ବିଧାନସଭା ଗେଟ୍ ଆଗରେ ପୁଣି ହାଇଡ୍ରାମା ; ଅସୁସ୍ଥ ହେଲେ ରାମଚନ୍ଦ୍ର କାଡାମ, ଅଶୋକ ଦାସ

ବିଧାନସଭା ଗେଟରେ ଆଜି ପୁଣି ହାଇଡ୍ରାମା । ଭିତରକୁ ଯିବାକୁ କଂଗ୍ରେସ ବିଧାୟକଙ୍କ ଉଦ୍ୟମ । ଛାଡିଲାନି ପୋଲିସ, ସବୁ ଗେଟରେ ଦେଲେ ଧାରଣା । ଅସୁସ୍ଥ ହେଲେ ରାମଚନ୍ଦ୍ର କାଡାମ, ନାପସନ୍ଦ କଲା ବିଜେଡି। କଟାକ୍ଷ କଲା ବିଜେପି ।

କଂଗ୍ରେସ ପ୍ରୋଟେଷ୍ଟ

କଂଗ୍ରେସ ପ୍ରୋଟେଷ୍ଟ Photograph: (କନକ ନ୍ୟୁଜ୍)

କନକ ବ୍ୟୁରୋ: ଥମୁନି ନିଲମ୍ବିତ କଂଗ୍ରେସ ବିଧାୟକ ଓ ଶାସକ ଦଳ ମଧ୍ୟରେ ଚାଲିଥିବା ଲଢ଼େଇ। ଗୋଟିଏ ପଟେ ବିଧାନସଭା ଭିତରକୁ ପ୍ରବେଶ ପାଇଁ ଗେଟ ସମ୍ମୁଖରେ ଉଦ୍ୟମ କରିଛନ୍ତି ଅନ୍ୟପଟେ ପୁଣି ଥରେ ପୋଲିସ ସେମାନଙ୍କୁ ଅଟକ ରଖିଛି। ଅନ୍ୟପଟେ କଂଗ୍ରେସ କର୍ମୀଙ୍କ ବିରୋଧରେ ତାଲିକା ପ୍ରସ୍ତୁତ କରି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ପୋଲିସ। 

ବିଧାନସଭା ଭିତରୁ ଓ ବାହାରୁ ଆଜି ଏମିତି ଦୁଇଟି ଦୃଶ୍ୟ ଦେଖିବାକୁ ମିଳିଥିଲା। ଗୋଟିଏ ପଟେ ଗୃହଭିତରେ ସ୍ବାଭାବିକ ଭାବେ ଚାଲିଥିଲା ପ୍ରଶ୍ନକାଳ ଓ ଅନ୍ୟଟିରେ ବିଧାନସଭା ଗେଟ ସମ୍ମୁଖରେ ପଶିବାକୁ ଉଦ୍ୟମ କରୁଥିଲେ ଗୃହରୁ ନିଲମ୍ବିତ କଂଗ୍ରେସ ବିଧାୟକ। ପୋଲିସ ଅଟକାଇବାରୁ ସବୁ ଗେଟରେ ଭାଗ ଭାଗ ହୋଇ ଧାରଣାରେ ବସିଥିଲେ କଂଗ୍ରେସ ବିଧାୟକ ଦଳ ନେତାଙ୍କ ସମେତ ଅନ୍ୟ ବିଧାୟକ। ଏପରିକି ଧାରଣାରେ ବସିଥିବାବେଳେ ରାମଚନ୍ଦ୍ର କାଡାମ ଅସୁସ୍ଥ ହୋଇପଡିଥିଲେ। ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରିଥିଲା। 

କଂଗ୍ରେସ ବିଧାୟକଙ୍କୁ ବିଧାନସଭା ଭିତରକୁ ଯିବାକୁ ଅନୁମତି ନଦେବାକୁ ଠିକ୍ ନୁହେଁ ବୋଲି କହିଛନ୍ତି ବିଜେଡି ବିଧାୟକ। ଅନ୍ୟପଟେ କଂଗ୍ରେସ ବିଧାୟକ ଗେଟ ପାଖରେ ଆସି ଧାରଣା ଦେବାକୁ କଟାକ୍ଷ କରିଛନ୍ତି ବିଜେପି ବିଧାୟକ।  ନାରୀ ନିର୍ଯାତନା ପ୍ରସଙ୍ଗରେ କଂଗ୍ରେସ ଓ ଶାସକ ଦଳ ଲଢ଼େଇ ଭିତରେ, ଲୋୟର ପିଏମଜିରେ ୨୭ରେ ଘଟିଥିବା ଖଣ୍ଡଯୁଦ୍ଧକୁ ନେଇ ଆକ୍ସନମୋଡକୁ ଆସିଛି କମିଶନରେଟ୍ ପୋଲିସ। ଲୋୟର ପିଏମଜିରେ ହିଂସା ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ମିର୍ଜା ଇସଲାମ ବାଗ ନାମକ କଂଗ୍ରେସ କର୍ମୀଙ୍କୁ ଗିରଫ କରିଛି ପୋଲିସ। ଏବଂ ଆଉ କିଛି ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି ଓ ଖୁବଶୀଘ୍ର ଧରା ହେବେ ବୋଲି କହିଛନ୍ତି ଡିସିପି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe