କନକ ବ୍ୟୁରୋ : ହିନ୍ଦୀ ଭାଷା ଓ କନ୍ୟା ଶିକ୍ଷାକୁ ନେଇ ଡିଏମ୍‌କେ ସାଂସଦ ଦୟାନିଧି ମାରନ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ମାରନ ହିନ୍ଦୀ ଭାଷା ପଢ଼ିବାକୁ ଗୁରୁତ୍ବ ଦିଆଯାଉଥିବା ରାଜ୍ୟମାନଙ୍କୁ ସମାଲୋଚନା କରି କହିଛନ୍ତି ଯେ, ଯେଉଁ ରାଜ୍ୟମାନେ ଛାତ୍ରମାନଙ୍କୁ କେବଳ ହିନ୍ଦୀ ପଢ଼ିବାକୁ ପ୍ରୋତ୍ସାହନ ଦିଅନ୍ତି ଓ ଇଂରାଜୀ ଭାଷାକୁ ଦ୍ବିତୀୟ ସ୍ତରର ପ୍ରାଥମିକତା ଦିଅନ୍ତି ସେମାନେ ନିଯୁକ୍ତି ସମ୍ଭାବନାକୁ ସଙ୍କୁଚିତ କରିଦିଅନ୍ତି । ଏଥିପାଇଁ ଦକ୍ଷିଣ ଭାରତୀୟ ରାଜ୍ୟମାନଙ୍କୁ ପଳାୟନ ବୃଦ୍ଧି ପାଉଛି । ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମାରନ କହିଥିଲେ, କେତେକ ରାଜ୍ୟରେ ଛାତ୍ରମାନଙ୍କ ପାଠପଢ଼ାରେ ବାଧା ସୃଷ୍ଟି କରାଯାଉଛି ଏବଂ ସେମାନଙ୍କୁ ହିନ୍ଦୀ ପଢ଼ିବାକୁ ବାଧ୍ୟ କରାଯାଉଛି । ସେମାନେ ଆପଣଙ୍କୁ କହିବେ ଇଂରାଜୀ ପଢ଼ ନାହିଁ । ଇଂରାଜୀ ପଢ଼ିଲେ ନଷ୍ଟ ହୋଇଯିବ । ଆପଣମାନଙ୍କୁ ଗୁଲାମ କରି ରଖାଯିବ । ସାଂସଦଙ୍କ ମନ୍ତବ୍ୟ ପରେ ପୁଣିଥରେ ହିନ୍ଦୀଭାଷାକୁ ନେଇ ବିବାଦ ଦେଖାଯାଇଛି । ମାରନ କହିଛନ୍ତି, ତାମିଲନାଡ଼ୁରେ ଶିକ୍ଷାକୁ ଗୁରୁତ୍ବ ଦିଆଯାଉଥିବାରୁ ରାଜ୍ୟର ଆର୍ଥିକ ବିକାଶ ହେଉଛି । ତାମିଲନାଡ଼ୁ‌ରେ ଉଚ୍ଚଶିକ୍ଷିତ ଲୋକଥିବାରୁ ବିଶ୍ବସ୍ତରୀୟ କମ୍ପାନି ଏଠାକୁ ଆସୁଛନ୍ତି । ଶିକ୍ଷାକୁ କେବଳ ହିନ୍ଦୀ ମାଧ୍ୟମରେ ସୀମିତ ରଖିଲେ ବେରୋଜଗାର ବୃଦ୍ଧି ପାଇବ । ତାମିଲନାଡ଼ୁର ଦ୍ରାବିଡ଼ ମଡେଲ ପୁଅମାନଙ୍କ ପରି ଝିଅମାନଙ୍କୁ ମଧ୍ୟ ଶିକ୍ଷା ପାଇଁ ପ୍ରୋତ୍ସାହିତ କରିଥାଏ । 

Advertisment

ଏହାଦ୍ବାରା ରାଜ୍ୟରେ ସାକ୍ଷରତା ହାର ବୃଦ୍ଧି ସହିତ ମହିଳା କର୍ମଜୀବୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଇଂରାଜୀ ଶିକ୍ଷାକୁ ହତୋତ୍ସାହିତ କରିବା ଦ୍ବାରା ଛାତ୍ରଛାତ୍ରୀଙ୍କ ପାଇଁ ସମ୍ଭାବନା ଓ ସୁଯୋଗ ସୀମିତ ହୋଇଯାଏ, ଭାଷା ଆଧାରିତ ପ୍ରତିବନ୍ଧ ବିକାଶ ଓ ନିଯୁକ୍ତି କ୍ଷେତ୍ରରେ ବାଧା ସୃଷ୍ଟି କରିଥାଏ ବୋଲି ମାରନ କହିଛନ୍ତି । ତେବେ ବିଜେପି ଏହାର ପାଲଟା ଜବାବ ଦେଇ କହିଛି ଯେ, ଡିଏମ୍‌କେ ସାଂସଦଙ୍କ ମଧ୍ୟରେ ସାଧାରଣ ଜ୍ଞାନର ଅଭାବ ରହିଛି । ସେ ଦେଶ ତଥା ହିନ୍ଦୀ ଭାଷାଭାଷି ଲୋକଙ୍କୁ କ୍ଷମା ମାଗିବା ଉଚିତ । ହିନ୍ଦୀ ଭାଷାଭାଷି ଲୋକଙ୍କୁ ଅପାଠୁଆ ତଥା ଅସଭ୍ୟ କହିବା ଯୋଗୁ ସେ କ୍ଷମା ମାଗିବା କଥା ବୋଲି ବିଜେପି ନେତା ତିରୁପତି ନାରାୟଣନ୍‌ କହିଛନ୍ତି । ମାରନଙ୍କ ସପକ୍ଷରେ ଡିଏମ୍‌କେ ନେତା ଟିକେଏସ୍‌ ଏଲାନଗୋଭନ ମତ ଦେଇ କହିଛନ୍ତି , ଉତ୍ତର ଭାରତର ମହିଳାଙ୍କ ପାଇଁ ଲଢ଼ିବାକୁ କେହି ନାହାନ୍ତି । ଏହା ରାଜ୍ୟରେ କେଉଁ ଦଳ ଶାସନ କରୁଛି ତାହା ଉପରେ ନିର୍ଭର କରେ । ବର୍ତ୍ତମାନ କଂଗ୍ରେସ ମହିଳାଙ୍କୁ ସଶକ୍ତ କରୁଛି । ଯେଉଁଠି ବି କଂଗ୍ରେସ ଶାସିତ ରାଜ୍ୟ ଅଛି ସେମାନେ ନାରୀ ଶିକ୍ଷା ପାଇଁ ବହୁତ କିଛି କରୁଛନ୍ତି । ତାମିଲନାଡ଼ୁରେ ଆମେ ମହିଳାଙ୍କ ସଶକ୍ତିକରଣ ପାଇଁ ଲଢ଼ୁଛୁ ।

ଅଧିକ ପଢ଼ନ୍ତୁ--ମୁଖ୍ୟମନ୍ତ୍ରୀ ପ୍ରସଙ୍ଗକୁ ନେଇ କ୍ରମାଗତ ଦ୍ୱନ୍ଦ୍ୱ, ରାହୁଲ ଗାନ୍ଧୀଙ୍କଠାରୁ ସ୍ପଷ୍ଟୀକରଣ ମାଗିଲେ ସିଦ୍ଦରମୈୟା