କନକବ୍ୟୁରୋ: ଭତ୍ତା ପାଇଁ ନୟାନ୍ତ ହିତାଧିକାରୀ । ଭତ୍ତା ପାଇଁ ଘରୁ ଗୁରୁଣ୍ଡି ଗୁରୁଣ୍ଡି ପଞ୍ଚାୟତ କାର୍ୟ୍ୟାଳୟ ପର୍ଯ୍ୟନ୍ତ ଗଲେ ୮୦ ବର୍ଷର ବୃଦ୍ଧା । କେନ୍ଦୁଝର ତେଲକୋଇ ବ୍ଲକ ରାଇସୁଆଁ ପଞ୍ଚାୟତରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଦିନ ୧୦ଟା ବେଳେ ରାଇସୁଆଁ ଟାଙ୍କୁଗୋଡା ମହ୍ଲାର ସାହିରୁ ଏକ କିଲୋମିଟର ଦୂର ପର୍ୟ୍ୟନ୍ତ କାଦୁଅ ରାସ୍ତାରେ ଗୁରୁଣ୍ଡି ଗୁରୁଣ୍ଡି ପଞ୍ଚାୟତ କାର୍ୟ୍ୟାଳୟ ଯାଇଛନ୍ତି । 

Advertisment

ଦାୟିତ୍ବରେ ଥିବା କର୍ମଚାରୀ ଜଣକ ପଞ୍ଚାୟତକୁ ଆସି ଭତ୍ତା ଟଙ୍କା ନେବାକୁ ଖବର ଦେଇଥିଲେ । ଏ ଖବର ପାଇ ଅନ୍ୟମାନଙ୍କ ଭଳି ୮୦ ବର୍ଷିୟା ବୃଦ୍ଧା ପଥୁରି ମଧ୍ୟ ଗୁରୁଣ୍ଡି ଗୁରୁଣ୍ଡି ପଞ୍ଚାୟତକୁ ଯାଇଥିଲେ । 

ସରକାର ବରିଷ୍ଠ ଓ ଅସହାୟ ନାଗରିକଙ୍କ ପାଇଁ ଭତ୍ତା ଅର୍ଥ ଘରକୁ ଯାଇ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଏହାକୁ ଦାୟିତ୍ବରେ ଥିବା କର୍ମଚାରୀମାନେ ମାନୁନଥିବା ଅଭିଯୋଗ ହୋଇଛି । ସେପଟେ ଆଉ ଜଣେ ହିତାଧିକାରୀ ମଧ୍ୟ ଭତା ପାଇଁ ନାକେଦମ୍ ହୋଇଛନ୍ତି । ବ୍ୟାଙ୍କକୁ ଯାଇ ନିରାଶ ହୋଇ ଫେରିଛନ୍ତି । 

ପଥୁରି ଦେହୁରୀଙ୍କ ପରି ଖୁଣ୍ଟାପଡା ପଞ୍ଚାୟତ ଅନ୍ତର୍ଗତ କୁଲାଡେରା ଗ୍ରାମର ଦିବ୍ୟାଙ୍ଗ ମାଧବ ଜାମୁଦା ଭତା ପାଇଁ ବ୍ୟାଙ୍କକୁ ଧାଇଁଧାଇଁ ନୟାନ୍ତ ହେଲେଣି । ୪ ଦିନ ହେଲାଣି ତେଲକୋଇ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାକୁ ଯାଇ ଖାଲି ହାତରେ ଫେରୁଛନ୍ତି । ଗତ ମାସରେ ମଧ୍ୟ ୬ ଥର ଧାଇଁବା ପରେ ଭତ୍ତା ଅର୍ଥ ପାଇଥିଲେ। ଆଜି ମଧ୍ୟ ବ୍ୟାଙ୍କରୁ ଖାଲି ହାତରେ ଫେରିଛନ୍ତି ମାଧବ।