କନକ ବ୍ୟୁରୋ: ଲର୍ଡସ ଟେଷ୍ଟରେ ଦେଖିବାକୁ ମିଳିଛି ହାଇଡ୍ରାମା । ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟେଷ୍ଟର ତୃତୀୟ ଦିନରେ ଏକ ବିବାଦ ଦେଖିବାକୁ ମିଳିଥିଲା । ଯେତେବେଳେ ଇଂଲଣ୍ଡର ଓପନର୍ ଜ୍ୟାକ୍ କ୍ରାର୍ଲି ଏବଂ ଭାରତୀୟ ଅଧିନାୟକ ଶୁଭମନ ଗିଲଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଦ୍ବିତୀୟ ଇଂନିସର ଶେଷ ଓଭରରେ କ୍ରାର୍ଲି ସମୟ ନଷ୍ଟ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଥିଲା, ଯାହାକୁ ନେଇ ଗିଲ୍ ପଡ଼ିଆରେ ରାଗିଯାଇଥିଲେ । 

Advertisment

ଖେଳ ଶେଷ ହେବାକୁ ମାତ୍ର କିଛି ସମୟ ବାକି ଥିବା ବେଳେ କ୍ରଲି ବାରମ୍ବାର ବ୍ୟାଟିଂରୁ ଓହରି ଯାଇଥିଲେ ଏବଂ ଫିଜିଓଙ୍କୁ ଡାକିଥିଲେ । ଏହାକୁ ନେଇ ଭାରତୀୟ ଖେଳାଳିମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଅଧିନାୟକ ଗିଲ୍ କ୍ରା କ୍ରାର୍ଲିଙ୍କ ସହ ଯୁକ୍ତି କରିଥିବା ବେଳେ ଯଶପ୍ରୀତ ବୁମରା ବ୍ୟଙ୍ଗାତ୍ମକ ଭାବେ ତାଳି ମାରିଥିଲେ । ଏହି ଘଟଣା ଯୋଗୁଁ କେବଳ ଗୋଟିଏ ଓଭର ଖେଳାଯାଇ ପାରିଥିଲା ଏବଂ ଇଂଲଣ୍ଡ ଦିନ ଶେଷ ସୁଦ୍ଧା କୌଣସି ୱିକେଟ୍ ନ ହରାଇ ୨ ରନ୍ କରିଥିଲା ।

ଏହି ଘଟଣାକୁ ନେଇ ଇଂଲଣ୍ଡର ବୋଲିଂ କୋଚ୍ ଟିମ୍ ସାଉଦି ଭାରତୀୟ ଅଧିନାୟକ ଶୁଭମନ ଗିଲଙ୍କୁ ସମାଲୋଚନା କରିଛନ୍ତି । ସାଉଦି କହିଛନ୍ତି ଯେ, ଗିଲ୍ ନିଜେ ଦ୍ୱିତୀୟ ଦିନରେ ପଡ଼ିଆରେ ମସାଜ୍ ନେଇ ସମୟ ନଷ୍ଟ କରିଥିଲେ, ତେଣୁ ତାଙ୍କର ଏଭଳି ଅଭିଯୋଗ କରିବାର କୌଣସି ଅଧିକାର ନାହିଁ । ସେ ଏହାକୁ ଗିଲଙ୍କ "ଦୋମୁହାଁ ନୀତି" ବୋଲି କହିଛନ୍ତି । ସାଉଦିଙ୍କ ମତରେ, ଖେଳ ଶେଷ ବେଳକୁ ଏଭଳି ଘଟଣା ସ୍ୱାଭାବିକ ଏବଂ ଏହା ଖେଳର ଏକ ଅଂଶ । 

ଅନ୍ୟପଟେ, ଭାରତୀୟ ଦଳର ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ କେଏଲ୍ ରାହୁଲ ଏହି ପ୍ରସଙ୍ଗରେ ଏକ ଭିନ୍ନ ମତ ଦେଇଛନ୍ତି । ଜଣେ ଓପନିଂ ବ୍ୟାଟ୍ସମ୍ୟାନ୍ ଭାବରେ ସେ କ୍ରାଉଲିଙ୍କ ପରିସ୍ଥିତିକୁ ବୁଝିପାରୁଛନ୍ତି ବୋଲି କହିଛନ୍ତି । ରାହୁଲଙ୍କ ଅନୁଯାୟୀ, ଦିନ ଶେଷରେ ଏପରି ଘଟଣା ଖେଳର ଏକ ଅଂଶ । ସେ ସ୍ୱୀକାର କରିଛନ୍ତି ଯେ ଭାରତୀୟ ଦଳ ଶେଷ ୬ ମିନିଟରେ ଦୁଇଟି ଓଭର ବୋଲିଂ କରିବାକୁ ଚାହୁଥିଲା ଏବଂ କ୍ରାର୍ଲିଙ୍କ କାର୍ଯ୍ୟକଳାପକୁ ସେ "ନାଟକବାଜି" ବୋଲି କହିଥିଲେ । ରାହୁଲ ଏହା ମଧ୍ୟ କହିଛନ୍ତି ଯେ ଦିନସାରା ଫିଲ୍ଡିଂ କରିବା ପରେ ଶେଷ ଦୁଇ ଓଭର ବ୍ୟାଟିଂ କରିବା କେତେ କଷ୍ଟକର ।

ସେହିପରି ଭାରତୀୟ ପୂର୍ବତନ ଖେଳାଳି ସୁନୀଲ ଗାଭାସ୍କର ଏହି ଘଟଣାରେ ଇଂଲଣ୍ଡ ଓପନରଙ୍କୁ ସମର୍ଥନ କରିଛନ୍ତି । ଆଉ କହିଛନ୍ତି, ଜଣେ ଓପନିଂ ବ୍ୟାଟ୍ସମ୍ୟାନ୍‌ଙ୍କ ପାଇଁ ନାଇଟ୍‌ୱାଚ୍‌ମ୍ୟାନ୍‌ର ସୁବିଧା ନଥାଏ । ତେଣୁ ଦିନର ଶେଷ ଭାଗରେ ବ୍ୟାଟିଂ କରିବାକୁ କେହି ପସନ୍ଦ କରନ୍ତି ନାହିଁ । ତାଙ୍କ ମତରେ, ଯଶପ୍ରୀତ ବୁମରାଙ୍କ ବଲ୍‌ରେ ଆଘାତ ଲାଗିବା ପରେ ଫିଜିଓଙ୍କୁ ଡାକିବାରେ କ୍ରଲିଙ୍କର ସମ୍ପୂର୍ଣ୍ଣ ଅଧିକାର ରହିଛି । 

ଗାଭାସ୍କର ଏହି ବିବାଦ ପଛରେ ଆଉ ଏକ କାରଣ ମଧ୍ୟ ଦର୍ଶାଇଛନ୍ତି । ତାଙ୍କ ମତରେ, ଇଂଲଣ୍ଡର ଅଧିକାଂଶ ଖେଳାଳି ଆଇପିଏଲ୍‌ରେ ଅଂଶଗ୍ରହଣ କରୁନଥିବାରୁ ଭାରତୀୟ ଖେଳାଳିଙ୍କ ସହ ସେମାନଙ୍କର ସେତେଟା ଭଲ ସମ୍ପର୍କ ନାହିଁ । ଅନ୍ୟ ଦେଶର ଖେଳାଳିମାନେ ଆଇପିଏଲ୍‌ରେ ଏକାଠି ଖେଳିବା ଦ୍ୱାରା ସେମାନଙ୍କ ମଧ୍ୟରେ ଏକ ବନ୍ଧୁତା ସୃଷ୍ଟି ହୋଇଥାଏ, ଯାହା ଇଂଲଣ୍ଡ ଖେଳାଳିଙ୍କ କ୍ଷେତ୍ରରେ ଦେଖିବାକୁ ମିଳେ ନାହିଁ । ଏହି କାରଣରୁ ପଡ଼ିଆରେ ଏଭଳି ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେଉଛି ବୋଲି ସେ କହିଛନ୍ତି ।