ସମୟ ଥାଉ ଥାଉ କରୋନା ମୁକାବିଲା ପାଇଁ ଅଣ୍ଟା ଭିଡିଲେଣି କେନ୍ଦ୍ର ସରକାର । କାଲି କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ । ସେପଟେ ସଂକ୍ରମଣ ବଢୁଥିବାରୁ ରାଜ୍ୟମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଅନ୍ୟପଟେ ଚିନ୍ତା ବଢ଼ାଇଲାଣି ୬ ସଂକ୍ରମିତଙ୍କ ମୃତ୍ୟୁ । ମହାରାଷ୍ଟ୍ରରୁ ୩, କେରଳରୁ ୨ ଓ କର୍ଣ୍ଣାଟକରେ ଜଣଙ୍କ ଜୀବନ ନେଇଛି କରୋନାର ନୂଆ ପ୍ରଜାତି ଜେଏନ୍ ଡଟ୍ ୱାନ୍ । ସେହିପରି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ସବୁଠୁ ଅଧିକ ସଂକ୍ରମିତ କେରଳରୁ ଚିହ୍ନଟ ହେଉଛନ୍ତି । ପରେ ମହାରାଷ୍ଟ୍ର ଓ ଦିଲ୍ଲୀ ରହିଛନ୍ତି । ଏଥିସହ ଦକ୍ଷିଣ ଭାରତ ରାଜ୍ୟରେ ମଧ୍ୟ ସଂକ୍ରମଣରେ ଲଗାମ୍ ଲାଗୁନି ।
ଦେଶରେ ଓମିକ୍ରନ୍ର ୪ ଟି ଉପପ୍ରଜାତି ଦେଖିବାକୁ ମିଳିଛି । ବଢ଼ୁଛି ଏଲ୍ଏଫ୍ ଡଟ୍ ସେଭେନ୍, ଜେଏନ୍ ଡଟ୍ ୱାନ୍, ଏନ୍ବି ୱାନ୍ ଏଇଟ ୱାନ୍, ଏକ୍ସଏଫ୍ଜି ସଂକ୍ରମିତଙ୍କ ସଂଖ୍ୟା । ଦେଶରେ ସଂକ୍ରମଣ ବଢ଼ିବା ଭିତରେ ଆଇସିଏମ୍ଆର ସତର୍କ ରହିବାକୁ ଓ ଭୟଭୀତ ନ ହେବାକୁ କହିଛି । ତେବେ ସ୍ଥିତିକୁ ଦେଖି ଡାକ୍ତରଖାନାରେ ଆବଶ୍ୟକୀୟ ଔଷଧ, ବେଡ୍ ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟ ଉପକରଣ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । କରୋନାର ପୂର୍ବ ପ୍ରଜାତି ଓ ଉପପ୍ରଜାତି ପରି ଏହି ନୂଆ ଭୂତାଣୁରେ ମଧ୍ୟ ସଂକ୍ରମିତଙ୍କ ନିକଟରେ ସମାନ ଲକ୍ଷଣ ପ୍ରକାଶ ପାଉଛି ।