କନକ ବ୍ୟୁରୋ: ଭୁବନେଶ୍ବରରେ ମେଟ୍ରୋ ପ୍ରକଳ୍ପ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି । ଏନେଇ ସୂଚନା ଦେଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଯେଉଁଠି ମେଟ୍ରୋ ଅଛି, ସେସବୁ ଜାଗାକୁ ଯାଇ ଏହି କମିଟି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ସେଠାକାର ମେଟ୍ରୋ ଓ ମେଟ୍ରୋର ରୁଟ୍କୁ ନେଇ ତର୍ଜମା ଚାଲିଛି । ରୁଟ୍ ପରିବର୍ତ୍ତନ ହେବ କି ନାହିଁ, ସେ ନେଇ ଆଲୋଚନା ହୋଇଛି । ସେହିପରି ମେଟ୍ରୋ ପ୍ରକଳ୍ପ କେମିତି ଚାଲିଛି, ସେ ନେଇ ମଧ୍ୟ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ।
ମେଟ୍ରୋ ରେଳ ପ୍ରକଳ୍ପ ନେଇ ୬ ହଜାର ୨୫୫ କୋଟି ଟଙ୍କା ବ୍ୟୟରେ ହେଉଛି ଏହି ପ୍ରକଳ୍ପ । ଏହି ପ୍ରକଳ୍ପ ବିଶେଷ ଭାବରେ ୨୦୨୭ ସୁଦ୍ଧା ଶେଷ ହେବ ବୋଲି ଲକ୍ଷ୍ୟ ରଖାଯାଇଛି । ତେବେ ଏହାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ଏୟାରପୋର୍ଟରୁ ତ୍ରିଶୂଳିଆ ଛକ ପର୍ଯ୍ୟନ୍ତ ପ୍ରାୟ ୨୬ କିଲୋମିଟର ପର୍ୟ୍ୟନ୍ତ ଏହି ମେଟ୍ରୋ ରେଳ ଚଳାଚଳ କରିବ । ଏହା ମଧ୍ୟରେ ରହିଛି ୨୦ଟି ମେଟ୍ରୋ ରେଳ ଷ୍ଟେସନ ରହିବ । ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏମଆରସି) ପରାମର୍ଶଦାତା ଭାବରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବା ନେଇ ସୂଚନା ମିଳିଛି । ଏହା ସହ ତ୍ରିଶୁଳିଆରୁ ନନ୍ଦନକାନନ ରାସ୍ତା ପାର୍ଶ୍ବରେ ଥିବା ବଡ଼ ବଡ଼ ଗଛକୁ ମଧ୍ୟ କଟା ଯାଇ ରାସ୍ତାକୁ ଚଉଡା କରାଯାଉଛି ।