କନକ ବ୍ୟୁରୋ: ରାଜ୍ୟରେ କନିଷ୍ଠ ଶିକ୍ଷକ ପଦବୀ ପୂରଣ ପାଇଁ ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ଆଶାୟୀଙ୍କ ମଧ୍ୟରେ ନୂଆ ଆଶା ସଂଚାର ହୋଇଛି । ସେପଟେ ରାଜ୍ୟ ସରକାର ୩ ବର୍ଷ ଭିତରେ  ସବୁ ପଦ ପୂରଣ ପାଇଁ ଦମ୍ଭ ଦେଖାଇଛନ୍ତି ରାଜ୍ୟ ସରକାର । ଆଉ ଏହାକୁ କଟାକ୍ଷ କରିଛି ବିଜେଡି । ରାଜ୍ୟରେ ଏବେ ୪୧ଟି ବିଭାଗରେ ୧ ଲକ୍ଷରୁ ଅଧିକ ପଦ ଖାଲି ପଡିଛି ।

Advertisment
  • କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ହାଇକୋର୍ଟ ନିର୍ଦ୍ଦେଶ
  • ଯୋଗ୍ୟତା ଭିତ୍ତିରେ ହେବ ପୂରଣ

ରାଜ୍ୟରେ ଖାଲିପଡିଥିବା କନିଷ୍ଠ ଶିକ୍ଷକ ପଦବୀ ପୂରଣ ପାଇଁ  ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି । ନିଯୁକ୍ତିରୁ ବଞ୍ଚିତ ଆଶାୟୀଙ୍କ ପିଟିସନ ଉପରେ ହାଇକୋର୍ଟ ଆଜି ଶୁଣାଣି କରିଥିଲେ । ଆଉ ନୂଆ କଟ୍ ଅଫ ମାର୍କ ସ୍ଥିର କରି ୨ୟ ମେରିଷ୍ଟ ଲିଷ୍ଟ ପାଇଁ ହାଇକୋର୍ଟ କହିଛନ୍ତି । ପୂର୍ବରୁ ୨୦ ହଜାର ଶିକ୍ଷକ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । କିନ୍ତୁ ବର୍ତ୍ତମାନ ଯାଏଁ ବିଭିନ୍ନ କାରଣରୁ ୪ ହଜାରରୁ ଅଧିକ ପଦବୀ ପୂରଣ ହୋଇପାରିନାହିଁ । ଖାଲି ପଦବୀ ପୂରଣ ପାଇଁ ଆଶାୟୀ ହାଇକୋର୍ଟ ଯାଇଥିଲେ । ଏହାପରେ ନୂଆ କନିଷ୍ଠ ଶିକ୍ଷକ ପଦ ନିଯୁକ୍ତି ପାଇଁ ପଥ ପରିଷ୍କାର ହୋଇଛି । 

  • ଖାଲିପଡିଛି ଅଧାରୁ ଅଧିକ ସରକାରୀ ପଦ
  • ୩ ବର୍ଷରେ ପୂରଣ କରିବାକୁ ଦମ୍ଭ ଦେଖାଇଲେ ମନ୍ତ୍ରୀ

ଏପଟେ ହାଇକୋର୍ଟ ନିର୍ଦ୍ଦେଶ, ସେପଟେ ରାଜ୍ୟରେ ଡିସେମ୍ବର ୧୦ ୨୦୨୪ ସୁଦ୍ଧା ୪୧ଟି ବିଭାଗରେ ଖାଲପଡିଛି ୧ ଲକ୍ଷ ୧୨ ହଜାର ୭୧ ପଦବୀ । ଏହି ସବୁ ବିଭାଗରେ ମୋଟ କର୍ମଚାରୀ ରହିବା କଥା  ୩ ଲକ୍ଷ ୮୪ହଜାର ୫୪୦ । ସ୍କୁଲ ଓ ଗଣଶିକ୍ଷା ବିଭାଗରେ ଖାଲିପଡିଥିବା ସ୍ଥାନ ଚିନ୍ତାଜନକ ରହିଛି । ମୋଟ ୧୫୫୧୮୬ କର୍ମଚାରୀ ଆବଶ୍ୟକ ଥିବାବେଳେ ଖାଲପଡିଛି  ୩୬୫୦୩ ପଦ । ସ୍ବାସ୍ଥ୍ୟ, ଆଇନ, ଅବକାରୀ, ଗୃହ ଓ ଉଚ୍ଚଶିକ୍ଷା ଭଳି ପ୍ରମୁଖ ବିଭାଗରେ ଏକ ଅବସ୍ଥା । ତେବେ ମନ୍ତ୍ରୀ କହିଛନ୍ତି , ଆଗାମୀ ୩ ବର୍ଷରେ ସବୁ ପଦ ପୂରଣ ହେବ, ଯାହାକୁ କଟାକ୍ଷ କରିଛି ବିଜେଡି । 

ଦୀର୍ଘ ବର୍ଷ ଧରି ପ୍ରମୁଖ ବିଭାଗଗୁଡିକରେ ହଜାର ହଜାର ପଦ ଖାଲି ପଡିଛି । କାମ ତ୍ବରାନ୍ବିତ ହେଇପାରୁନି । ଏବେ ସରକାରଙ୍କ ଆଶ୍ବାସନା ବାସ୍ତବ ରୂପ ନେବ ନା  ନାଲି ଫିତାତଳେ ଚାପି ହୋଇଯିବ, ତା ଉପରେ ସମସ୍ତଙ୍କ ନଜର ରହିଛି ।