କନକ ବ୍ୟୁରୋ : ବାଦ, ବିବାଦ, ବର୍ଜନ ଧମକ ତଥା ବର୍ଷା ବିଭ୍ରାଟ ଆଶଙ୍କା ଭିତରେ ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ସବୁଠାରୁ ଚର୍ଚ୍ଚିତ ତଥା ପ୍ରତୀକ୍ଷିତ ମୁକାବିଲା ରବିବାର ଆଜି ଖେଳାଯିବ । ଦୁଇ ଚିର ଶତ୍ରୁ ତଥା ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ-ପାକିସ୍ତାନ ପୁଣି ଥରେ କ୍ରିକେଟ୍‌ ପଡ଼ିଆରେ ମୁହାଁମୁହିଁ ହେବେ । ସେଥିପାଇଁ ସାରା ବିଶ୍ବର ନଜର ଏବେ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋ ଉପରେ କେନ୍ଦ୍ରୀଭୂତ ହୋଇଛି । ଉଭୟ ଦଳ ଏହି କ୍ରିକେଟ୍‌ ମହାଯୁଦ୍ଧ ଲାଗି ଜୋର୍‌ଦାର ପ୍ରସ୍ତୁତି କରିଛନ୍ତି । ପିସିବି ଓ ବିସିସିଆଇର ବରିଷ୍ଠ ଅଧିକାରୀଙ୍କ ସହ ବିଭିନ୍ନ ଦେଶର କ୍ରିକେଟ୍‌ ବୋର୍ଡ ମୁଖ୍ୟ ଏହି ମହାଟକ୍କର ଲାଗି ଏବେ କଲମ୍ବୋରେ ଡେରା ପକାଇଛନ୍ତି ।

Advertisment

ସଲମାନ ଆଗାଙ୍କ ଦଳକୁ ସୂର୍ଯ୍ୟକୁମାର ଯାଦବଙ୍କ ସେନା ଏସିଆ କପ୍‌ ଭଳି ବିଶ୍ବକପ୍‌ରେ ମଧ୍ୟ ମାତ୍ ଦେବ ବୋଲି ଭାରତୀୟ କ୍ରିକେଟ୍‌ପ୍ରେମୀ ଦମ୍ଭ ଭରିଛନ୍ତି । ତେବେ ବିସ୍ମୟ ସ୍ପିନର୍‌ ଉସମାନ ତାରିକଙ୍କ ଅଜବ ତଥା ଅତି ବିବାଦୀୟ ବୋଲିଂ ଶୈଳୀକୁ ପାଥେୟ କରି ପାକିସ୍ତାନ ଦୀର୍ଘ ବ୍ୟବଧାନ ପରେ ଭାରତକୁ ହରାଇବାର ସ୍ବପ୍ନ ଦେଖିଛି । ବିଶ୍ବକପ୍‌ ସହ ପ୍ରେମଦାସା ଷ୍ଟାଡିୟମ୍‌ରେ ଭାରତର ରେକର୍ଡ ଯଥେଷ୍ଟ ଭଲ ଥିବାରୁ ଏହି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ପଲା ଭାରି ରହିବ ବୋଲି ଆଶା କରାଯାଉଛି । ଖେଳାଳି, ପ୍ରଶଂସକ, ଅଧିକାରୀ ଓ ବିଶେଷଜ୍ଞଙ୍କଠାରୁ ଆରମ୍ଭ କରି ପ୍ରସାରଣକାରୀ ସଂସ୍ଥା ପର୍ଯ୍ୟନ୍ତ ସମସ୍ତେ ଏହି ମହାସମରକୁ ନେଇ ଉତ୍ସାହିତ ଅଛନ୍ତି । 

ଅଧିକ ପଢନ୍ତୁ : ମହାମୁକାବିଲା ଉପରେ ମହାସଙ୍କଟ; ଧୋଇଯାଇପାରେ ଭାରତ-ପାକିସ୍ତାନ ମ୍ୟାଚ୍

ତେବେ କଲମ୍ବୋ ଆକାଶରେ ଏବେ କଳା ବାଦଲ ଘୋଟି ରହିଥିଲା ବେଳେ ରବିବାର ସନ୍ଧ୍ୟାରେ ଘଡ଼ଘଡ଼ି ସହ ଅସରାଏ ଦି ଅସରା ବର୍ଷା ହେବାର ପୂର୍ବାନୁମାନ ଏହି ଅପୂର୍ବ ଉତ୍ସାହ ତଥା ଉନ୍ମାଦକୁ ପାଣିଚିଆ କରିଦେବାର ଆଶଙ୍କାକୁ ବଢ଼ାଇଛି । ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଗତ ୫ଟି ମୁକାବିଲାରେ ଭାରତ ଲଗାତାର ବିଜୟୀ ହୋଇଥିବାରୁ ରବିବାର ମଧ୍ୟ ଏହି ଧାରା ବଜାୟ ରଖିବ ବୋଲି ଆଶା କରାଯାଉଛି ।