କନକ ବ୍ୟୁରୋ : ଲାଇଭଷ୍ଟକ୍ ଇନ୍ସପେକ୍ଟର, ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ନିଯୁକ୍ତି ମାମଲାରେ ପୂର୍ଣ୍ଣଚ୍ଛେଦ ପକାଇଲେ ହାଇକୋର୍ଟ । ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟତା ଅର୍ଜନ କରିଥିବା କେତେକ ପ୍ରାର୍ଥୀଙ୍କୁ ଶାରୀରିକ ପରୀକ୍ଷା ପାଇଁ ଡକା ନଯିବା ପ୍ରସଙ୍ଗକୁ ନେଇ ଦାୟର ମାମଲାରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ଆବେଦନକାରୀଙ୍କୁ ଶାରୀରିକ ପରୀକ୍ଷାରେ ଅଂଶଗ୍ରହଣ ପାଇଁ ଅନୁମତି ଦିଆଯିବ । ତେବେ ପୂର୍ବରୁ ଜାରି କରାଯାଇଥିବା କାରଣ ଦର୍ଶାଅ ନୋଟିସର ଜବାବ ଆବେଦନକାରୀ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ କମିସନ ନିକଟରେ ଦାଖଲ କରିବେ । କମିସନ ଜବାବକୁ ବିଚାରକୁ ନେଇ ଏହି ପ୍ରସଙ୍ଗରେ ନିଷ୍ପତ୍ତି ଗ୍ରହଣ କରିବା ପର୍ଯ୍ୟନ୍ତ ୩୩୭ଟି ଲାଇଭଷ୍ଟକ୍ ଇନ୍ସପେକ୍ଟର, ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ପଦ ପୂରଣ କରାଯିବ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ସିପାହୀ, କନେଷ୍ଟବଳ ପଦରେ ନିଯୁକ୍ତି ଆଶାୟୀଙ୍କୁ ହାଇକୋର୍ଟରୁ ବଡ଼ ଆଶ୍ବସ୍ତି ମିଳିଛି । ବୟସସୀମା କୋହଳ ପରେ ଚୂଡ଼ାନ୍ତ ଚୟନ ତାଲିକାରେ ସ୍ଥାନ ପାଇଥିବା କେତେକ ପ୍ରାର୍ଥୀ ସେମାନଙ୍କ ନିଯୁକ୍ତି ପ୍ରଭାବିତ ହେବା ଆଶଙ୍କା କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାମଲାର ଶୁଣାଣି ସମୟରେ ସରକାରଙ୍କ ତରଫରୁ ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ କହିଥିଲେ ବୟସ ସୀମା କୋହଳ ପରେ ଚୟନ କରାଯାଇଥିବା ପ୍ରାର୍ଥୀଙ୍କ ପାଇଁ ପୂର୍ବ ତାଲିକାର ପ୍ରାର୍ଥୀ ପ୍ରଭାବିତ ହେବାର କୌଣସି ସମ୍ଭାବନା ନାହିଁ । ଆଡଭୋକେଟ ଜେନେରାଲଙ୍କ ଯୁକ୍ତିକୁ ବିଚାରକୁ ନେଇ ହାଇକୋର୍ଟ ଏ ସଂପର୍କିତ ମାମଲା ଗୁଡ଼ିକର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ।