କନକ ବ୍ୟୁରୋ: ସାଇବର ଅପରାଧ ଉପରମୁହାଁ । ଶ୍ବେତପତ୍ରରେ ଅପରାଧର ଚିତ୍ର। ମୋଟ୍‌ ଆପରାଧିକ ମାମଲା ୨ ଲକ୍ଷ ଟପିଲା ଦିନକୁ ୮ରୁ ଅଧିକ ଦୁଷ୍କର୍ମ, ୩ ହତ୍ୟାକାଣ୍ଡ । ଚାର୍ଜସିଟ୍‌ ଦେବାରେ ପଛୁଆ ପୁଲିସ ବାବୁ । ସାମାଜିକ ଗଣମାଧ୍ୟମରେ ଶିଶୁଙ୍କ ଅଶ୍ଳୀଳ ଭିଡ଼ିଓ ବଢ଼ୁଛି । ୨୦୨୪ରେ ରାଜ୍ୟରେ ଆପରାଧିକ ମାମଲା ସଂଖ୍ୟା ୨ ଲକ୍ଷ ଟପିଯାଇଛି । ୨୦୨୩ରେ ଏହି ସଂଖ୍ୟା ୧ ଲକ୍ଷ ୯୯ ହଜାର ଥିଲାବେଳେ ୨୦୨୪ରେ ରୁଜୁ ହୋଇଥିବା ଗୁରୁତର ଅପରା‌ଧ ମାମଲା ସଂଖ୍ୟା ୨ ଲକ୍ଷ ୧୪ ହଜାର ୧୧୩ ହୋଇଛି । ଏହା ମଧ୍ୟରୁ ୧,୩୯,୦୦୧ ମାମଲାରେ ଚାର୍ଜସିଟ୍‌ ଦାଖଲ କରାଯାଇଛି । 

Advertisment

ଆଜି ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ଶ୍ବେତପତ୍ରରେ ଏହି ତଥ୍ୟ ଦିଆଯାଇଛି । ତେବେ ସାଇବର୍‌ ଅପରାଧ ସଂଖ୍ୟା ପ୍ରତି ବର୍ଷ ବଢ଼ୁଥିବାର ତଥ୍ୟ ଚିନ୍ତା ବଢ଼ାଇଦେଇଛି । ୨୦୨୩ରେ ସାଇବର୍‌ ଅପରାଧ ଭିତ୍ତିକ ମାମଲା ୨୩୪୮ ଥିଲା ବେଳେ ୨୦୨୪ରେ ତାହା ୨୫୦୧ରେ ପହଞ୍ଚିଛି । ସେଥିରୁ ମାତ୍ର ୨୭୨ଟି ଅର୍ଥାତ ୧୧% ମାମଲାରେ ଚାର୍ଜସିଟ୍‌ ହୋଇଛି । ୭୫୦ ଜଣ ଅଭିଯୁକ୍ତ ଏହି ଅପରାଧରେ ସଂପୃକ୍ତ ଥିଲା ବେଳେ ୫୮୧ ଜଣ ଅପରାଧୀଙ୍କୁ ରାଜ୍ୟ ଭିତରୁ ଓ ବାହାରୁ ଗିରଫ କରାଯାଇଛି। 

ଦୁଷ୍କର୍ମ ଓ ହତ୍ୟାକାଣ୍ଡ ଘଟଣା ଅତ୍ୟନ୍ତ ଉଦ୍‌ବେଗର ବିଷୟ ହୋଇଛି । ୨୦୨୪ରେ ମ‌ୋଟ୍‌ ୩୦୫୪ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ଏହା ମଧ୍ୟରୁ ୨୯୮୬ ମାମଲା ସତ୍ୟ ବୋଲି ସରକାର ସ୍ବୀକାର କରିଛନ୍ତି । ତେବେ ଚାର୍ଜସିଟ୍‌ ହାର ୬୪% ରହିଛି ଅର୍ଥାତ ୧୯୪୮ଟି ମାମଲାରେ ଚାର୍ଜସିଟ୍‌ ଦାଖଲ ହୋଇଛି । ମୋଟ୍‌ ମାମଲାକୁ ହିସାବକୁ ନେଲେ ରାଜ୍ୟରେ ପ୍ରତିଦିନ ୮ରୁ ଅଧିକ ଦୁଷ୍କର୍ମ ମାମଲା ହେଉଛି ବୋଲି ଧରିବାକୁ ପଡ଼ିବ । ସେମିତି ହତ୍ୟାକାଣ୍ଡ ମାମଲାରେ ଚାର୍ଜସିଟ୍‌ ହାର ଆହୁରି ଦୁର୍ବଳ। ୨୦୨୪ରେ ୧୨୮୫ଟି ହତ୍ୟାକାଣ୍ଡ ମାମଲା ରୁଜୁ ହୋଇଥିଲା ବେଳେ ସେଥିରୁ ୧୨୧୫ଟି ସତ ବୋଲି ସ୍ବୀକାର କରାଯାଇଛି। ଏହା ମଧ୍ୟରୁ ୫୪୨ଟି ଅର୍ଥାତ ୪୫% ମାମଲାରେ ଚାର୍ଜସିଟ୍‌ ହୋଇଛି। ଦଙ୍ଗା ଘଟଣାରେ ମଧ୍ୟ ୪୩% ମାମଲାରେ ଚାର୍ଜସିଟ୍‌ ହୋଇଛି।     ତଥ୍ୟ କହୁଛି, ୨୩୩ କୋଟି ୯୮ ଲକ୍ଷ ଟଙ୍କା ଚୋର ନେଇଯାଇଛନ୍ତି। କିନ୍ତୁ ଉଦ୍ଧାର ପରିମାଣ ମାତ୍ର ୫୧ କୋଟି ୧୮ ଲକ୍ଷ ଟଙ୍କା। ସେହିଭଳି ରାଜ୍ୟରେ ୧୨୩୭୫ ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ୫୦% ମାମଲାରେ ଚାର୍ଜସିଟ୍‌ ଦାଖଲ କରାଯାଇଛି। 

ରାଜ୍ୟରେ ମାଓବାଦୀଙ୍କ କାର୍ୟ୍ୟକଳାପ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି ବୋଲି ଶ୍ବେତପତ୍ରରେ ଦର୍ଶାଯାଇଛି। ସାମାଜିକ ଗଣମାଧ୍ୟମରେ ଶିଶୁଙ୍କ ଅଶ୍ଳୀଳ ଭିଡ଼ିଓ ଭାଇରାଲ୍  ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହି ଭାଇରାଲ୍ ଭିଡିଓ ପାଇଁ ଅଧିକାଂଶ ସମୟରେ ପୀଡ଼ିତା ଆତ୍ମହତ୍ୟା କରୁଥିବା ଭଳି ଅଭିଯୋଗ ହେଉଥିଲେ ହେଁ ଏହା ଉପରେ ରୋକ୍ ଲଗାଯାଇପାରୁନି । ୨୦୨୩ ତୁଳନାରେ ୨୦୨୪ରେ ପ୍ରାୟ ଦୁଇ ଗୁଣା ଭିଡିଓ ଭାଇରାଲ୍ ହୋଇଥିବା ନେଇ ମାମଲା ଆସିଛି । କିନ୍ତୁ ସମସ୍ତଙ୍କୁ ଏପର୍ୟ୍ୟନ୍ତ ନ୍ୟାୟ ମିଳିପାରିନି ।