କନକ ବ୍ୟୁରୋ : ମୋବାଇଲ ଫୋନ ଆଜିର ସମୟରେ ପ୍ରତିଟି ମଣିଷ ପାଇଁ ଅତି ଅପରିହାର୍ଯ୍ୟ ହୋଇପଡ଼ିଛି । ଯୋଗାଯୋଗ, ଦେଶ ଦୁନିଆ ସହ ମନୋରଂଜନ ପାଇଁ ଏହା ଅତ୍ୟନ୍ତ ଆବଶ୍ୟକ ଥିବା ବେଳେ ଏହାର କୁପରିଣତି ବି ଅନେକ ସ୍ଥାନରେ ଦେଖିବାକୁ ମିଳିଛି । ବିଶେଷ କରି ସ୍କୁଲଗୁଡିକରେ ମୋବାଇଲକୁ ନେଇ ବିଭିନ୍ନ ସମୟରେ ବିଭିନ୍ନ ଅରୁଚିକର ଖବର ସାମ୍ନାକୁ ଆସୁଛି । ଶିକ୍ଷକମାନେ ମୋବାଇଲ ମାୟାରେ ପିଲାଙ୍କୁ ଠିକରେ ପାଠ ପଢାଉନାହାନ୍ତି ତ ଯଦି ଛାତ୍ର ଛାତ୍ରୀଙ୍କ ପାଖରେ ମୋବାଇଲ ରହୁଛି ସେମାନେ ପାଠରେ ଧ୍ୟାନ ଦେଉନାହାନ୍ତି । ଏସବୁକୁ ନେଇ ପ୍ରଥମଥର ପାଇଁ ଦେଶର ହିମାଚଳପ୍ରଦେଶ ସରକାର ଏକ ବଡ଼ ବିଜ୍ଞପ୍ତି ଜାରି କରିଛନ୍ତି । ହିମାଚଳପ୍ରଦେଶ ଶିକ୍ଷା ବିଭାଗ ଦ୍ୱାରା ଜାରି ହୋଇଥିବା ବିଜ୍ଞପ୍ତି ମୁତାବକ ସ୍କୁଲ ସମୟରେ ଛାତ୍ରଛାତ୍ରୀ ହୁଅନ୍ତୁ କି ଶିକ୍ଷକ   କେହି ମୋବାଇଲ ଫୋନ ବ୍ୟବହାର କରିପାରିବେ ନାହିଁ । ଏଥିରେ ଛାତ୍ରଛାତ୍ରୀମାନଙ୍କୁ ମୋବାଇଲ ନେଇ ସ୍କୁଲ ଯିବାକୁ ମନା କରାଯାଇଥିବା ବେଳେ ଶିକ୍ଷକମାନଙ୍କୁ ଶ୍ରେଣୀଗୃହକୁ ମୋବାଇଲ ନେବାକୁ ମନା କରାଯାଇଛି । ଜରୁରୀ ସମୟରେ ସ୍କୁଲରେ ଥିବା ଲ୍ୟାଣ୍ଡଫୋନ ବ୍ୟବହାର କରାଯାଇପାରିବ ବୋଲି ନିର୍ଦ୍ଦେଶରେ କୁହାଯାଇଛି । 

Advertisment

ଶିକ୍ଷା ବିଭାଗ ଦ୍ୱାରା ଜାରି କରାଯାଇଥିବା ଆଦେଶରେ କୁହାଯାଇଛି କି, ଆବଶ୍ୟକ ସ୍ଥଳେ ସ୍କୁଲରେ ଥିବା ଲ୍ୟାଣ୍ଡ ଫୋନ ବ୍ୟବହାର କରିପାରିବେ । ଶିକ୍ଷା ବିଭାଗ ଅନୁଭବ କରିଥିଲା କି ଶିକ୍ଷାଦାନ ବେଳେ ଶିକ୍ଷକଙ୍କ ଦ୍ୱାରା ମୋବାଇଲ ଫୋନ ବ୍ୟବହାର ଫଳରେ ଛାତ୍ରଛାତ୍ରୀଙ୍କ ଧ୍ୟାନ ମୋବାଇଲ ଫୋନ ଉପରେ ରହୁଛି । ଏହାସହ ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀ ହୁଅନ୍ତୁ କି ଶିକ୍ଷାଦାନ କର୍ମଚାରୀ ନୋଟିଫିକେସନ ଆସିବା ଦ୍ୱାରା ବାରମ୍ବାର ସେମାନଙ୍କ ଧ୍ୟାନ ମୋବାଇଲ ଫୋନ ଉପରେ କେନ୍ଦ୍ରିତ ହେଉଛି । ଏଭଳି ଅନେକ ସମସ୍ୟାର କାରଣ ମୋବଇଲ ହୋଇଥିବାରୁ ହିମାଚଳପ୍ରଦେଶ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।