କନକ ବ୍ୟୁରୋ : ଚୋରି ପରେ ପୁଣି ସିନାଚୋରି , ଦୀର୍ଘ ବର୍ଷ ହେଲା ଟିକସ ଫାଙ୍କି ଚାଲିଛନ୍ତି ଖଣି ଲିଜଧାରୀ । ବେଆଇନ ଭାବେ ଖଣି ବି ଖୋଳି ଲୁଟୁଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମଧ୍ୟ ଖାତିର ନାହିଁ । କିନ୍ତୁ ସରକାର ସେମାନଙ୍କ ବିରୋଧରେ ଯେମିତି କାର୍ଯ୍ୟାନୁଷ୍ଠାନ  ନେବା କଥା ନେଉନାହାନ୍ତି। ଫାଇନ୍ ବି ଆଦାୟ ହେଉନି। ଏହାକୁ ନେଇ ହାଇକୋର୍ଟରେ ହୋଇଥିବା ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି ଖଣ୍ଡପୀଠ । ୧୨ବର୍ଷ ତଳେ ଆଇନକୁ ମୋଡି ମକଚି ଶହ ଶହ କୋଟି ଟଙ୍କାର ଖଣିଜ ସମ୍ପଦ ଲୁଟ କରିଥିଲେ କିଛି ଖଣି ଲିଜଧାରୀ। ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଖଣି ଲିଜଧାରୀଙ୍କଠାରୁ ଫାଇନ ଆଦାୟ ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସରକାରଙ୍କ ନୀରବତା ଯୋଗୁଁ ଠକିଥିବା ଖଣି ଲିଜଧାରୀ ୨୭ଶହ କୋଟିରୁ ଅଧିକ ଟଙ୍କା ଏପର୍ଯ୍ୟନ୍ତ  ଦେଇ ନାହାନ୍ତି। ଅନ୍ୟପଟେ ବେଆଇନ ଖଣି ଖନନ ବନ୍ଦ ହେଉନି। ଯାହାର ସିବିଆଇ ତଦନ୍ତ ଦାବିରେ ଦାୟର ଏକ ମାମଲାକୁ ଗୁରୁତ୍ବର ସହ ନେଇଛନ୍ତି ହାଇକୋର୍ଟ। ଏହି ପ୍ରସଙ୍ଗରେ ସତ୍ୟପାଠ ମାଧ୍ୟମରେ ଦୁଇ ସପ୍ତାହ ଭିତରେ ଜବାବ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବେଆଇନ ଖଣି ଖନନର ସବିଶେଷ ତଥ୍ୟ ସହିତ ଏହି ପ୍ରସଙ୍ଗରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ  ସଂପର୍କରେ ସତ୍ୟପାଠରେ ଦର୍ଶାଇବାକୁ କହିଛନ୍ତି।

Advertisment

ଅଧିକ ପଢ଼ନ୍ତୁ :  ବେଆଇନ ଖଣି ଖନନକୁ ଏନ୍‌ଜିଟି ଛାଟ: ତଦନ୍ତ ଦଳ ଗଠନ

 ନିର୍ଦ୍ଦେଶ ପରେ ବି ରାଜ୍ୟ ସରକାର ଚୁପ୍ ବସିଥିବାରୁ ଗତ ବର୍ଷ ଅକ୍ଟୋବର ମାସରେ ଭର୍ତ୍ସନା କରିଥିଲେ ସର୍ବୋଚ୍ଚ ନ୍ୟାୟାଳୟ। ଖୁବଶୀଘ୍ର ଲିଜଧାରୀଙ୍କଠାରୁ ଫାଇନ ଆଦାୟ କର ନେହେଲ ସମ୍ପତ୍ତି ବାଜ୍ୟାପ୍ତ କରି କଡା କାର୍ଯ୍ୟାନୁଷ୍ଠାନ  ନେବାକୁ ରାଜ୍ୟ ସରକାରଙ୍କୁ କଡା ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ବିଡମ୍ବନାର ବିଷୟ ସର୍ବୋଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି ରାଜ୍ୟ ସରକାର। ଆଗକୁ ଏହା ରାଜ୍ୟ ସରକାରଙ୍କ ପାଇଁ ମହଙ୍ଗା ପଡିପାରେ।   ଖଣି ଦୁର୍ନୀତି ନେଇ ୨୦୧୭ରେ ବଡ଼ ରାୟ ଶୁଣାଇଥିଲେ ସୁପ୍ରିମକୋର୍ଟ। ବାଧ୍ୟତାମୂଳକ ପରିବେଶଗତ ଅନୁମତି ମାନିନଥିଲେ ଖଣିମାଲିକ। ବେଆଇନ ଭାବେ ଖୋଳାଯାଇଥିଲା ଖଣି। ଅବୈଧ ଖଣି କାର୍ଯ୍ୟକଳାପ  ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ। ୩୧ ଡିସେମ୍ବର ୨୦୧୭ ସୁଦ୍ଧା କ୍ଷତିପୂରଣ ଆଦାୟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କ୍ଷତିପୂରଣ ଆକଳନ ପରିମାଣ ୧୭ହଜାର ୫୭୬ କୋଟି ଟଙ୍କାରୁ ଅଧିକ ଥିଲା। ଏବେ ମଧ୍ୟ ୨୭୦୦ କୋଟି ଟଙ୍କା ଆଦାୟ ହୋଇନାହିଁ।