AI Chasma Photograph: (google)
ଆଉ ଗୋଟିଏ ଦିନ ପରେ ଦେଶ ପାଳିବ ଗଣତନ୍ତ୍ର ଦିବସ । ଏଥିପାଇଁ ସବୁଆଡ଼େ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି । ଜାନୁଆରୀ ୨୬ତାରିଖ ଦିନ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ ମୋଦୀ । ତେଣୁ ସୁରକ୍ଷା ବ୍ୟବସ୍ଥାରେ ଯେପରି କୌଣସି ସମସ୍ୟା ନହୁଏ ସେ ଦିଗରେ ଧ୍ୟାନ ଦିଆଯାଇଛି ।
ଏନେଇ ସୁରକ୍ଷା ଦାୟିତ୍ଵରେ ଥିବା ଅଧିକାରୀମାନେ କହିଛନ୍ତି, ଗଣତନ୍ତ୍ର ଦିବସ ପାଳନ ପୂର୍ବରୁ ରାଜଧାନୀ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା ପାଇଁ ୩୦,୦୦୦ ରୁ ଅଧିକ ପୁଲିସ ଏବଂ ୭୦ ରୁ ଅଧିକ ଅର୍ଦ୍ଧସାମରିକ ବାହିନୀ ନିୟୋଜିତ ହେବେ । ପ୍ରଥମଥର ପାଇଁ, ସୁରକ୍ଷା କର୍ମଚାରୀମାନେ ଏଆଇ ଯୁକ୍ତ ସ୍ମାର୍ଟ ଚଷମା ବ୍ୟବହାର କରିବେ । ଯାହା ଫେସ୍ ଡିଟେକସନ୍ ସହ ଥର୍ମାଲ୍ ଇମେଜିଂ ଟେକନିକ୍ ସହିତ ସଜ୍ଜିତ ରହିବ ।
ଭାରତରେ ନିର୍ମିତ ଏହି ସ୍ମାର୍ଟ ଚଷମାଗୁଡ଼ିକ ପୁଲିସ ଡାଟାବେସ୍ ସହିତ ଜୋଡ଼ିହୋଇ ରହିବ । ଏହାଦ୍ଵାରା ଅପରାଧୀ, ସନ୍ଦିଗ୍ଧ ଏବଂ ଘୋଷିତ ଅପରାଧୀଙ୍କୁ ସଠିକ ସମୟରେ ଚିହ୍ନଟ କରାଯାଇପାରିବ । ଏହା ସ୍ଥଳଭାଗରେ ନିୟୋଜିତ ସୁରକ୍ଷା କର୍ମୀମାନଙ୍କୁ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ବ୍ୟକ୍ତିମାନଙ୍କୁ ଶୀଘ୍ର ଚିହ୍ନଟ କରିବାରେ ସାହାଯ୍ୟ କରିବ । ଅତିରିକ୍ତ ପୁଲିସ କମିଶନର ଦେବେଶ କୁମାର ମାହାଲା କହିଛନ୍ତି, "ଏହି ସ୍ମାର୍ଟ ଚଷମା ପୁଲିସ ଅଧିକାରୀମାନଙ୍କ ଦ୍ୱାରା ବ୍ୟବହୃତ ମୋବାଇଲ୍ ଫୋନ୍ ସହିତ ସଂଯୋଗ ହେବ, ଯାହା ସେମାନଙ୍କୁ ଅପରାଧୀ ଡାଟାବେସ୍ ପ୍ରଦାନ କରାଇବ ।" ଯଦି କୌଣସି ବ୍ୟକ୍ତିଙ୍କର କୌଣସି ଅପରାଧିକ ଇତିହାସ ନାହିଁ, ତେବେ ସ୍ମାର୍ଟ ଚଷମାରେ ଏକ ସବୁଜ ବକ୍ସ ଦେଖାଯାଏ, ଯେତେବେଳେ ଲାଲ ବକ୍ସ ଏକ ଅପରାଧିକ ରେକର୍ଡକୁ ସୂଚିତ କରିବ । ଏହାସହ ଗଣତନ୍ତ୍ର ଦିବସ ସୁରକ୍ଷା ବ୍ୟବସ୍ଥାରେ ହଜାର ହଜାର CCTV କ୍ୟାମେରା ଲଗାଯାଇଛି ।
Follow Us