କନକ ବ୍ୟୁରୋ: ବଜେଟରେ ଅନୁଗୁଳ ଜିଲ୍ଲାର ବହୁ ପ୍ରତିକ୍ଷିତ ହିଡିସିଂ ମଧ୍ୟମ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ନେଇ ମୁଖ୍ୟମନ୍ତ୍ରୀ ସୂଚନା ଦେବାପରେ ବେଶ୍ ଉତ୍ସାହିତ ସ୍ଥାନୀୟ ବନ୍ତଳା ଅଞ୍ଚଳର ଚାଷୀକୁଳ । ଜଳସେଚନ ଅଭାବରୁ ପ୍ରତିବର୍ଷ ମରୁଡ଼ିର ସାମ୍ନା କରୁଛନ୍ତି । ହେଲେ ଡ୍ୟାମ ହେଲେ, ଏବେ ୧୩ଟି ପଞ୍ଚାୟତର ଚାଷୀଙ୍କ ଜମିରେ ଦୋ'ଫସଲି ଚାଷ ହୋଇପାରିବ । ସ୍ଥାନୀୟ ଅଞ୍ଚଳରେ ଆଉ ପାନୀୟ ଜଳ ସମସ୍ୟା ବି ରହିବନି ।
- ବନ୍ତଳା ଚାଷୀଙ୍କ ପ୍ରତୀକ୍ଷାରେ ପଡ଼ିବ ପୂର୍ଣ୍ଣଚ୍ଛେଦ
- ଲକ୍ଷେ ଚାଷୀଙ୍କ ବିଲକୁ ମାଡ଼ିବ ପାଣି
ଅନୁଗୁଳ ସଦର ମହକୁମାଠୁ ୨୫ କିଲୋମିଟରରେ ଦୂରରେ ବଉଳି ନଈରେ ଡ୍ୟାମ ପାଇଁ ୪୦ ବର୍ଷରୁ ଅଧିକ ସମୟ ହେଲା ଦାବି ହୋଇଆସୁଛି । ୨୦୦୦ ମସିହାରେ ବିଶାଳ ଜନଆନ୍ଦୋଳନ ପରେ ହିଡ଼ିସିଂରେ ମଧ୍ୟମ ଜଳସେଚନ ପ୍ରକଳ୍ପ ସ୍ଥାପନ ଲାଗି ଆରମ୍ଭ ହୋଇଥିଲା ପ୍ରକ୍ରିୟା । ୭୨.୩୦ ବର୍ଗ କିଲୋମିଟର ପରିମିତ ଡ୍ୟାମ୍ ତିଆରି ପାଇଁ ୨୦୦୬ରେ ରାଜ୍ୟ ସରକାର ବି ମୋହର ମାରିଥିଲେ । ହେଲେ ଆଗକୁ ବଢ଼ିପାରିନଥିଲା ପ୍ରକଳ୍ପ କାମ । ଏବେକାର ଅନୁଗୁଳ ବିଧାୟକଙ୍କ ପ୍ରୟାସ ଯୋଗୁ ନିକଟରେ ଏ ପ୍ରକଳ୍ପକୁ ମିଳିଛି ସର୍ତ୍ତମୂଳକ ଜଙ୍ଗଲ ମଞ୍ଜୁରି । ଖୁବଶୀଘ୍ର ପରିବେଶ ମଞ୍ଜୁରି ପାଇଁ କରାଯିବ ଜନଶୁଣାଣି । ପ୍ରକଳ୍ପ ହେଲେ, ପରିବା ଚାଷ ପାଇଁ ପରିଚୟ ପାଇଥିବା ଏ ଅଞ୍ଚଳର ୩ ହଜାର ଶହେ ହେକ୍ଟର ଜମିକୁ ଜଳସେଚନ ହୋଇପାରିବ । ରବି ଋତୁରେ ବି ଟାଙ୍ଗରା ପଡ଼ୁଥିବା ୭୪୦ ହେକ୍ଟର ଜମିରେ ଚାଷ ହୋଇପାରିବ । ଏବେ ସମସ୍ତଙ୍କ ଅପେକ୍ଷା, କେବେ କାମ ଆରମ୍ଭ ହେବ ହିଡିସିଂ ଡ୍ୟାମ୍ କାମ ? ଆଉ କେବେ ଅନୁଗୁଳ ବ୍ଲକ ବନ୍ତଳା ଅଞ୍ଚଳର ଲକ୍ଷେ ଚାଷୀଙ୍କ ଜମିକୁ ମିଳିବ ଜଳସେଚନ ସୁବିଧା ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2026/02/21/hidsing-dam-2026-02-21-21-30-36.png)