କନକବ୍ୟୁରୋ: ମଧ୍ୟପ୍ରାଚ୍ୟରେ ଘନଉଛି ଯୁଦ୍ଧର ବାଦଲ। ଦିନକୁ ଦିନ ଉଗ୍ର ରୂପ ନେଉଛି ଯୁଦ୍ଧ । ବର୍ତ୍ତମାନ ସୁଦ୍ଧା ମିଳିଥିବା ବଡ଼ ସୂଚନା ଅନୁସାରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଘର ଉପରେ ଡ୍ରୋନ୍ ଆକ୍ରମଣ କରିଛି ହିଜବୁଲ୍ଲା । ଟାଇମ୍ସ ଅଫ ଇସ୍ରାଏଲର ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ପୈତୃକ ବାସଭବନକୁ ଟାର୍ଗେଟ୍ କରିଛି ହିଜବୁଲ୍ଲା ।
ଏନେଇ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବି ସୂଚନା ଦେଇଛି । ତେବେ ଆକ୍ରମଣ ସମୟରେ ଘରେ ପିଏମ୍ ନେତାନ୍ୟାହୁ କି ତାଙ୍କ ପତ୍ନୀ ଉପସ୍ଥିତ ନଥିଲେ। ତେବେ ଏହି ଆକ୍ରମଣରେ କେହି ମୃତାହତ ହୋଇନଥିବା ସୂଚନା ରହିଛି । ଆଜି ଇସ୍ରାଏଲ ଉପରେ ଲେବାନନ୍ ପକ୍ଷରୁ ୩ଟି ଡ୍ରୋନ୍ ଆକ୍ରମଣ କରାଯାଇଥିବା ଆଇଡିଏଫ କହିଛି ।
ଏଥିରୁ ଗୋଟିଏ ଡ୍ରୋନ୍ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ପୈତୃତ ବାସଭବନ ଉପରେ ପଡିଛି। ଅନ୍ୟ ୨ଟି ଡ୍ରୋନ ଖୋଲା ସ୍ଥାନରେ ପଡିଛି। ବର୍ତ୍ତମାନ ଏହି ଆକ୍ରମଣ ଯାଞ୍ଚ କରାଯାଉଥିବାବେଳେ ଏହାର କଡା ଜବାବ ଦେବ ବୋଲି ଆଇଡିଏଫ୍ କହିଛି । ସେପଟେ ଇସ୍ରାଏଲ ଆକ୍ରମଣରେ ୟାହ୍ୟା ସିନୱାର ମୃତ୍ୟୁ ଘଟଣାରେ ପ୍ରତିକ୍ରିୟା ଦେଇଛନ୍ତି ଇରାନ୍ ସୁପ୍ରିମ ଲିଡର ଅୟତୁଲ୍ଲାହ ଅଲ୍ଲୀ ଖାମିନେନି ।
ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଖାମିନେନି କହିଛନ୍ତି ହମାସ କେବେବି ଶେଷ ହେବନି । ସିନୱାର ନିଜ ସହିଦ ବନ୍ଧୁଙ୍କ ପାଖକୁ ଚାଲିଗଲେ। ତାଙ୍କ ମୃତ୍ୟୁ ଆମ ପାଇଁ କଷ୍ଟଦାୟକ । ହେଲେ ଏଥିରେ ହମାସ ଶେଷ ହେବ ନାହିଁ ।
ଆଗରୁ ଯେଭଳି ସକ୍ରିୟ ଥିଲା ହମାସ, ଏବେ ବି ସେମିତି ସକ୍ରିୟ ରହିବ । ଇରାନ ସବୁବେଳେ ହମାସ ସପକ୍ଷରେ ଛିଡ଼ା ହୋଇଛି ବୋଲି ଖାମିନେନି କହିଛନ୍ତି । ଗତକାଲି ସିନୱାରର ମୃତ୍ୟୁକୁ ନେଇ ଇରାନ ପକ୍ଷରୁ ସ୍ପଷ୍ଟିକରଣ ରଖାଯାଇଥିଲା। ଏଭଳି କି ସିନୱାର ମୃତ୍ୟୁ ପୂର୍ବର ଶେଷ ଭିଡିଓ ବି ସାମ୍ନାକୁ ଆସିଥିଲା ।