କନକ ବ୍ୟୁରୋ: ମଧୁକାନ୍ତ ରଣା ଓ ରାଜା ସାହାଣୀ କମିସନରେଟ୍ ପୁଲିସର ନିଦ ହଜାଇଛନ୍ତି ଜେଲ୍ରୁ ଚମ୍ପଟ୍ ମାରିଥିବା ଏହି ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ । ହତ୍ୟାକାଣ୍ଡ ମାମଲାରେ ଜେଲରେ ଥିଲେ । ହେଲେ ରାତାରାତି ହାଇସିକ୍ୟୁରିଟି ସେଲ୍ ଭାଙ୍ଗି ଚୌଦ୍ବାରରୁ ଚମ୍ପଟ ମାରିବା ପରେ, ପୁଲିସର ଅକଲ ଗୁଡୁମ । ପୋଷ୍ଟର ମାରି ମାରି ହାଲିଆ ହେବା ପରେ, ଆକ୍ସନ ମୋଡକୁ ଆସିଛି ପୁଲିସ । ହାର୍ଡକୋରଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଥିବା ପୁଲିସ କହିଛି । ଓଡ଼ିଶା, ଛତିଶଗଡ ସମେତ ବିହାରରେ ଅତର୍କିତ ରେଡ୍ ମାରିଛି କମିସନରେଟ୍ ପୁଲିସ । ହେଲେ ୨ ଅଭିଯୁକ୍ତ ପୁଲିସକୁ ଚକମା ଦେଇ ଫେରାର ଅଛନ୍ତି । ଏପଟେ ଓଡ଼ିଶାର ସବୁଠୁ ବଡ଼ ଜେଲ୍ ଚୌଦ୍ୱାରରେ କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ କେମିତି ଏହି ଦୁଇ କଏଦୀ ଖସିଗଲେ ସେନେଇ ଛାନଭିନ୍ ଆରମ୍ଭ ହୋଇଛି ।
ଦାଗୀ, ହତ୍ୟାକାରୀ, ଦୁଷ୍କର୍ମକାରୀ, ଚିଟ୍ଫଣ୍ଡ ଠକଙ୍କ ଭଳି ଜଘନ୍ୟ ଅପରାଧୀ ଚୌଦ୍ୱାର ସର୍କଲ ଜେଲ୍ରେ ଅଛନ୍ତି । ଜେଲ୍ର ସୁରକ୍ଷା ବ୍ୟବସ୍ଥା ସହ ସିସିଟିଭି ବି ଲାଗିଛି । ହେଲେ, ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଜେଲ୍ରୁ ଫିଲ୍ମ ଷ୍ଟାଇଲରେ ଫେରାର ମାରିବା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଛି । ଯେଉଁଥିପାଇଁ ଜେଲ ବିଭାଗର ଧଜ୍ଜିଆ ଉଡିଥିବା କହିଛନ୍ତି ପୁର୍ବତନ ଜେଲ ଅଧିକ୍ଷକ ।
ଚୌଦ୍ୱାର ଜେଲ୍ରୁ ଯଦି ସେଲ୍ କାଟି ଅପରାଧୀ ଚମ୍ପଟ ମାରିବାରେ ସଫଳ, ତାହେଲେ ଅନ୍ୟ ଜେଲର ଅବସ୍ଥା କ’ଣ ଥିବ ? କିଏ ଜାଣେ ଏବେ ଆଉ କେଉଁ କଏଦୀ, ପାଚେରି ଡେଇଁବା ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିବ ? ଏସବୁ ରୋକିବ କିଏ ? କ’ଣ କହୁଛି ଜେଲ୍ ମାନୁଆଲ୍ ଆଉ କ’ଣ କରୁଛନ୍ତି ଜେଲ୍ ମୁଖିଆ?