କନକ ବ୍ୟୁରୋ: ଛୁକ ଛୁକ ଶବ୍ଦ କରି ଆଗକୁ ବଢ଼ିବ ଟ୍ରେନ୍‌ । ପାହାଡ଼ର ଛାତି ଚିରି ନିର୍ମାଣ ହୋଇଛି ବ୍ରିଜ୍‌ । ଘଞ୍ଚ ଜଙ୍ଗଲ…ଯୁଆଡ଼େ ଚାହିବେ ସିଆଡେ କେବଳ ପାହାଡ଼ । କାରଣ ଭାରତ ଇତିହାସରେ ଲେଖାହେବାକୁ ଯାଉଛି ନୂଆ ଇତିହାସ । ଦିନେ ଯେଉଁ ରାଜ୍ୟକୁ ଟ୍ରେନ୍‌ ପହଞ୍ଚିପାରିନଥିଲା ଆଜି ସେଇଠିକୁ ଟ୍ରେନ୍‌ ପହଞ୍ଚିଛି । ପ୍ରକଳ୍ପ କାମ ଶେଷ ପର୍ଯ୍ୟାୟରେ ଅଛି । ଏବେ କେବଳ ଅପେକ୍ଷା ସେହି ମୁହୂର୍ତ୍ତକୁ…ଯେବେ ମୋଦୀ ମିଜେରାମର ରାଜଧାନୀ ଆଇଜଲ୍‌କୁ ଟ୍ରେନ୍‌ ପ୍ରକଳ୍ପର କରିବେ ଶୁଭାରମ୍ଭ ।

ଆଇଜଲ୍‌ରେ ଚାଲିବ ଟ୍ରେନ୍‌
୫୧.୩୮ କିଲୋମିଟର ରାସ୍ତା 
୪୮ ଟନେଲ୍‌, ୫୫ ବଡ଼ ବ୍ରିଜ୍‌

Advertisment

ଘନଅନ୍ଧାର । ପାହାଡ ଉପରୁ ଛିଡ଼ା ହୋଇ ତଳକୁ ଚାହିଲେ ସତେ ଯେମିତି ଲାଇଟ୍‌ ଗୁଡ଼ିକ ତାରା ପରି ଦେଖାଯାଉଛି । ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ହେଉଛି ମିଜୋରାମ୍ । ପ୍ରକୃତି ଏ ରାଜ୍ୟକୁ ବହୁତ କିଛି ଦେଇଛି । ପର୍ଯ୍ୟଟନସ୍ଥଳୀ ବି ରହିଛି । ହେଲେ ଗମନାଗମନର ସୁବିଧା ନଥିବାରୁ ପର୍ଯ୍ୟଟନ ମୁହଁ ଫେରାଇ ନେଉଛନ୍ତି । କିନ୍ତୁ ଏବେ ସେମିତି ଆଉ ହେବନି । କାରଣ ମିଜେରାମ୍‌କୁ ଗଡ଼ିବ ରେଳ । 

ଟନେଲ୍‌ ଭିତରେ ଗଡ଼ିବ ଟ୍ରେନ୍‌ । ପାହାଡ଼ିଆ ରାସ୍ତା ହୋଇଥିବାରୁ ଟନେଲ୍‌ ନିର୍ମାଣ କରାଯାଇଛି । ଆଉ ଏହି ଟନେଲ୍‌ ଭିତରେ ଆରାମରେ ଯାତ୍ରା କରିବ ଟ୍ରେନ୍‌ । ଦର୍ଶକବନ୍ଧୁ ଥରେ ଚିନ୍ତା କରନ୍ତୁ ଯେଉଁ ରାସ୍ତାରେ ମଣିଷ ଯିବା କଷ୍ଟକର ହୋଇପଡ଼ିଥିଲା ଆଜି ସେହି ରାସ୍ତାରେ ଗଡ଼ିବ ଟ୍ରେନ୍‌ । ଗୁରୁତ୍ବପୂର୍ଣ୍ଣ କଥାହେଲା, ୫୧.୩୮ କିଲୋମିଟର ରେଳ ଲାଇନ୍‌ରେ ୪୮ଟି ଟନେଲ୍‌, ୫୫ଟି ବଡ଼ ବ୍ରିଜ୍‌, ୮୭ଟି ଛୋଟ ବ୍ରିଜ୍‌, ୫ଟି ରୋଡ୍‌ ଓଭରବ୍ରିଜ୍‌ (ଆରଓବି), ୬ଟି ରୋଡ୍‌ ଅଣ୍ଡର ବ୍ରିଜ୍‌ (ଆରୟୁବି) ରହିଛି ।

ସ୍ବାଧୀନତାର ୭୭ ବର୍ଷ ପରେ 
ମିଜୋରାମ୍‌କୁ ଗଡ଼ିବ ଟ୍ରେନ୍‌

ସ୍ବାଧୀନତାର ୭୭ ବର୍ଷ ପରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ସାଂସ୍କୃତିକ ଐତିହ୍ୟ ସହରକୁ ଗଡ଼ିବ ଟ୍ରେନ୍‌ । ଏହାଦ୍ବାରା ଯେ କେବଳ ମିଜୋରାମବାସୀଙ୍କ ସ୍ବପ୍ନ ସାକାର ହେବ ତାହା ନୁହେଁ ବରଂ ମିଆଁମାର, ବାଂଲାଦେଶ, ତ୍ରିପୁରା, ଆସାମ ଓ ମଣିପୁରକୁ ଯୋଗାଯୋଗର ବାଟ ଫିଟିବ । ଆସାମର ଗୁଆହାଟୀ, ପଶ୍ଚିମବଙ୍ଗର କଲିକତା ପରି ସହରକୁ ଆଇଜଲ୍‌ରୁ ବିମାନ ସେବା ଥିବାବେ‌ଳେ କଷ୍ଟଦାୟକ ରାସ୍ତା ସଂଯୋଗ ଲୋକଙ୍କ ଯୋଗାଯୋଗର ଏକମାତ୍ର ମାଧ୍ୟମ ସାଜିଛି । ଆସନ୍ତା ୧୩ ତାରିଖଠାରୁ ଆରମ୍ଭ ହେବାକୁ ଯାଉଥିବା ରେଳ ସେବା ମିଜୋରାମବାସୀଙ୍କ ସବୁ ସ୍ବପ୍ନ ପୂରଣ କରିବ ବୋଲି କୁହାଯାଉଛି ।

୨୦୧୪ ନଭେମ୍ବର ୨୯ରେ ମାଲିଗାଁଓ ରେଳ ଷ୍ଟାଡିୟମରେ ଆୟୋଜିତ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଜୋରାମର ବୈରବୀରୁ ସାଇରଙ୍ଗ ପର୍ଯ୍ୟନ୍ତ ନୂତନ ରେଳ ଲାଇନ୍‌ର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ପରବର୍ତ୍ତୀ ସମୟରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ୧୧ ବର୍ଷ ପରେ ଏହି ପ୍ରକଳ୍ପ ଚୂଡ଼ାନ୍ତ ରୂପ ନେଇଛି । 

ପ୍ରକଳ୍ପ ନିର୍ମାଣରେ ଓଡ଼ିଶାର ଇଞ୍ଜିନିୟରିଂ, ପାଇପ୍‌ ମିସ୍ତ୍ରି

କଥା ହେଉଛି ୧୧୪ ମିଟର ଉଚ୍ଚର ଏକ ଖୁଣ୍ଟ ଏହି ପ୍ରକଳ୍ପ ମଧ୍ୟରେ ରହିଛି, ଯାହାର ଉଚ୍ଚତା କୁତବ୍‌ ମିନାରଠାରୁ ୪୨ ମିଟର ଅଧିକ । ୪ଟି ପର୍ଯ୍ୟାୟରେ ୮ହଜାର ୨୦୦ କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଥିବା ଏହି ରେଳ ଲାଇନ୍‌ରେ ସଫଳ ପରୀକ୍ଷଣ ହୋଇସାରିଛି । ମେ’ ୧ରେ ରେଳ ଟ୍ରାକ୍‌ରେ ଟ୍ରେନ୍‌ ଗଡ଼ିବା ଆଇଜଲ୍‌କୁ ଜାତୀୟ ରେଳ ନେଟୱାର୍କ ସହିତ ସଂଯୋଗ କରିବାରେ ଏକ ଐତିହାସିକ ପଦକ୍ଷେପ ପାଲଟିଛି । ଏହି ରେଳ ପ୍ରକଳ୍ପ ନିର୍ମାଣରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଆସାମ, ବିହାର, ଉତ୍ତର-ପୂର୍ବ ରାଜ୍ୟର ଇଞ୍ଜିନିୟର, କର୍ମଚାରୀଙ୍କ ପ୍ରମୁଖ ଯୋଗଦାନ ରହିଛି । ଏବେ ବି ପ୍ରକଳ୍ପର ଇଞ୍ଜିନିୟରିଂ, ପାଇପ୍‌ କାମରେ ଓଡ଼ିଶାରୁ ବହୁସଂଖ୍ୟକ ଶ୍ରମିକ ନିୟୋଜିତ ରହିଥିବା ଦେଖିବାକୁ ମିଳିଛି । 

ଦର୍ଶକବନ୍ଧୁ ଭାରତର ଏବେ ବି ଅନେକ ସ୍ଥାନ ରହିଛି ଯେଉଁଠାକୁ ଟ୍ରେନ୍‌ ପହଞ୍ଚିବା କଷ୍ଟକର ହୋଇ ପଡ଼ିଛି । ହେଲେ ମିଜୋରାମ ପରି ରାଜ୍ୟକୁ ଟ୍ରେନ୍‌ ଗଡ଼ିଲେ ପର୍ଯ୍ୟଟନର ଯେ ବିକାଶ ହେବ ସେନେଇ କୌଣସି ସନ୍ଦେହ ନାହିଁ ।
ମିଜୋରାମ୍‌ରୁ କ୍ୟାମେରା ପର୍ସନ ଦିନବନ୍ଧୁଙ୍କ ସହ ବିବର୍ତ୍ତନ ପଣ୍ଡାଙ୍କ ରିପୋର୍ଟ, କନକ ନ୍ୟୁଜ୍‌