କନକ ବ୍ୟୁରୋ: ପୁଣି ଥରେ ବୟାନ ପାଇଁ ବିବାଦରେ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରାଣାୱତ । ଏକ ଜାତୀୟ ଗଣମାଧ୍ୟମ ସାକ୍ଷାତ କାର୍ଯ୍ୟକ୍ରମରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ କାମଠୁ ନେଇ ବ୍ୟବହାରକୁ ସମ୍ବନ୍ଧିତ ପ୍ରଶ୍ନର ଉତ୍ତର ଦେବା ସହ ତାଙ୍କୁ ସମାଲୋଚନା କରିଛନ୍ତି ।

ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ ସହ ରାହୁଲଙ୍କ ତୁଳନା କରି ପ୍ରଶ୍ନ କରାଯାଇଥିଲା ସେତେବେଳେ କଙ୍ଗନା ଭିନ୍ନ ଏକ ଅନ୍ଦାଜରେ ଜବାବ ରଖିଥିଲେ । କେବଳ ପଦକୁ ନେଇ ରାହୁଲଙ୍କ ଲୋଭ ରହିଛି, ପଦ ପଛରେ ଗୋଡାନ୍ତି ଓ ଇନ୍ଦିରା ଏବଂ ତାଙ୍କର କୌଣସି ତୁଳନା ନାହିଁ କହି ବିଜେପି ସାଂସଦ ସମାଲୋଚନା କରିଛନ୍ତି । 

କଙ୍ଗନାଙ୍କ ଅଭିନିତ ଏମରଜେନ୍ସି ଫିଲ୍ମ ଇନ୍ଦିରାଙ୍କ ଜୀବନି ଓ ଦେଶରେ ଲାଗିଥିବା ଜରୁରୀ ପରିସ୍ଥିତିକୁ ନେଇ ପର୍ଯ୍ୟବେସିତ ହୋଇଛି । ଚର୍ଚ୍ଚା ହେଉଛି କାହାଣୀରେ କିଛି ବିବାଦୀୟ କଥାବସ୍ତୁକୁ ସ୍ଥାନ ଦିଆଯାଇଛି । ତେବେ ଏହି ଦାବିକୁ କଙ୍ଗନା ଖଣ୍ଡନ କରିବା ସହ କହିଛନ୍ତି ଫିଲ୍ମ ଦେଖିବା ପରେ ଇନ୍ଦିରାଙ୍କ ପ୍ରତି ଯଦି କୌଣସି ଭୁଲ ଭାବନା ଥାଏ ତେବେ ଏହା ନିଶ୍ଚୟ ବଦଳିଯିବ ।
 
ଏମରଜେନ୍ସି ରିଲିଜ ପୁର୍ବରୁ କଙ୍ଗନା ଗୋଟିଏ ପରେ ଗୋଟିଏ ବିବାଦରେ ଫଶୁଛନ୍ତି । ଶିଖ ଗୁରୁଦ୍ୱାର କମିଟି କଙ୍ଗନାଙ୍କ ସେହି ବୟାନରେ ଖପ୍ପା ହୋଇ ନୋଟିସ ପଠାଇଛି ଯେଉଁଥରେ ସେ ଚାଷୀ ଆନ୍ଦୋଳନକୁ ନେଇ ବିବାଦୀୟ ବୟାନ ଦେଇଥିଲେ । ଏପରିକି ଗ୍ୱାଲିୟର ଚାଷୀ ସଂଘ ମାନହାନି ନୋଟିସ ପଠାଇଛି । 

୭ଦିନ ମଧ୍ୟରେ ଭୁଲ ନମାଗିଲେ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛି ଚାଷୀ ସଂଗଠନ । ସେପଟେ ହିମାଚଳର ସୁଖବିନ୍ଦର ସିଂ ସୁଖୁଙ୍କ ସରକାରଙ୍କ ଦ୍ୱାରା ଆଗତ ନିନ୍ଦା ପ୍ରସ୍ତାବ ବାଚନିକ ଭୋଟରେ ଗୃହୀତ ହେବା ସହ କଙ୍ଗନାଙ୍କୁ ମଧ୍ୟ ହତ୍ୟା ଧମକ ମିଳୁଛି । ଏବେ ପ୍ରଶ୍ନ ଉଠୁଛି  ଅଭିନେତ୍ରୀ ତଥା ସାଂସଦଙ୍କ ଏଭଳି ବୟାନ ଉଦ୍ଦେଶ୍ୟମୁଳକ କି ? ଫିଲ୍ମ ଏମରଜନ୍ସିକୁ ମାଇଲେଜ ଦେବାକୁ ଏକ ମାଧ୍ୟମ କି ? ନା ଚିରାଚରିତ ବିଜେପି ଏବଂ କଂଗ୍ରେସ  ବିବାଦର ଏକ ନୂଆ ଫର୍ଦ୍ଦ ।