କନକବ୍ୟୁରୋ : ପରିବେଶକୁ ଭଲ ପାଉଥିବା ମଣିଷ। ଜଳ, ଜମି, ଜଙ୍ଗଲ ପାଇଁ ଲଢ଼େଇ କରୁଥିବା ନିରିହର ଆଦିବାସୀ । ପ୍ରକୃତି ଓ ପରିବେଶ ସହ ଅଙ୍ଗାଙ୍ଗି ଭାବେ ଜଡ଼ିତ। କାହିଁ ଅନାଦି କାଳରୁ ବୃକ୍ଷ ରୋପଣକୁ ନିଜ ସଂସ୍କୃତି ପରମ୍ପରା ସହ ଯୋଡ଼ି ହୋଇ ରହିଛନ୍ତି ଆଦିବାସୀ । ମାଲକାନଗିରି ସଦର ମହକୁମାଠାରେ ବସିଥିବା ସମ୍ବାଦ ଗ୍ରୁପ୍ର ପରିବେଶ ପଞ୍ଚାୟତରେ ଆଦିବାସୀ ଓ ସେମାନଙ୍କ ଜୀବନଶୈଳୀ ସହ ପ୍ରକୃତିର ସଂପର୍କ ବାବଦରେ ଆଲୋଚନା କରିଛନ୍ତି ବିଧାୟକ ନରସିଂହ ମାଡକାମୀ ଓ ଉପସ୍ଥିତ ଅତିଥି।
ପ୍ରକୃତି ଉପାସନାରେ ବିଶ୍ୱାସ ରଖନ୍ତି ଆଦିବାସୀ। ଗାଁରେ ଆମ୍ବ ପର୍ବ ନହେବା ଯାଏଁ ଆମ୍ବ ଖାଆନ୍ତିନାହିଁ ଏମାନେ। ପାରମ୍ପାରିକ ପଦ୍ଧତିରେ ଧାନ ସହ ମାଣ୍ଡିଆ, ବିରି-ମୁଗ ବିହନ ସଂଗ୍ରହ କରନ୍ତି। ସେଇ ବିହନରେ ହିଁ ଚାଷ କରନ୍ତି । ଏମିତି ଅନେକ କାହାଣୀ, ପ୍ରକୃତି ସହ ଆଦିବାସୀଙ୍କ ସଂପର୍କ ବାବଦରେ ସୂଚନା ଦିଏ। ମାଲକାନିଗିରେ ନିର୍ବାଚନ ମଣ୍ଡଳ ସ୍ତରୀୟ ପରିବେଶ ପଞ୍ଚାୟତରେ ମତ ରଖି ଆଦିମ ଜନଜାତି ଓ ସେମାନଙ୍କ ଚଳଣି ବାବଦରେ ଜଣାଇଛନ୍ତି ବିଧାୟକ ନରସିଂହ ମାଡ଼କାମୀ। ପରିବର୍ତ୍ତିତ ଜଳବାୟୁ ଓ ପରିବେଶ ସନ୍ତୁଳନ ରଖିବା ଲାଗି ବୃକ୍ଷର ଭୂମିକା ସମ୍ପର୍କରେ ଅବଗତ କରାଇଥିଲେ ଅତିଥି ଓ ପରିବେଶବିତ୍ ।
ଉତ୍ତରାଖଣ୍ଡର ଭୂ-ସ୍ଖଳନ ହେଉ ବା ଜାମ୍ମୁ-କାଶ୍ମୀର ବାଦଲ ଫଟାବର୍ଷା। ଅଦିନିଆ ବର୍ଷା, ପ୍ରାକୃତିକ ବିପର୍ଯ୍ୟୟ ପରି ଗୁରୁତର ସମସ୍ୟାରୁ ମୁକୁଳିବାକୁ ହେଲେ ପରିବେଶ ସୁରକ୍ଷା ହିଁ ଏକ ମାତ୍ର ବିକଳ୍ପ। ତେଣୁ ଏବେଠୁ ପରିବେଶମନସ୍କ ହେବାକୁ ପଡ଼ିବ। ପ୍ରକୃତି କଥା ଚିନ୍ତା କରି ତା ସୁରକ୍ଷା ପ୍ରତି ନଜର ଦେବାକୁ ପଡ଼ିବ। ଏମିତି କହି ଛାତ୍ରଛାତ୍ରୀଙ୍କୁ ଗଛ ଲଗାଇବାକୁ ପରାମର୍ଶ ଦେଇଛନ୍ତି ଅତିଥି।
ପୁନଶ୍ଚ ପୃଥିବୀ କେବଳ ଏକ ଆହ୍ୱାନ ନୁହେଁ ବରଂ ଏହା ରାଜ୍ୟବ୍ୟାପୀ ଆନ୍ଦୋଳନର ରୂପ ନେଇଛି। ଆଉ ସମ୍ବାଦ ଗ୍ରୁପ୍ର ଏହି ନିଆରା ପ୍ରୟାସକୁ ମିଳୁଛି ବିପୁଳ ସମର୍ଥନ।