କନକ ବ୍ୟୁରୋ: ଭରତପୁର ଘଟଣାକୁ ନେଇ ହାଇକୋର୍ଟରେ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି ହୋଇଛି । ଘଟଣାକୁ ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିବା ସହ ରାଜ୍ୟ ସରକାରଙ୍କୁ ବଡ଼ ନିର୍ଦ୍ଦେଶ କରିଛନ୍ତି । ଥାନାରେ ସୁରକ୍ଷା ବାହିନୀରକର୍ମୀଙ୍କୁ କିପରି ବ୍ୟବହାର ହେବା ଦରକାର, ସେନେଇ ଏସଓପି ଜାରି କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏହାକୁ ୧୫ ଦିନ ମଧ୍ୟରେ କାର୍ଯ୍ୟକ୍ଷମ କରିବାକୁ କୁହାଯାଇଛି । ନଭେମ୍ବର ୧୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
- ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
- ଥାନା ପାଇଁ ଆସିବ ଏସଓପି
ସେପ୍ଟେମ୍ବର ୧୫ ତାରିଖରେ ଭରତପୁର ଥାନାରେ ଘଟିଥିବା ଘଟଣାକୁ ନେଇ ହାଇକୋର୍ଟଙ୍କ ଉଦ୍ବେଗ । ଘଟଣାକୁ ନେଇ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି କରିଛନ୍ତି ଉଚ୍ଚତମ ନ୍ୟାୟାଳୟ । ଥାନାରେ ସେନା ଅଧିକାରୀଙ୍କୁ କିପରି ବ୍ୟବହାର କରାଯିବ, ସେନେଇ ସ୍ୱତନ୍ତ୍ର ଏସଓପି ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଶୁଣାଣି ସମୟରେ ପୁଲିସ ଆଧୁନିକୀକରଣ ଏଡିଜି, କେତୋଟି ଥାନରେ ସିସିଟିଭି ଲାଗିନାହିଁ, ସେନେଇ ହାଇକୋର୍ଟଙ୍କୁ ଜଣାଇଛନ୍ତି ।
ଏଡିଜି କୋର୍ଟଙ୍କୁ କହିଛନ୍ତି, ରାଜ୍ୟରେ ୧୩ଟି ଥାନାରେ ସିସିଟିଭି କାର୍ଯ୍ୟକ୍ଷମ ହୋଇନାହିଁ । ୧୫ ଦିନ ମଧ୍ୟରେ ଏହାକୁ କାର୍ଯ୍ୟକ୍ଷମ କରାଯିବ । ଏହାସହ ସିସିଟିଭିଗୁଡ଼ିକୁ ସିଧାସଳଖ ଏସପି ଅଫିସ ସହ ସଂଯୋଗ କରାଯିବ। ଯାହାଦ୍ୱାରା ଥାନାଗୁଡ଼ିକରେ ଘଟୁଥିବା ପ୍ରତିଟି ଗତିବିଧି ଉପରେ ନଜର ରଖିବେ ଏସପି । ନଭେମ୍ବର ୧୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
ସେପଟେ ମେଜରଙ୍କ ବାନ୍ଧବୀ ଜାତୀୟ ଗଣମାଧ୍ୟମରେ ମୁହଁ ଖୋଲିବା ମାମଲାକୁ ବିଚାରକୁ ନେଇ ନାହାନ୍ତି ହାଇକୋର୍ଟ । ହାଇକୋର୍ଟ କହିଛନ୍ତି, ପୀଡ଼ିତାଙ୍କୁ କେବଳ ତାଙ୍କ ନିଜ ସମ୍ମାନ ପାଇଁ ବୟାନ ଦେବାକୁ ବାରଣ କରାଯାଇଥିଲା । ଯାହା କୋର୍ଟ ନିର୍ଦ୍ଦେଶ ଅବମାନନା ବୋଲି କୁହାଯାଇପାରିବ ନାହିଁ । ଭରତପୁର ଥାନା ଘଟଣାକୁ ନେଇ ହାଇକୋର୍ଟ ନିଜ ଆଡୁ ମାମଲା ରୁଜୁ କରି ଶୁଣାଣି କରିଥିଲେ । ସବୁ ଥାନାରେ ସିସିଟିଭି ବ୍ୟବସ୍ଥା ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ।