କନକ ବ୍ୟୁରୋ: ଏୟାର ଇଣ୍ଡିଆର ବିମାନକୁ ହାଇଜାକ୍ କରିବାକୁ ଉଦ୍ୟମ? ମିଳିଥିବା ସୂଚନା ମୁତାବକ, ବେଙ୍ଗାଲୁରୁରୁ ବାରାଣସୀ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନରେ ଜଣେ ଯାତ୍ରୀ କକପିଟ୍ ଦ୍ୱାର ଖୋଲିବାକୁ ଚେଷ୍ଟା କରିଥିଲେ, ଯାହା ଫଳରେ ଭିତରେ ହଙ୍ଗାମା ହୋଇଥିଲା । ତେବେ ଯାତ୍ରୀ ଜଣକ ସଠିକ୍ ପାସକୋଡ୍ ଦେଇ ପ୍ରବେଶ କରିଥିଲେ, କିନ୍ତୁ କ୍ୟାପ୍ଟେନ୍ ଅପହରଣର ଭୟରେ ଦ୍ୱାର ଖୋଲି ନଥିଲେ । ଏହାପରେ ଉକ୍ତ ବ୍ୟକ୍ତିଙ୍କ ସହ ଯାତ୍ରା କରୁଥିବା ଅନ୍ୟ ଆଠ ଜଣ ଯାତ୍ରୀଙ୍କୁ ମିଶାଇ ସମସ୍ତ ନଅ ଜଣ ଯାତ୍ରୀଙ୍କୁ CISFକୁ ହସ୍ତାନ୍ତର କରାଯାଇଛି ।
ଏୟାର ଇଣ୍ଡିଆ ତରଫରୁ କୁହାଯାଇଛି ଯେ, ଆମେ ଗଣମାଧ୍ୟମ ରିପୋର୍ଟରୁ ବାରାଣସୀ ଯାଉଥିବା ଏକ ବିମାନ ବିଷୟରେ ସୂଚନା ପାଇଥିଲେ । ଜଣେ ଯାତ୍ରୀ ଶୌଚାଳୟ ଖୋଜିବା ସମୟରେ କକପିଟ୍ ପ୍ରବେଶ କ୍ଷେତ୍ରରେ ପହଞ୍ଚିଯାଇଥିଲେ । ତେବେ ଏୟାର ଇଣ୍ଡିଆ ତରଫରୁ ଆହୁରି ମଧ୍ୟ କୁହାଯାଇଛି ଯେ, ବିମାନରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ଏବଂ କୌଣସି ପ୍ରକାରର ତ୍ରୁଟି ହୋଇନାହିଁ । ଅବତରଣ ସମୟରେ ଏହି ଘଟଣା କର୍ତ୍ତୃପକ୍ଷଙ୍କୁ ରିପୋର୍ଟ କରାଯାଇଥିଲା ଏବଂ ବର୍ତ୍ତମାନ ତଦନ୍ତ ଚାଲିଛି । ତେବେ ଯାତ୍ରୀ କାହିଁକି କକପିଟରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ ତାହା ଏ ପର୍ଯ୍ୟନ୍ତ ଜଣାପଡିନାହିଁ ।
ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ବିମାନ IX-୧୦୮୬ ସକାଳ ୮ଟା ପରେ ବେଙ୍ଗାଲୁରୁରୁ ଉଡ଼ାଣ କରିଥିଲା । ବିମାନଟି ବାରାଣସୀରେ ଅବତରଣ କରିବା ପରେ, ଅଭିଯୁକ୍ତ ଯାତ୍ରୀମାନଙ୍କୁ CISF କର୍ମଚାରୀଙ୍କୁ ହସ୍ତାନ୍ତର କରାଯାଇଥିଲା । ସୂଚନା ମୁତାବକ, ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ,ଜଣେ ଯାତ୍ରୀ କକପିଟ୍ କ୍ୟାବିନ ଦ୍ୱାର ଖୋଲିବାକୁ ଚେଷ୍ଟା କରିଥିଲେ । ସେ ପାସକୋଡ୍ ଦେଇ ଭିତରକୁ ପ୍ରବେଶ କରିବା ମାତ୍ରେ ସିଗନାଲ୍ ପାଇଲଟଙ୍କ ପାଖରେ ପହଞ୍ଚି ଯାଇଥିଲା । ଆଉ ଯେତେବେଳେ ପାଇଲଟ୍ ସିସିଟିଭି ଫୁଟେଜ୍ ଦେଖିଲେ,ସେ ହାଇଜାକ୍ ହେବାର ଆଶଙ୍କା କରି ଦ୍ୱାର ଖୋଲିଲେ ନାହିଁ ।