କନକ ବ୍ୟୁରୋ: ବାତ୍ୟା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ଆଜି ୨ଟା ସୁଦ୍ଧା ସବୁ ପୂଜା ମଣ୍ଡପ ଗେଟ ଓ ତୋରଣ ଖୋଲିବାକୁ ନିଷ୍ପତ୍ତି । ନିଜେ ନଭାଙ୍ଗିଲେ ଜେସିବି ଲଗାଇ ଭାଙ୍ଗିବ ପ୍ରଶାସନ। ସେପଟେ କେନ୍ଦ୍ରାପଡା ଓ ଢ଼େଙ୍କାନାଳରେ ଆଜି ସୁଦ୍ଧା ମା’ଙ୍କୁ ମେଲାଣି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଦଶହରା ପାଇଁ ରାସ୍ତାରେ ନିର୍ମାଣ ହୋଇଥିବା କପଡ଼ା ଗେଟ୍, ଲାଇଟ ଗେଟ୍ ହଟାଇବାକୁ ପ୍ରଶାସନ ପଦକ୍ଷେପ ନେଇଛି ।
ଯେଉଁ ପୂଜା କମିଟି ତୋରଣ ହଟାଇବା ପାଇଁ ପଦକ୍ଷେପ ନେବେ ନାହିଁ ସେଠି ପ୍ରଶାସନ ଜେସିବି ଲଗାଇ ଭାଙ୍ଗିବ । କେବଳ ସେତିକି ନୁହେଁ ନିର୍ଦ୍ଧାରିତ ସମୟ ଭିତରେ ଗେଟ୍ ଭାଙ୍ଗୁନଥିବା ମଣ୍ଡପକୁ ଆସନ୍ତାବର୍ଷ ତୋରଣ ନିର୍ମାଣ ଏନଓସି ମିଳିବ ନାହିଁ । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ହାଇକୋର୍ଟଙ୍କ ପକ୍ଷରୁ ସ୍ବତନ୍ତ୍ର ଭାବେ ସହରର ସମସ୍ୟା ସମ୍ପର୍କିତ ମାମଲାର ଶୁଣାଣି କରାଯାଇଥିଲା । ଏଥିରେ ଦଶହରା ପାଇଁ ନିର୍ମାଣ ହୋଇଥିବା ଗେଟ ହଟାଯାଇନଥିବାରୁ ହାଇକୋର୍ଟଙ୍କ ବାର ଆସୋସିଏସନ୍ସର ସଭାପତି ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ହାଇକୋର୍ଟ ଏହାକୁ ଗମ୍ଭୀରତାର ସହ ନେଇଥିଲେ । ଏନେଇ ପ୍ରଶାସନ ଠାରୁ ଜବାବ ଚାହିଁଥିଲେ । ୨୪ ଘଣ୍ଟା ଭିତରେ ଗେଟ୍ ହଟାଇବାକୁ ସିଏମସି କମିଶନର ସବୁ ପୂଜା ମଣ୍ଡପକୁ ଚିଠି ଲେଖିଛନ୍ତି । ସେହିପରି ଛାତ ଉପରେ ଅନ୍ୟାନ୍ୟ ବିପଦସଙ୍କୁଳ ହୋର୍ଡ଼ିଂ ହଟାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।