କନକ ବ୍ୟୁରୋ : ଛାତ୍ରୀ ଜୀବନରେ କ୍ଲାସରେ ସ୍ବାସ୍ଥ୍ୟ ମନିଟରରୁ ଡାକ୍ତର । ସମ୍ବଲପୁରର ଜଣାଶୁଣା ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀଙ୍କ ସଫଳତାର କାହାଣୀ ଅତି ନିଆରା । ପରେ ସେ ରାଜନୀତିରେ ଯୋଗଦେଇ ବିଧାୟିକା ହୋଇଥିଲେ ବି ରୋଗୀସେବାକୁ ଜୀବନର ବ୍ରତ କରିଛନ୍ତି । 

Advertisment

ସ୍କୁଲରେ କ୍ଲାସ୍ ମନିଟର ଥିବାବେଳେ ଛାତ୍ରଛାତ୍ରୀଙ୍କ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦେବା ପାଇଁ ତାଙ୍କୁ ଦାୟିତ୍ବ ଦିଆଯାଇଥିଲା । ସେହିଦିନଠାରୁ ଡାକ୍ତର ହେବାର ସ୍ବପ୍ନ ଦେଖିଥିଲେ ସମ୍ବଲପୁରର ଜଣାଶୁଣା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀ । ବୁର୍ଲାରେ ଡାକ୍ତରୀ ପଢ଼ା ପରେ ସେଠାରେ ୧୯୭୨ରେ ଚାକିରି ଆରମ୍ଭ କରିଥିଲେ ।  ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କାମ କରିବା ପରେ  ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀ କଟକରେ ଆସିଷ୍ଟାଣ୍ଟ ପ୍ରଫେସର ହୋଇଥିଲେ । ବୁର୍ଲାରେ  ଅବସର ନେବା ପରେ ବି ରୋଗୀସେବା ଜାରି ରଖିଥିଲେ  ରାସେଶ୍ବରୀ ।  
୨୦୧୪ରେ ହଠାତ ରାସେଶ୍ବରୀଙ୍କ ଜୀବନର ଗତିପଥ ବଦଳିଯାଏ ।

ସ୍ବାଧୀନତା ସଂଗ୍ରାମୀ ରାଜନୈତିକ ପରିବାରରୁ ଆସିଥିବା  ରାସେଶ୍ବରୀ ଡାକ୍ତରରୁ ପାଲଟି ଯାଆନ୍ତି ରାଜନେତା । ନିର୍ବାଚନ ଲଢ଼ିବାକୁ ପ୍ରଥମେ ରାଜି ନଥିଲେ ବି ଜନସେବା କରିବାର ଅଧିକ ସୁଯୋଗ ମିଳିବ ଭାବି ପରେ ବିଜେଡିରୁ ପ୍ରାର୍ଥୀ ହୁଅନ୍ତି ଓ ଜିତନ୍ତି । ଶ୍ରେଷ୍ଠ ବିଧାୟିକା ପୁରସ୍କାର ପାଇବା ସହ ଜାତୀୟ ମହିଳା ଦିବସରେ ସଂସଦ ଭବନରେ ଭାଷଣ ଦେବା ପାଇଁ ସେ ମନୋନୀତ ହୋଇଥିଲେ। ତେବେ ରୋଗୀସେବାରେ ଶେଷ ପର୍ୟ୍ୟନ୍ତ ରହିବେ ବୋଲି ରାସେଶ୍ବରୀ କହିଛନ୍ତି । ନିଆରା ବ୍ୟକ୍ତିତ୍ବ ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀ ଆଜି ଘରେ ଘରେ ପରିଚିତ  ହୋଇପାରିଛନ୍ତି ।