧା, ପୁରୀ ଓ କଟକ ଜିଲ୍ଲା ଦେଇ ବହିଯାଇଥିବା ଏହି ନଦୀର ପୁନରୁଦ୍ଧାର ଚିନ୍ତା ପଶିଛି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି ନଦୀ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ି ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ।

ଐତିହାସିକ କିନ୍ତୁ ଆଉ ପାଦେ ଆଗକୁ ଯାଇ କହିଛନ୍ତି ଯେ ସର୍ବପୁରାତନ ପ୍ରାଚୀ ସଭ୍ୟତାର ସୁରକ୍ଷା ଜରୁରୀ । ଓଡ଼ିଶାରେ ରେଖା, ପିଢ଼ା ଓ ଖାଖରା ଭଳି ତିନି ପ୍ରକାର ମନ୍ଦିର ଦେଖାଯାଏ । ଏସବୁ କେବଳ ପ୍ରାଚୀ ସଭ୍ୟତାରେ ହିଁ ଏକାସହିତ ରହିଛି । ଜୈନ, ବୌଦ୍ଧ, ଶୈବ, ଶାକ୍ତ ଓ ବୈଷ୍ଣବ ମନ୍ଦିର ବି ଏଠାରେ ରହିଛି । ସଭ୍ୟତାର ସୁରକ୍ଷା ହେଲେ, ପ୍ରାଚୀ ସମ୍ଭବତଃ ବିଶ୍ୱର ସବୁଠୁ ଅଗ୍ରଣୀ ପର୍ଯ୍ୟଟନ ଓ ଧାର୍ମିକ ସମ୍ଭାବନା ହେବ ବୋଲି ମତ ରଖିଛନ୍ତି ଐତିହ୍ୟ ଗବେଷକ ।

ପ୍ରାଥମିକ ସ୍ତରରେ ଏହାକୁ ନେଇ ଚିନ୍ତା କରିଛନ୍ତି ସରକାର । ତେବେ ଏହାର ବାସ୍ତବ ପୁନଃଉଦ୍ଧାର କାର୍ଯ୍ୟ କେବେ କରାଯାଉଛି ଓ କେଉଁ ଦିଗ ଉପରେ ବିଶେଷ ଧ୍ୟାନ ଦିଆଯାଉଛି ତାହା ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।