କନକ ବ୍ୟୁରୋ : ସମୁଦ୍ର କୂଳରେ ବେଆଇନ ନିର୍ମାଣ ପ୍ରସଙ୍ଗରେ କଠୋର ହେଲେ ହାଇକୋର୍ଟ । ପିକେଡିଏର କାରଣ ଦର୍ଶାଅ ନୋଟିସ୍କୁ ଚାଲେଞ୍ଜ କରିବା, ବେଆଇନ ନିର୍ମାଣକାରୀଙ୍କୁ ପଡ଼ିଲା ମହଙ୍ଗା । ତୁରନ୍ତ ନିର୍ମାଣ ବନ୍ଦ ପାଇଁ କହିବା ସହ ଖଣ୍ଡେ ଇଟା ପକାଇଲେ ବି ଗିରଫ ପାଇଁ ଆଦେଶ ଦେଇଛନ୍ତି । ପୁରୀ ସମୁଦ୍ର କୂଳ ସିପସରୁବାଲି ଅଞ୍ଚଳରେ ଶହଶହ ବେଆଇନ ନିର୍ମାଣ । ଦାୟିତ୍ବରେ ଥିବା ଅଧିକାରୀମାନଙ୍କୁ ହାତଗୁଞ୍ଜା ଦେଇ ହୋଟେଲ୍ ନିର୍ମାଣ କରୁଛନ୍ତି ବଡ଼ବଡ଼ିଆ । ଅଭିଯୋଗ ପରେ ଜିଲ୍ଲା ଉପକୂଳ ଅଞ୍ଚଳ ତଦାରଖ କମିଟି ତଦନ୍ତ କରି ୧୪ଟି ହୋଟେଲକୁ ବେଆଇନ ବୋଲି ଘୋଷଣା କରିଛି । ଏହା ପରେ ଏମାନଙ୍କ ଉପରେ ନୋଟିସ୍ ଜାରି କରିଥିଲେ ପୁରୀ-କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ । କିନ୍ତୁ ନୋଟିସ୍କୁ ଚାଲେଞ୍ଜ କରି ୫ ନିର୍ମାତା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ହାଇକୋର୍ଟ ବେଆଇନ ନିର୍ମାଣ ଉପରେ ରୋକ୍ ଲଗାଇବା ସହ, ଅନୁପାଳନ ନ ହେଲେ ଗିରଫ ପାଇଁ ଆଦେଶ ଦେଇଛନ୍ତି ।
କୋଷ୍ଟାଲ୍ ରେଗୁଲେସନ ଜୋନ୍- ସିଆର୍ଜେଡ୍ ସ୍ବୀକୃତି ନଥାଇ କିଭଳି ଚାଲିଛି ନିର୍ମାଣ କାମ ? ପ୍ରଥମରୁ କାହିଁକି ଏହାକୁ ବନ୍ଦ କରାଗଲାନି ? ସିଆର୍ଜେଡ୍ ଉଲ୍ଲଂଘନ ତଥା ଅନ୍ୟାନ୍ୟ ବେଆଇନ ନିର୍ମାଣ ଉପରେ କଡ଼ା ନଜର ରଖିବାକୁ ଗଠିତ ତଦାରଖ କମିଟି କରୁଥିଲା କ’ଣ ? ବିନା ସ୍ବୀକୃତିରେ ନିର୍ମାଣକାରୀ କିଭଳି ଗଢ଼ିଲେ ବହୁତଳ ପ୍ରାସାଦ ? ଏଭଳି ଅନେକ ପ୍ରଶ୍ନ ଏବେ ଏହି କମିଟିକୁ ବିବାଦକୁ ଟାଣିଛି । କମିଟିର ଅଧ୍ୟକ୍ଷ ଖୋଦ୍ ଜିଲ୍ଲାପାଳ ଥିବାବେଳେ ଡିଏଫ୍ଓ ଅଛନ୍ତି ଆବାହକ । ସମସ୍ତ ବିଭାଗର ଜିଲ୍ଲା ମୁଖିଆ କମିଟିରେ ଥାଇ ବି କିଭଳି ସମସ୍ତଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ହୋଇଛି ଏ ବେଆଇନ ନିର୍ମାଣ ସେ ନେଇ ପ୍ରଶ୍ନ ଉଠିଛି । ହାଇକୋର୍ଟଙ୍କ ଏ ଆଦେଶ ପରେ ଅଡୁଆରେ ପଡିଛନ୍ତି ନିର୍ମାଣକାରୀ । ସେମାନେ ଏବେ ପିକେଡିଏରେ ଉପସ୍ଥିତ ହୋଇ ବେଆଇନ ନିର୍ମାଣ ବାବଦରେ ଉତ୍ତର ରଖିବେ । ଆସନ୍ତା ନଭେମ୍ବର ୧୧ରେ ହେବ ମାମଲାର ଶୁଣାଣି ।