କନକ ବ୍ୟୁରୋ  :  ଚଳିତ ସପ୍ତାହରେ ପାକିସ୍ତାନର ସିନ୍ଧ ପ୍ରଦେଶରେ ଜଣେ ହିନ୍ଦୁ କୃଷକଙ୍କୁ ତାଙ୍କ ଜମି ମାଲିକ ଗୁଳିକରି ହତ୍ୟା କରିବାକୁ ନେଇ ସଂଖ୍ୟାଲଘୁ ଗୋଷ୍ଠୀ ପକ୍ଷରୁ ଜୋରଦାର ପ୍ରତିବାଦ କରାଯାଇଛି । ରିପୋର୍ଟ ଅନୁଯାୟୀ ଅଭିଯୁକ୍ତ ସର୍ଫରାଜ ନିଜାମନି ତାଙ୍କ ଜମିରେ କାମ କରୁଥିବା ହିନ୍ଦୁ କୃଷକ କୈଳାଶ କୋଲହିଙ୍କ ଉପରକୁ ଗୁଳି କରିଥିଲେ। ଗୁଳି କୈଳାଶଙ୍କ ଛାତିରେ ବାଜିଥିଲା ଓ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। କୈଳାଶଙ୍କୁ ହତ୍ୟା କରାଯିବାର କାରଣ ଜଣାପଡ଼ିନାହିଁ। ଜଣେ ହିନ୍ଦୁଙ୍କୁ ହତ୍ୟା କରାଯିବା ପ୍ରତିବାଦରେ ହିନ୍ଦୁ ସଂଖ୍ୟାଲଘୁ ଓ ମାନବିକ ଅଧିକାର ଗୋଷ୍ଠୀ ପକ୍ଷରୁ ପାକିସ୍ତାନ ଓ ସିନ୍ଧ ସରକାରଙ୍କ ବିରୋଧରେ ବଡ଼ଧରଣର ପ୍ରତିବାଦ କରାଯାଇଛି। ହତ୍ୟା ଓ ଆତଙ୍କ ଅଭିଯୋଗରେ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରି ଗିରଫ କରିବାକୁ ସେମାନେ ଦାବି କରିଛନ୍ତି। ସଂଖ୍ୟାଲଘୁ ଓ ମାନବିକ ଅଧିକାର ଗୋଷ୍ଠୀ ପୀଡ଼ିତ ପରିବାରର ସୁରକ୍ଷା ପାଇଁ ମଧ୍ୟ ଦାବି କରିଛି। ସଂଖ୍ୟାଲଘୁ ଅଧିକାର ସଙ୍ଗଠନ ପାକିସ୍ତାନ ଦାରାୱର ଇତେହାଦର ଅଧ୍ୟକ୍ଷ ଶିବ କାଛି ଜଣେ ହିନ୍ଦୁ କୃଷକଙ୍କୁ ନିର୍ମମ ହତ୍ୟା କରାଯିବାକୁ ତୀବ୍ର ନିନ୍ଦା କରିଛନ୍ତି। ସାମାଜିକ ଗଣମାଧ୍ୟମ‌ ‘ଏକ୍ସ’ରେ ଏକ ପୋଷ୍ଟ କରି ଏହା କେବଳ ଜଣେ ବ୍ୟକ୍ତିଙ୍କ ଉପରେ ନୁହେଁ ବରଂ ମାନବିକତା, ନ୍ୟାୟ ଓ ସଂଖ୍ୟାଲଘୁଙ୍କ ଅଧିକାର ଓ ସୁରକ୍ଷା ଉପରେ ଆକ୍ରମଣ ବୋଲି କହିଛନ୍ତି। ଅଭିଯୁକ୍ତ ଯେପର୍ୟ୍ୟନ୍ତ ଆଇନଦ୍ବାରା ଦଣ୍ଡିତ ନହୋଇଛନ୍ତି ସେପର୍ୟ୍ୟନ୍ତ ଆମର ସଂଘର୍ଷ ଜାରି ରହିବ ବୋଲି ଶିବ କାଛି କହିଛନ୍ତି। ଦିଲ୍ଲୀ ତୁର୍କମାନ ଗେଟ ଅଞ୍ଚଳରେ ଫୈଜ-ଇ-ଇଲାହି ମସଜିଦ୍‌ ନିକଟରେ ଭଙ୍ଗାରୁଜାକୁ ନେଇ ଭାରତରେ ସଂଖ୍ୟାଲଘୁଙ୍କ ମାନବିକ ଅଧିକାର ହନନ କରାଯାଉଥିବା ପାକିସ୍ତାନର ବିଦେଶ ମନ୍ତ୍ରୀ ମନ୍ତବ୍ୟ ଦେବାର କିଛି ଦିନ ପରେ ଏହି ଘଟଣା ଘଟିଛି। ତେବେ ପାକିସ୍ତାନର ଆରୋପକୁ ଭାରତ ପକ୍ଷରୁ ଖଣ୍ଡନ କରାଯାଇଥିଲା।

Advertisment