କନକ ବ୍ୟୁରୋ : ଦିନକୁ ଦିନ ଡ୍ରୋନର ଚାହିଦା ବଢ଼ିଚାଲିଛି। ଏବେ ଡ୍ରୋନ କେବଳ ଭିଡିଓ ସୁଟିଂ କିମ୍ବା ଫଟୋଗ୍ରାଫିରେ ସୀମିତ ନାହିଁ। କୃଷି, ଦୁର୍ବିପାକ ପରିଚାଳନା ଓ ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ଏହାର ବ୍ୟାପକ ବ୍ୟବହାର ହେଉଛି। ଏହି ପ୍ରଯୁକ୍ତିକୁ ଆଗକୁ ନେବା ପାଇଁ ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟରେ ଆୟୋଜିତ ହୋଇଛି ଏକ ହାଇ-ଟେକ୍ ‘ଡ୍ରୋନ ରେସ’।
ପବନ ବେଗରେ ଉଡ଼ିଚାଲିଛି ଡ୍ରୋନ। ଆଖି ପିଚୁଳାକେ ଆଗକୁ ବଢ଼ିଚାଲିଛି। କାରଣ ନିର୍ଦ୍ଧାରିତ ସମୟ ମଧ୍ୟରେ ପହଞ୍ଚିବାକୁ ହେବ ନିଜ ଗନ୍ତବ୍ୟସ୍ଥଳରେ। ଏଠି ଚାଲିଛି ଡ୍ରୋନ ରେସ୍। ବିଭିନ୍ନ ଶୈଳୀରେ ଅତ୍ୟାଧୁନିକ ଢଙ୍ଗରେ କୌଶଳ ଦେଖାଉଛି ଡ୍ରୋନ। ଏଥିରେ ଓଡ଼ିଶା ସମେତ ଅନ୍ୟାନ୍ୟ ରାଜ୍ୟର ବୈଷୟିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ସେମାନେ ନୂଆ-ନୂଆ ଡିଜାଇନର ଡ୍ରୋନ ତିଆରି କରି, ଉଚ୍ଚ ଗତି, ସ୍ଥିରତା ଓ ସଠିକ୍ ନିୟନ୍ତ୍ରଣର ପରୀକ୍ଷା କରିଥିଲେ। ବାଧାପୂର୍ଣ୍ଣ ଟ୍ରାକ୍ରେ ଡ୍ରୋନ ଉଡ଼ାଇ ପ୍ରତିଯୋଗୀମାନେ ନିଜ ଦକ୍ଷତା ପ୍ରମାଣିତ କରିଥିଲେ।
ଅଧିକ ପଢ଼ନ୍ତୁ : ୟୁକ୍ରେନ ଉପରେ ରୁଷର ବଡ଼ ଆକ୍ରମଣ : ୧୮ ମିସାଇଲ ସହ ୨୯୩ ଡ୍ରୋନ ଧ୍ୱଂସ, ୪ ମୃତ
ଏହି ପ୍ରକଳ୍ପକୁ ଆଗକୁ ନେଇ ବ୍ୟବସାୟିକ ମଡେଲ୍ କିମ୍ବା ଷ୍ଟାର୍ଟଅପରେ ପରିଣତ କରାଯାଇପାରେ। ଡ୍ରୋନ ପ୍ରସ୍ତୁତି, କୃଷି ସର୍ଭେ, ନିରୀକ୍ଷଣ ଓ ଡିଫେନ୍ସ ଟେକ୍ନୋଲୋଜିରେ ଏହାର ବ୍ୟାପକ ସମ୍ଭାବନା ରହିଛି। ଏପରି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କୁ ଇଞ୍ଜିନିୟରିଂ, କୋଡିଂ, ଏରୋଡାଇନାମିକ୍ସ ଓ ଇଲେକ୍ଟ୍ରୋନିକ୍ସର ବ୍ୟବହାରିକ ଅନୁଭବ ଦେଉଛି ବୋଲି କହିଛନ୍ତି ବିଶେଷଜ୍ଞ। ଡ୍ରୋନ ରେସ୍ କେବଳ ଏକ ପ୍ରତିଯୋଗିତା ନୁହେଁ ଏହା ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ କରିବା ସହ ଭବିଷ୍ୟତ ପ୍ରଯୁକ୍ତିର ଦିଗଦର୍ଶନ ସାଜିଛି।
Follow Us