କନକ ବ୍ୟୁରୋ: ଆପଣ ଜିତିଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଓଟିପି ଓ ଲିଙ୍କ୍ ଦେଲେ ପାଇବେ ପୂରା ଟଙ୍କା । ବାସ୍ ଆପଣଙ୍କୁ ଏଭଳି ଲୋଭ ଦେଖାଇବେ ଆଉ କ୍ଲିକ୍ କରୁ କରୁ ଆକାଉଣ୍ଟରୁ ହୋଇଯିବ ଟଙ୍କା ଗାଏବ । ସାଇବର ଠକେଇର ନୂଆ ନୂଆ ତରିକା ଜାଣିଲେ ଆପଣ ବି ମୁଣ୍ଡରେ ହାତଦେବେ ।
- ସାଇବର ସୈତାନଙ୍କ ନାଗଫାଶ
- ଫୁଙ୍ଗୁଳା ଦେହ ଦେଖାଇ କରୁଛନ୍ତି ବ୍ଲାକମେଲିଂ
- ବଢୁଛି ବିପଦ, ଟାର୍ଗେଟ୍ରେ ବୟସ୍କ
ଜାଲ ବିଛାଇଛନ୍ତି ସାଇବର ଠକ, ଯିଏ ପଡିଲା ସିଏ ସର୍ବସ୍ବାନ୍ତ । କେଇ ସେକେଣ୍ଡରେ ଆକାଉଣ୍ଟରୁ ଗାଏବ ହୋଇ ଯାଉଛି କୋଟି କୋଟି ଟଙ୍କା । ସାଇବର ଠକଙ୍କ ପାଇଁ ସବୁଠୁ ସୁରକ୍ଷିତ ଆଡ୍ଡାସ୍ଥଳୀ ପାଲଟିଛି ଓଡ଼ିଶା । ରାଜଭବନରେ ସାଇବର ସୁରକ୍ଷା ଆଲୋଚନାଚକ୍ରରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ରଖିଛି କ୍ରାଇମବ୍ରାଞ୍ଚ । ଆଲୋଚନା ଭିତରେ ଉଦବେଗ ପ୍ରକାଶ କରିଛନ୍ତି ରାଜ୍ୟପାଳ ।
- ୨୦୨୪ରେ ସାଇବର ଠକେଇ ସମ୍ପର୍କିତ ଫୋନ୍ କଲ୍ ୬ ଲକ୍ଷ ୬୦ ହଜାର
- ୩୮ ହଜାରରୁ ଅଧିକ ଆର୍ଥିକ ଠକେଇ
- ୩୭୫ କୋଟି ଟଙ୍କା ଚଳୁ କରିଛନ୍ତି ସାଇବର ଲୁଟେରା
ବିଶେଷକରି ବରିଷ୍ଠ ନାଗରିକ, ଯୁବବର୍ଗ, ପେସାଦାର କର୍ମଚାରୀ ଓ ବ୍ୟବସାୟୀଙ୍କୁ ଜାଲରେ ପକାଇ ବିଭିନ୍ନ ତରିକାରେ ଚୂନା ମାରୁଛନ୍ତି । ଅଧିକ ଲୋଭର ଶିକାର ହୋଇ ସର୍ବସ୍ବ ହରାଉଛନ୍ତି ଏହି ବର୍ଗ । ତେବେ ହାଇଟେକ ଯୁଗକୁ ତାଳ ଦେଇ ମାତିଲେଣି ହାଇଟେକ୍ ଲୁଟେରା । ନୂଆ ନୂଆ ଟ୍ରିକରେ କରୁଛନ୍ତି ଖୋଳ ।
ଡିଜିଟାଲ ଆରେଷ୍ଟ, ହୋଟେଲ ବୁକିଂ ସ୍କାମ୍,ପାର୍ସଲ ଠକେଇ, ଅଶ୍ଲୀଳ ଭିଡିଓ କଲ୍, ନିବେଶ ଠକେଇ । ଏହି ୫ ଷ୍ଟାଇଲରେ ସର୍ବାଧିକ ଲୋକଙ୍କୁ ଲୁଟୁଛନ୍ତି ସାଇବର ଠକ । କାହାକୁ ପୁଲିସ ସାଜି ଡିଜିଟାଲ୍ ଆରେଷ୍ଟର ଧମକ ଦେଉଛନ୍ତି । ତ ପୁଣି କେତେବେଳେ ହୋଟେଲ ବୁକିଂରେ ଡିସକାଉଣ୍ଟ ଅଫର୍ ଦେଇ ଲିଙ୍କ୍ ପଠାଉଛନ୍ତି । ଅଧିକାଂଶ ଲୋକଙ୍କୁ ଅଶ୍ଲୀଳ ଭିଡ଼ିଓ କଲ୍ ମାୟାଜାଲରେ ପକାଇ ଟଙ୍କା ଶୋଷି ନେଉଛନ୍ତି ସାଇବର ଠକ ।
ତେବେ ସାଇବର ଠକେଇ ବଢ଼ି ଚାଲିଥିବା ବେଳେ ଏଥିରୁ ବର୍ତ୍ତିବା ସବୁଠୁ ବଡ଼ ଚ୍ୟାଲେଞ୍ଜ । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଠକେଇର ୩୦ ମିନିଟ୍ ଅର୍ଥାତ୍ ଗୋଲଡେନ୍ ଆୱାର୍ରେ ୧୯୩୦କୁ କଲ୍ କରି ଅଭିଯୋଗ ଦେଇପାରିବେ । ଏଥିସହିତ...
- ଓଟିପି ସେୟାରରୁ ନିବୃତ୍ତ ରୁହନ୍ତୁ
- ଅଜ୍ଞାତ ବ୍ୟକ୍ତି ପଠାଉଥିବା ଲିଙ୍କ୍ କ୍ଲିକ୍ କରନ୍ତୁ ନାହିଁ
- ୱେବ୍ ବ୍ରାଉଜର୍ରେ ପାସୱାର୍ଡ ସେଭ୍ କରନ୍ତୁ ନାହିଁ
ସାଇବର ଲୁଟେରାଙ୍କ ସେଫ୍ ଜୋନ୍ ସାଜିଛି ଓଡ଼ିଶା । ସାଇବର ଠକେଇରେ ଯାଉଥିବା ଟଙ୍କା ଫେରାଇ ଆଣିବାରେ କ୍ରାଇମବ୍ରାଞ୍ଚ ସେତେଟା ସଫଳ ହୋଇପାରୁନି । ଭିତ୍ତିଭୂମି ଓ ମାନବ ସମ୍ବଳର ଅଭାବ ଏ ଦିଗରେ ବଡ଼ ବାଧକ ସାଜିଛି ।