କନକ ବ୍ୟୁରୋ : ଲୁଚା ଛପାରେ ବାଣ କାମ । ବାରୁଦ ଗଦାରେ ନଳବଣ୍ଟା । ଗଞ୍ଜାମ ଜିଲ୍ଲାର ‘ଶିବକାଶୀ’ ଭାବେ ପରିଚିତ ଆସିକା ଥାନା ନଳବଣ୍ଟା ଗ୍ରାମରେ ବେଆଇନ ବାଣ ପ୍ରସ୍ତୁତି ଓ ବିକ୍ରି ପାଇଁ ବେପାରୀ ପ୍ରସ୍ତୁତ ହେଲେଣି । ପୁରୁଷ ପୁରୁଷ ଧରି ୫୯ ନମ୍ବର ଜାତୀୟ ରାଜପଥ ଉପରେ ଥିବା ନଳବଣ୍ଟା ଗ୍ରାମରେ ବେଆଇନ ବାଣ ତିଆରି ଓ ବ୍ୟବସାୟ ଚାଲିଆସୁଛି । ପ୍ରତି ପରିବାର ଏହି ପେସାରେ ସଂପୃକ୍ତ ଥା’ନ୍ତି । ଯାହା ଏବେ କୁଟୀର ଶିଳ୍ପରେ ପରିଣତ ହୋଇଯାଇଛି । ୫୦୦ରୁ ଅଧିକ ଶ୍ରମିକ ବାଣ ପ୍ରସ୍ତୁତିରେ ନିୟୋଜିତ ଅଛନ୍ତି । ଏହି ବେଆଇନ ବାଣ ପ୍ରଚଣ୍ଡ ଶବ୍ଦ ସୃଷ୍ଟି କରି ବେଳେବେଳେ ଗାଁ ପାଇଁ ବିପଦ ଡାକି ଆଣେ । ବିଶେଷକରି ତାଳଫୋଟକା , ପୂର୍ବରୁ ଏହି ଗ୍ରାମରେ ବହୁଥର ବିସ୍ଫୋରଣ ଘଟି ବହୁ ଧନଜୀବନ କ୍ଷତି ହୋଇଥିବାର ନଜିର ରହିଛି । ଦୀପାବଳି ପାଖେଇ ଆସିଲେ ବେପାରୀ ମାନେ ପ୍ରସ୍ତୁତ କରିଥିବା ବାଣକୁ ବିଭିନ୍ନ ସ୍ଥାନରେ ଲୁଚାଇ ରଖୁଥିବାରୁ ସାଧାରଣ ଜନତା ନିଜକୁ ସୁରକ୍ଷା ମଣୁନାହାନ୍ତି । ପୁଲିସ ଗତବର୍ଷ ଏହି ଗ୍ରାମରେ ଦୀର୍ଘ ୩ ଦିନ ଧରି ଚଢ଼ାଉ କରି କୋଟି କୋଟି ଟଙ୍କାର ବାଣ ଓ ବାରୁଦ ଜବତ କରିଥିଲା । କିଛି ଦିନ ତଳେ ଆସିକା ପୁଲିସ ଏହି ଗ୍ରାମରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ବାଣ ଓ ବାରୁଦ ସହ ଦୁଇଟି ଗାଡ଼ିକୁ ଜବତ କରିଛି । ପ୍ରତିବର୍ଷ ଚଢ଼ାଉ ଧରପଗଡ଼ ହେଉଛି ତଥାପି ଏହି ଗ୍ରାମର ଲୋକେ ବାଣ ପ୍ରସ୍ତୁତିରେ ନିଜକୁ ନିୟୋଜିତ ରଖିଛନ୍ତି ।
ସେପଟେ ପାର୍ବଣ ପୂର୍ବରୁ ଜବତ ହେଲା ଲକ୍ଷାଧିକ ଟଙ୍କାର ବେଆଇନ ବାଣ । ପ୍ରଶାସନର ଆଖି ଆଢୁଆଳରେ ତିଆରି ଚାଲିଥିଲା ଏହି ବାଣ । ଖବର ପାଇ ଚନ୍ଦନେଶ୍ୱର ଫାଣ୍ଡି ପୁଲିସ ବେଆଇନ ବାଣ ବ୍ୟବସାୟ ଉପରେ ଚଢ଼ାଉ କରିଥିଲା । ଚଢ଼ାଉରେ ଜଣକୁ ଗିରଫ କରିବା ସହ ଜବତ କରିଛନ୍ତି ଟ୍ରାକ୍ଟର ଭର୍ତ୍ତି ବାଣ । ଏଭଳି ଘଟଣା ଦେଖିବା ପାଇଁ ମିଳିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଳକ ହାଟସରିସା ଗାଁରେ । ପଶ୍ଚିମବଙ୍ଗ ପଦିମା ଗାଁର ସୁକୁମାର ଜାନା ନାମକ ଜଣେ ବ୍ୟକ୍ତି ଓଡ଼ିଶା ସୀମା ଭିତରେ ପ୍ରବେଶ କରି କଖଡ଼ା ପଞ୍ଚାୟତ ହାଟସରିସା ଗାଁରେ ଲକ୍ଷାଧିକ ଟଙ୍କାର ବାଣ ତିଆରି କରୁଥିଲେ । ସ୍ଥାନୀୟ ପୁଲିସ କୌଣସି ସୂତ୍ରରୁ ଖବର ପାଇ ଅଚାନକ ଚଢ଼ାଉ କରି ବାଣ ସହ ଉକ୍ତ ଯୁବକଙ୍କୁ ଗିରଫ କରିଛି । ତେବେ ଆଗକୁ ପାର୍ବଣ ଋତୁ ଥିବାରୁ ରାସାୟନିକ ବାଣ ପ୍ରସ୍ତୁତ କରି ବିକ୍ରି କରିବା ପାଇଁ ଯୁବକ ଜଣକ ପଶ୍ଚିମବଙ୍ଗରୁ ଆସି ଓଡ଼ିଶା ସୀମାରେ ଏଭଳି ବ୍ୟବସାୟ ଆରମ୍ଭ କରିଥିଲେ ।
ଅନ୍ୟପଟେ ଛତ୍ରପୁର ପୁଲିସ ପକ୍ଷରୁ ଲକ୍ଷାଧିକ ଟଙ୍କାର ବାଣ ଜବତ, ଜଣେ ଅଟକ । ଛତ୍ରପୁର ଏନଏସି ଅନ୍ତର୍ଗତ ୧୪ ନଂ ୱାର୍ଡ ସାଇ ନଗର ନିକଟ ପାର୍କ ସାହିରେ ଥିବା ଏକ ଚାଉଳ ଗୋଦାମରୁ ଲକ୍ଷାଧିକ ଟଙ୍କାର ବେଆଇନ ଭାବେ ରଖାଯାଇଥିବା ବାଣ ଜବତ କରାଯାଇଛି l କୌଣସି ପ୍ରକାରେ ପୁଲିସ ସୂଚନା ପାଇଁ ଛତ୍ରପୁର ଥାନା ପୁଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଅଚାନକ ଚଢ଼ାଉ କରିଥିଲା । ବିପୁଳ ପରିମାଣର ବାଣ ଜବତ ହୋଇଛି । ଜବତ ବାଣର ଆନୁମାନିକ ମୂଲ୍ୟ ୨ ରୁ ୩ ଲକ୍ଷ ଟଙ୍କା । ତେବେ ପୁଲିସ ଦୋକାନୀକୁ ଅଟକ ରଖିଥିବା ସୂଚନା ମିଳିଛି l ଏହି ଚଢ଼ାଉରେ ଛତ୍ରପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ, ମାଜିଷ୍ଟ୍ରେଟ ଭାବେ ଛତ୍ରପୁର ଅତିରିକ୍ତ ତହସିଲଦାର ମନୋଜ ପ୍ରଧାନ ଏବଂ ପୁଲିସ ଫୋର୍ସ ସାମିଲ ଅଛନ୍ତି l ଜବତ ହୋଇଥିବା ବାଣର ଆନୁମାନିକ ମୂଲ୍ୟ ପ୍ରାୟ ୨ ରୁ ୩ ଲକ୍ଷ ଟଙ୍କାରୁ ଅଧିକ ହୋଇଥିବ ବୋଲି କୁହାଯାଉଛି l