କନକ ବ୍ୟୁରୋ: ଦିନ ତମାମ ଆଜି ହାଇପ୍ରୋଫାଇଲ ମହିଳାଙ୍କ ଗିରଫଦାରୀକୁ ନେଇ ଚର୍ଚ୍ଚା। ସ୍ୱାମୀ ସ୍ତ୍ରୀର ପରିଚୟ ଦେଇ ଠକ ଦମ୍ପତିଙ୍କ କାରନାମା ଦେଖି ପୁଲିସ ବି ତାଜୁବ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଠକ ଧୁରନ୍ଧର ମାନେ  ପ୍ରଧାମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତାଙ୍କ ଝିଅ, ଜ୍ୱାଇଁର ପରିଚୟ ଦେଇ ଏକାଧକ ଖଣି ମାଲିକ ଓ ବିଲଡରଙ୍କୁ ଚୁନା ଲଗାଇଥିବା ଅଭିଯୋଗ ହୋଇଛି। ଇନଫୋସିଟି ଥାନା ପୁଲିସ ହଂସିତା ଅଭିଲିପ୍ସା ଓ ଅନୀଲ ମହାନ୍ତିଙ୍କୁ ବାନ୍ଧି ଜେଲ ପଠାଇଛି। 

Advertisment
  • ରାଜଧାନୀ ଭୁବନେଶ୍ୱରର ବଣ୍ଟି, ବବ୍‌ଲି   
  • ହାଇପ୍ରୋଫାଇଲ ଦମ୍ପତିଙ୍କ ଠକେଇ ରାକେଟ୍‌ 

ବନ୍ଧା ହେଲେ ରାଜଧାନୀର ହାଇ ପ୍ରୋଫାଇଲ ବଣ୍ଟି, ବବଲି। ବଣ୍ଟି ବାଟ ଦେଖାଉଥିଲା ଆଉ ବବଲି ଲୁଟୁଥିଲା। ଛୋଟିଆ ମୋଟିଆ ଡିଲ ନୁହେଁ କୋଟିଏ ତଳକୁ ହାତ ମାରୁନଥିଲେ ଏହି ଚାଲବାଜ ଠକ। ଲୁଟର କୌଶଳ ବି ଥିଲା ସବୁଠୁ ନିଆରା। ନବାବଙ୍କ ଭଳି ଥାଟବାଟ୍ । ଗୋଡରୁ ମୁଣ୍ଡ ସବୁକିଛି ବ୍ରାଣ୍ଡେଡ୍। ଲମ୍ୱା ଲମ୍ୱା ଗାଡି ସାଙ୍ଗକୁ ବଡ ଅଫିସ ଦେଖି ଯେକେହି ବି ଏମାନଙ୍କ ଜାଲରେ ପଡିବାଟା ସ୍ୱାଭାବିକ।

ଖାଲି ସେତିକି ନୁହେଁ ଏମାନେ ପ୍ରଭାବଶାଳୀଙ୍କ ସହ ନିଜର ଫଟୋକୁ ଦେଖାଇ ପତିଆରା ଜାହିର କରୁଥିଲେ। କେତେବେଳେ ରାଜ୍ୟପାଳଙ୍କ ଭଉଣୀ, ତ ପୁଣି କେତେବେଳେ ଏମାନେ ବନି ଯାଉଥିଲେ ପ୍ରଧାମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତାଙ୍କ ଝିଅ, ଜ୍ୱାଇଁ। ଖଣିଠୁ ପାଣି ସବୁ କିଛି ବିଭାଗ ତାଙ୍କ ପକେଟରେ ବୋଲି କହି ବୁଲୁଥିଲେ ଏହି ବଣ୍ଟି, ବବଲି। ତେବେ ଏସବୁ ନକଲି ଫଟୋ ଏବଂ ଏମାନେ କୌଣସି ପ୍ରଭାବଶାଳୀଙ୍କ ସମ୍ପର୍କୀୟ ନୁହଁନ୍ତି ବୋଲି ସ୍ପଷ୍ଟ କରିଛି ପୁଲିସ। ଏହି ଧୁର୍ତ୍ତ ବଣ୍ଟି, ବବଲି ହେଉଛନ୍ତି- ହଂସିତା ଅଭିଲିପ୍ସା ଓ ଅନୀଲ ମହାନ୍ତି। 

ଜଣେ କି ଦୁଇ ଜଣ ନୁହେଁ ଶତାଧିକ ଲୋକଙ୍କୁ ଏମାନେ ଚୁନା ଲଗାଇ ହୋଇଛନ୍ତି ମାଲାମାଲ। ଯାହାକୁ ଥରେ ଲୁଟିଛନ୍ତି ତାଙ୍କୁ ତଳି ତଳାନ୍ତ କରି ଦେଇଛନ୍ତି। ଖଣି ମାଲିକ ଓ ବିଲଡରଙ୍କ ଠାରୁ କାମ କରାଇଦେବାର ପ୍ରତିଶୃତି ଦେଇଥିବା ଏହି ଠକ ଦମ୍ପତିଙ୍କ ନାଁରେ ଇନଫୋସିଟି ଥାନାରେ ଅଭିଯୋଗ ହେବା ପରେ, ପୁରା ଘଟଣା ସାମନାକୁ ଆସିଛି। ତେବେ ଏମାନଙ୍କ ଦ୍ୱାରା ବହୁତ ଲୋକ ଠକେଇର ଶୀକାର ହୋଇଥିବା ପୁଲିସ ଅନୁମାନ କରୁଛି। ତେଣୁ ଠକେଇର ଶୀକାର ଲୋକମାନେ ସ୍ଥାନୀୟ ଥାନା କିମ୍ୱା ଇନଫୋସିଟି ପୁଲିସ ପାଖରେ ଅଭିଯୋଗ କରିବାକୁ ଅନୁରୋଧ କରିଛନ୍ତି ଅତିରିକ୍ତ ଡିସିପି।

ଏଠାରେ ପ୍ରଶ୍ନ ଉଠୁଛି...

  •  ହଂସିତା ଏବଂ ଅନୀଲଙ୍କ ପଛରେ ଥିବା ମାଷ୍ଟର ମାଇଣ୍ଡ କିଏ?
  •  କାହା ଛତ୍ରଛାୟା ତଳେ ରହି ଏମାନେ ଲୋକଙ୍କୁ ଲୁଟୁଥିଲେ?
  •  କେବଳ ଖଣି ମାଲିକ ନା ଏମାନଙ୍କ ଜାଲରେ ପଡ଼ିଛନ୍ତି ଆଉ କେଉଁ ପ୍ରଭାବଶାଳୀ?

ଏହି ହାଇ ପ୍ରୋଫାଇଲ ବଣ୍ଟି ବବଲିଙ୍କ ପଲିଟିକାଲ ଲିଙ୍କକୁ ନେଇ ଚାଲିଛି ଖୋଳତାଡ