କନକ ବ୍ୟୁରୋ: ଝାଡ଼ଖଣ୍ଡର ଏକ ଜମି ଅଧିଗ୍ରହଣ ମାମଲାକୁ ନେଇ ଆଇଏଏସଙ୍କ ଉପରେ ରାଗିଲେ ହାଇକୋର୍ଟ ଜଜ୍ । ଆଇଏଏସଙ୍କୁ ମାଙ୍କଡ଼ ବୋଲି କହିବା ସହ ଆବଶ୍ୟକ ପଡିଲେ ତାଙ୍କ ନାଁରେ ମାମଲା ଦାଏର କରିବାକୁ ଦେଲେ ଚେତାବନୀ ।
ଝାଡ଼ଖଣ୍ଡ ଜମି ଅଧିଗ୍ରହଣ ମାମଲାରେ ଶୁଣାଣୀ କରିବା ସମୟରେ ଜନୈକ ଆଇଏଏସଙ୍କ ଉପରେ ଖୁବ୍ ରାଗିଲେ ଜଜ୍ । ତାଙ୍କୁ ଏକାଧିକ ପ୍ରଶ୍ନ ପଚାରିଥିଲେ ଯାହାର ଉତ୍ତର ସେ ଦେଇପାରିନଥିଲେ । ଏହି ମାମଲାରେ ଅନିୟମିତତା ହୋଇଥିବା ଆଶଙ୍କା କରିବା ସହ ନିୟମ ଅବମାନନା କରିଥିବା ଯୋଗୁଁ କାର୍ଯ୍ୟାନୁଷ୍ଠାନ ନେବା ସହ ଆଇଏଏସଙ୍କ ବିରୋଧରେ ଆବଶ୍ୟକ ପଡ଼ିଲେ ଏଫଆଇଆର ଦାଏର କରିବାକୁ ଚେତାବନୀ ଦେଲେ । କୋର୍ଟ ରୁମରେ ଚାଲିଥିବା ଏହି ଶୁଣାଣୀର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଅବଶ୍ୟ ଆଇଏଏସଙ୍କ ନାଁ କି ତାଙ୍କ ପୋଷ୍ଟିଙ୍ଗ ସ୍ଥାନ ବାବଦରେ କିଛି ଖୁଲାସା କରାଯାଇନାହିଁ ।
ସୂଚନା ଅନୁସାରେ , ବିକାଶ ମୂଳକ କାମ ପାଇଁ ଜମି ଅଧିଗ୍ରହଣ ଉପରେ ସରକାର ଧାର୍ଯ୍ୟ କରିଥିବା କ୍ଷତିପୂରଣ ରାଶି ଉପରେ ସମ୍ପୃକ୍ତ ଆଇ,ଏସ୍ ଆପତ୍ତି ଆଣିଥିଲେ , ଯାହାକୁ ଗୁରୁତର ସହ ନେଇଥିଲେ କୋର୍ଟ । ଜଜ୍ କହିଥିଲେ, ରାଜ୍ୟ ସରକାର ଯଦି କ୍ଷତିପୂରଣ ରାଶି ଧାର୍ଯ୍ୟ କରିଛନ୍ତି ସେଥିରେ ଆପଣ ଆପତ୍ତି କରିବାକୁ କିଏ ? ଆପଣଙ୍କୁ କ’ଣ କମିସନ ଦରକାର, କମିସନ ନେବାକୁ ଆପଣ ମାଙ୍କଡ଼ ଭଳି ଡେଉଁଛନ୍ତି । ଏବେଯାଏଁ କେତେ କମିସନ ନେଲେଣି?’
ଏହାପରେ ଆଇଏଏସଙ୍କୁ କଡ଼ା ଭାଷାରେ ଚେତାବନୀ ଦେଇଥିଲେ ବିଚାରପତି । କହିଥିଲେ, ’ ଯଦି ଆପଣ କୋର୍ଟର ଆଦେଶକୁ ପାଳନ ନକରନ୍ତି ତାହେଲେ ଆପଣଙ୍କ ବିରୋଧରେ ଅବମାନନା ଅଭିଯୋଗରେ ଏଫଆଇଆର ହେବ’ ।